ସୋଢ଼ୀ ବଞ୍ଚାଇଲେ: ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ଜିତିଲା

ଆଣ୍ଡରସନ୍‌ଙ୍କ ବିଶ୍ୱ କୀର୍ତିମାନ

କ୍ରାଏଷ୍ଟଚର୍ଚ: ଈଶ ସୋଢ଼ୀଙ୍କ ଲଢ଼ୁଆ ବ୍ୟାଟିଂ (୫୬, ୧୬୮ ବଲ୍‌) ଏବଂ ନିଲ୍‌ ଓ୍ଵାଗନର୍‌ (୭, ୧୦୩ ବଲ୍‌)ଙ୍କ ଲଢ଼ୁଆ ଅଷ୍ଟମ ଓ୍ଵିକେଟ୍‌ ଓ୍ଵିକେ୍‌ଟ ଭାଗୀଦାରି ପାଇଁ ନ୍ୟୁଜିଲାଣ୍ଡ୍‌ କ୍ରାଏଷ୍ଟ୍‍ଚର୍ଚ ଟେଷ୍ଟ୍‍ରେ ପରାଜୟରୁ ବର୍ତିଯାଇଛି। ୩୧.୨ ଓଭର ତଥା ୩୭ ରନ୍‌ ବିଶିଷ୍ଟ ଏହି ଭାଗୀଦାରି କାରଣରୁ ଇଂଲଣ୍ଡ ଶୃଙ୍ଖଳା ସମତୁଲ ବିଜୟ ହାସଲ କରିବାରୁ ବଞ୍ଚିତ ହୋଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ୍‌ ୧-୦ରେ ଜିତି ନେଇଛି।
ହଗ୍‌ଲେ ଓଭାଲ୍‌ରେ ଖେଳାଯାଇଥିବା ଏହି ଟେଷ୍ଟ୍‍ରେ ନ୍ୟୁଜିଲାଣ୍ଡ୍‌ ସମ୍ମୁଖରେ ୩୮୨ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ମଙ୍ଗଳବାର ଘରୋଇ ଦଳ ୪୨/୦ରୁ ଖେଳି ୯୧ ରନ୍‌ ଭିତରେ ୪ ଓ୍ଵିକେଟ୍‌ ହରାଇ ବସିଥିଲା। କିନ୍ତୁ ଟମ୍‌ ଲଥାମ୍‌ (୮୩, ୨୦୭ ବଲ୍‌) ଓ କଲିନ୍‌ ଗ୍ରାଣ୍ଡହୋମ (୪୫)ଙ୍କ ପାଳି ଦଳକୁ ଉଦ୍ଧାର କରିଥିଲା। ତଥାପି ଦଳ ୨୧୯ ରନ୍‌ରେ ୭ ଓ୍ଵିକେଟ୍‌ ହରାଇବା ବେଳକୁ ଦିନର ଅଧା ଖେଳ ବାକି ଥିଲା। ସୋଢ଼ୀ ଏବଂ ଓ୍ଵାଗନର୍‌ କିନ୍ତୁ ଇଂଲିସ୍‌ ବୋଲରଙ୍କୁ ପ୍ରତିଶୋଧ ନେବାର ସୁଯୋଗରୁ ବଞ୍ଚିତ ରଖିଥିଲେ। ଶେଷ ଓଭରରେ ଅଷ୍ଟମ ଓ୍ଵିକେଟ୍‌ର ପତନ ସହିତ ନ୍ୟୁଜିଲାଣ୍ଡ ଦ୍ୱିତୀୟ ପାଳି ୨୫୬/୮ରେ ସୀମିତ ରହିଥିଲା। ଟିମ୍‌ ସାଉଦି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂଂ ଟ୍ରେଣ୍ଟ୍‌ ବୋଲଟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୩୦୭ (ଜନି ବେୟାରଷ୍ଟୋ-୧୦୧, ମାର୍କ ଉଡ୍‌-୫୨, ଟିମ୍‌ ସାଉଦି-୬/୬୨, ଟ୍ରେଣ୍ଟ୍‌ ବୋଲ୍‌ଟ-୪/୮୭)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୨୭୮ (କଲିନ୍‌ ଗ୍ରାଣ୍ଡ୍‌ହୋମ୍‌-୭୨, ବିଜେ ଓ୍ଵାଟଲିଙ୍ଗ୍‌-୮୫, ଟିମ୍‌ ସାଉଦି-୫୦, ଷ୍ଟୁଆର୍ଟ ବ୍ରଡ୍‌-୬/୫୪, ଜେମ୍‌ସ ଆଣ୍ଡରସନ୍‌-୪/୭୬)। ଇଂଲଣ୍ଡ ଦ୍ୱିତୀୟ ପାଳି: ୩୫୨/୯, ଘୋଷିତ (ମାର୍କ ଷ୍ଟୋନ୍‌ମ୍ୟାନ୍‌-୬୦, ଜେମ୍‌ସ ଭିନ୍‌ସ-୭୬, ଡେଭିଡ୍‌ ମଲାନ-୫୩, କଲିନ୍‌ ଗ୍ରାଣ୍ଡହୋମ୍‌-୪/୯୪, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୮୯, ଟିମ୍‌ ସାଉଦି-୧/୬୫)। ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ପାଳି: ୧୨୪.୪ ଓଭରରେ ୨୫୬/୮ (ଟମ୍‌ ଲଥାମ୍‌-୮୩, କଲିନ୍‌ ଗ୍ରାଣ୍ଡହୋମ୍‌-୪୫, ଈଶ ସୋଢ଼ୀ-୫୬*, ମାର୍କ ଉଡ୍‌-୨/୪୫, ଜ୍ୟାକ୍‌ ଲିଚ୍‌-୨/୬୧, ଷ୍ଟୁଆର୍ଟ ବ୍ରଡ୍‌-୨/୭୨)।

କ୍ରାଏଷ୍ଟଚର୍ଚ ଟେଷ୍ଟ୍‍ ଅବସରରେ ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଏକ ନୂଆ କୀର୍ତିମାନ କରିଛନ୍ତି। ନିଜର ୧୭ତମ ଓଭର ବୋଲିଂ କରୁଥିବା ବେଳେ ଆଣ୍ଡରସନ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ସର୍ବାଧକ ବଲ୍‌ ବୋଲିଂ କରିଥିଲେ ଟେଷ୍ଟ୍‍ କ୍ରିକେଟ୍‌ରେ। ଅଦ୍ୟାବଧି ସେ ୩୦,୦୭୪ ବଲ୍‌ ବୋଲିଂ କରିସାରିଛନ୍ତି। କର୍ଟନୀ ଓ୍ଵାଲ୍‌ସ (୩୦, ୦୧୯), ଗ୍ଲେନ୍‌ ମ୍ୟାକ୍‌ଗ୍ରା (୨୯, ୨୪୮) ଏବଂ କପିଳ ଦେବ (୨୭, ୭୪୦) ତାଙ୍କ ପଛରେ ରହିଛନ୍ତି। ମୋଟ ବୋଲରଙ୍କୁ ମିଶାଇଲେ ଆଣ୍ଡରସନଙ୍କଠାରୁ ଏବେ କେବଳ ୩ ସ୍ପିନର୍‌ ସେନ୍‌ ଓ୍ଵର୍ନ, ଅନିଲ କୁମ୍ବଲେ ଏବଂ ମୁଥୟା ମୁରଲୀଧରନ ଆଗରେ ରହିଛନ୍ତି। ୨୦୧୫ ମସିହାରେ ଆଣ୍ଡରସନ୍‌ ଇଂଲଣ୍ଡର ଅଗ୍ରଣୀ ଟେଷ୍ଟ୍‍ ବୋଲର ହୋଇଥିଲେ ଏବଂ ଗତବର୍ଷ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ସେ ୫୦୦ ଓ୍ଵିକେଟ୍‌ ପୂର୍ଣ୍ଣ କରିଥିଲେ। ଏ ପର୍ଯ୍ୟନ୍ତ ୫୩୧ ଓ୍ଵିକେଟ୍‌ ନେଇ ସାରିଥିବା ଆଣ୍ଡରସନ୍‌ ଏବେ ଦ୍ରୁତ ବୋଲରଙ୍କ ମଧ୍ୟରେ ସର୍ବାଧିକ ଓ୍ଵିକେଟ୍‌ଧାରୀ ଗ୍ଲେନ୍‌ ମ୍ୟାକ୍‌ଗ୍ରା (୫୬୩)ଙ୍କୁ ଟପିବା ସମ୍ଭାବନା ରଖିଛନ୍ତି।

ସମ୍ବନ୍ଧିତ ଖବର