ଧୋନି ସବୁବେଳେ ସମ୍ଭାଳିନେବାର ଆଶା ନ ରହୁ

ସୁନୀଲ ଗାଭାସ୍କର

ବିଗତ କିଛି ଦିନ ହେବ ଭାରତୀୟ ଗଣମାଧ୍ୟମ ପଢ଼ିବା ପରେ ନିରାଶା ଓ ‌ହତୋତ୍ସାହ ଭରି ଯାଇଛି। ଜଣେ ଭାରତୀୟ କିମ୍ବଦନ୍ତୀଙ୍କୁ ସମ୍ମାନ ଜଣାଇବା ପରିବର୍ତେ ମଙ୍କଡିଂ ବିବାଦରେ ଯୋଡ଼ି ଅସମ୍ମାନିତ କରାଯିବା ଦୁଃଖଦାୟକ। ସତୁରି ବର୍ଷ ତଳେ ନନ୍‌ ଷ୍ଟ୍ରାଇକର୍‌ ପାର୍ଶ୍ବରେ ଥିବା ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍‌ ବିଲି ବ୍ରାଉନ୍‌ଙ୍କୁ ରନ୍ ଆଉଟ୍ କରାଯିବା ପରେ ଜଣେ ଅଳସୁଆ ବିଦେଶୀ ସାମ୍ବାଦିକ ଏହାକୁ ମଙ୍କଡିଂ ଆଖ୍ୟା ଦେଇଥିଲେ। ଭାରତୀୟ ‌କ୍ଷେତ୍ରରକ୍ଷକ ବିନୁ ମଙ୍କଡ ତାଙ୍କୁ ରନ୍‌ ଆଉଟ୍ କରିଥିବାରୁ ଏଭଳି ନାମକରଣ କରିଥିଲେ। ଏଭଳି କରିବା ପୂର୍ବରୁ କିନ୍ତୁ ବ୍ରାଉନଙ୍କୁ ବିନୁ ମଙ୍କଡ ଏକାଧିକ ଥର ଚେତାବନୀ ଦେଇଥିଲେ। ବ୍ରାଉନ୍ କିନ୍ତୁ ମାନି ନଥିଲେ। ଆଉଟ୍ ହେବା ପରେ ଏଥିରେ କିଛି ଭୁଲ ନ ଥିବା ସାର୍ ଡନ୍ ବ୍ରାଡମ୍ୟାନ୍‌ ମଧ୍ୟ ମତ ରଖିଥିଲେ। ଗଣମାଧ୍ୟମ କିନ୍ତୁ ଏହାକୁ ମଙ୍କଡେଡ୍‌ ଆଖ୍ୟା ଦେଇଥିଲା। ଅତୀତରେ ୱେଷ୍ଟଇଣ୍ଡିଜ୍‌ରେ ବ୍ରାଏନ୍ ଲାରାଙ୍କ ବମ୍ କ୍ୟାଚ୍‌କୁ ଷ୍ଟିଭ୍‌ ୱ ନେଇଥିଲେ। ସେତେବେଳେ ତ କାହିଁକି ପ୍ରଶ୍ନ ଉଠିନଥିଲା। ଖେଳୁଆଡ ମନୋଭାବ ଭିତରେ ରହି ଏଭଳି ଆଉଟ୍‌ ସବୁକୁ ‘ବୋଲର ଦ୍ବାରା ରନ୍‌ ଆଉଟ୍’ କହିବା ଅଧିକ ଠିକ୍ ହୁଅନ୍ତା।

ଶନିବାର ଆକ୍ସନରେ ରହିବେ ୪ ଦଳ। ସବୁ ଦଳ ବିଜୟ ଲୟରେ ଥିବାରୁ ସହଜ ସ୍ଥିତିରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ହାରିଯିବା ପରେ ଚେନ୍ନାଇ ସୁପର୍ କିଙ୍ଗ୍ସ ନିଶ୍ଚିତ ପ୍ରତ୍ୟାବର୍ତନ କରିବାକୁ ଚାହିଁବ। କିନ୍ତୁ ଅବିଶ୍ବସନୀୟ ଯାତ୍ରାରେ ରହିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ବାଟ ଓଗାଳିବ ନିଶ୍ଚିତ। ଦଳର ପ୍ରାରମ୍ଭିକ‌ ଯୋଡ଼ି ୱାର୍ନର ଏବଂ ବେୟାରଷ୍ଟୋ ପ୍ରତିପକ୍ଷଙ୍କଠାରୁ ପାୱାର ପ୍ଲେ’ରେ ହିଁ ମ୍ୟାଚ୍‌ ଛଡ଼ାଇ‌ ନେଉଛନ୍ତି। ଏମାନଙ୍କ ୱିକେଟ୍ ସଅଳ ଦଖଲ କରିନେଲେ ଏହା ପରେ ଆସୁଥିବା ଖେଳାଳି ଚାପରେ ଫସିଯିବାର ସୁଯୋଗ ରହିଛି। ଅନ୍ୟପକ୍ଷରେ ଚେନ୍ନାଇର ସଂଘର୍ଷରତ ଶୀର୍ଷକ୍ରମକୁ ଯେ ମହେନ୍ଦ୍ର ସିଂହ ଧୋନି ସବୁବେଳେ ସମ୍ଭାଳିନେବେ ଏଭଳି ଆଶା କରାଯାଇନପାରେ। (ପିଏମ୍‌ଜି)

ସମ୍ବନ୍ଧିତ ଖବର