ଶ୍ରୀଲଙ୍କା ୨-୦ରେ ଶୃଙ୍ଖଳା ଜିତିଲା

ଦକ୍ଷିଣ ଆଫ୍ରିକାର ଆଉ ଏକ ଶୋଚନୀୟ ପରାଜୟ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ଟେଷ୍ଟ୍‌କୁ ମାତ୍ର ଅଢ଼େଇ ଦିନ ଭିତରେ ହାରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍‌ରେ ମଧ୍ୟ ଶୋଚନୀୟ ପରାଜୟ ବରଣ କରିଛି। ୪୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଏହି ଦଳ ସମସ୍ତ ଓ୍ଵିକେଟ୍‌ ବିନିମୟରେ ମାତ୍ର ୨୯୦ ରନ୍‌ କରିବା ପରେ ଶ୍ରୀଲଙ୍କା ୧୯୯ ରନ୍‌ରେ ବିଜୟୀ ହୋଇଛି। ତା’ ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ସେହିଭଳି ୨୦୦୬ ମସିହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିଛି।
ବୋଲର ପ୍ରାଧାନ୍ୟ ବିସ୍ତାର କରିଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ରବିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୩୯ ରନ୍‌ରେ ଅଧାଦଳ ହରାଇ ପରାଜୟ ଦ୍ୱାର ଦେଶରେ ଥିଲା। ସୋମବାର ନବାଗତ ଖେଳାଳି ଥିଉନିସ୍‌ ଡି’ ବ୍ରୁଇନ (୧୦୧) ନିଜ ଷଷ୍ଠ ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମ ଶତକ ଅର୍ଜନ କରି ଏହାକୁ ଟିକିଏ ବିଳମ୍ବିତ କରିଥିଲେ। ହେଲେ ମଧ୍ୟାହ୍ନ ଭୋଜନ ପରେ ମାତ୍ର ୪୦ ମିନିଟ୍‌ ଭିତରେ ବଳକା ୩ ଓ୍ଵିକେଟ୍‌ ଅକ୍ତିଆର କରି ଶ୍ରୀଲଙ୍କା ମ୍ୟାଚ୍‌ ଓ ଶୃଙ୍ଖଳାକୁ କବ୍‌ଜା କରି ନେଇଥିଲା। ଦକ୍ଷିଣ ଆଫ୍ରିକାର ସମସ୍ତ ୨୦ ଓ୍ଵିକେଟ୍‌ ଶ୍ରୀଲଙ୍କା ସ୍ପିନର ଅକ୍ତିଆର କରିଥିଲେ। ଶୃଙ୍ଖଳାରେ ୩୫୬ ରନ୍‌ କରିଥିବା ଦିମୁଥ କରୁଣାରତ୍ନେ ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଶ୍ରୀଲଙ୍କାର ଶୃଙ୍ଖଳା ବିଜୟରେ କିନ୍ତୁ ସ୍ପିନରମାନେ ବଳିଷ୍ଠ ଭୂମିକା ନେଇଥିଲେ। ସେମାନେ ଦୁଇଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ୪୦ରୁ ୩୭ ଓ୍ଵିକେଟ୍‌ କରାୟତ କରିଥିଲେ। ଘରୋଇ ବୋଲର ଦିଲରୁଓ୍ଵାନ ପେରେରା ଓ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ସର୍ବାଧିକ ୧୬ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଅଭିଜ୍ଞ ସିଂହଳୀ ବୋଲର ରଙ୍ଗଣା ହେରାଥ ଦ୍ୱିତୀୟ ଟେଷ୍ଟ୍‌ର ଦ୍ୱିତୀୟ ପାଳିରେ ୬ ଓ୍ଵିକେଟ୍‌ ସହ ମୋଟ ୧୨ ଓ୍ଵିକେଟ୍‌ ହାସଲ କରିଥିଲେ। ଶୃଙ୍ଖଳା ନିର୍ଣ୍ଣାୟକ ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୩୩୮ ରନ୍‌ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି କଷ୍ଟେମଷ୍ଟେ ୧୨୪ ରନ୍‌ କରି ପାରିଥିଲା। ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ୫ ଓ୍ଵିକେଟ୍‌ ବିନିମୟରେ ୨୭୫ ରନ୍‌ କରି ପାଳି ଘୋଷଣା କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୪୯୦ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୩୩୮। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୨୪। ଶ୍ରୀଲଙ୍କା ଦ୍ୱିତୀୟ ପାଳି: ୨୭୫/୫, ଘୋଷିତ। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୮୬.୫ ଓଭରରେ ୨୯୦ (ଥିଉନିସ୍‌ ଡି’ ବ୍ରୁଇନ୍‌-୧୦୧, ତେମ୍ବା ବାଭୁମା-୬୩ , ଡିନ୍‌ ଏଲଗାର୍‌-୩୭, ରଙ୍ଗନା ହେରାଥ୍‌-୬/୯୮, ଦିଲରୁଓ୍ଵାନ ପେରେରା-୨/୯୦, ଅଖିଳ ଧନଞ୍ଜୟ-୨/୬୭ )।

ସମ୍ବନ୍ଧିତ ଖବର