ଷ୍ଟାର ସ୍ପୋର୍ଟସ୍‌କୁ ପୁଣି କ୍ରିକେଟ୍‌ ପ୍ରସାରଣ ଦାୟିତ୍ୱ:୬୧୩୮ କୋଟିରେ ନେଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ୫ ବର୍ଷିଆ ପ୍ରସାରଣ ଅଧିକାର ପାଇଁ ୩ ଦିନ ଧରି ଚାଲିଥିବା ଇ-ନିଲାମ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି। ଏଥିରେ ସୋନି ଏବଂ ଜିଓକୁ ପଛରେ ପକାଇ ଷ୍ଟାର୍‌ ଇଣ୍ଡିଆ ୬୧୩୮.୧ କୋଟି ଟଙ୍କାରେ କିଣି ପ୍ରସାରଣ ଅଧିକାରକୁ ନିଜ ପାଖରେ ରଖିଛି। ଏହା ପୂର୍ବରୁ ୨୦୧୨ ମସିହାରେ ମଧ୍ୟ ଷ୍ଟାର୍‌ ୩୮୫୧ କୋଟି ଟଙ୍କାରେ ୬ ବର୍ଷ ପାଇଁ ଏହି ଅଧିକାର ପାଇଥିଲା। ତେବେ ଚଳିତ ଥର ଏଥିରେ ୫୯ ପ୍ରତିଶତ ବୃଦ୍ଧି ଘଟାଇ ଅଧିକାର ହାସଲ କରିଛି। ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟାରେ ପ୍ରଥମରୁ ଫେସ୍‌ବୁକ୍‌, ଗୁଗଲ୍‌ ଏବଂ ୟୁପ୍‌ ଟିଭି ଓହରିି ଯାଇଥିଲେ। ତେବେ ଷ୍ଟାର୍‌, ସୋନି ଏବଂ ଜିଓ ଏହି ଦୌଡ଼ରେ ଶେଷ ପର୍ଯ୍ୟନ୍ତ ଭିଡ଼ାଭିଡି ହୋଇଥିଲେ। ହେଲେ ଷ୍ଟାର ସମସ୍ତଙ୍କୁ ପଛରେ ପକାଇ ୨୦୧୮ରୁ ୨୦୨୩ ପାଞ୍ଚ ବର୍ଷ ପାଇଁ ପୁଣି ଥରେ ଏହି ଅଧିକାର ନିଜ ପାଖକୁ ନେବାରେ ସମର୍ଥ ହୋଇଥିଲା।

ଏହି ଚୁକ୍ତି ୨୦୧୮ ଏପ୍ରିଲ ୧୫ରୁ ୨୦୨୩ ମାର୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ୫ ବର୍ଷ ମଧ୍ୟରେ ଷ୍ଟାର ସମସ୍ତ ଦ୍ୱିପାକ୍ଷିକ ଶୃଙ୍ଖଳା (ଉଭୟ ପୁରୁଷ ଏବଂ ମହିଳା) ଏବଂ ଘରୋଇ ପ୍ରତିଯୋଗିତା ପ୍ରସାରଣ କରିବ। ଏହି ୫ ବର୍ଷ ସମୟ ମଧ୍ୟରେ ଭାରତ ୧୦୨ ମ୍ୟାଚ୍‌ ଖେଳିବ। ୨୦୧୮-୧୯ ଋତୁରେ ୧୮, ୨୦୧୯-୨୦ ଋତୁରେ ୨୬, ୨୦୨୦-୨୧ ଋତୁରେ ୧୪, ୨୦୨୧-୨୨ ଋତୁରେ ୨୩ ଏବଂ ୨୦୨୨-୨୩ ଋତୁରେ ୨୧ ମ୍ୟାଚ୍‌ ଖେଳିବ। ଏଥିରେ ଉଭୟ ପୁରୁଷ ଏବଂ ମହିଳା ମ୍ୟାଚ୍‌ ସାମିଲ ରହିଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ଷ୍ଟାର୍‌ ୧୬୩୪୭.୫ କୋଟି ଟଙ୍କାରେ ୨୦୧୮ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପ୍ରସାରଣ ପାଇଁ ୫ ବର୍ଷୀୟା ଅଧିକାର ପାଇଛି।

ସମ୍ବନ୍ଧିତ ଖବର