ନିର୍ଣ୍ଣାୟକ ଦିନିକିଆ ଆଜି: ଭାରତର ଲକ୍ଷ୍ୟ ଶୃଙ୍ଖଳା ବିଜୟ

ବିଶାଖାପାଟଣା: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାର ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଶେଷ ଦିନିକିଆ ଆନ୍ତର୍ଜାତିିକ ମୁକାବିଲା ହେବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ସ୍ଥିତିରେ ରହିଥିବାରୁ ବିଶାଖାପାଟଣା ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯାଇଛି। ଉଭୟ ଦଳ ଏଠାରେ ବିଜୟବାନା ଉଡାଇ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ରହିଛନ୍ତି। ସୁଦକ୍ଷ ବ୍ୟାଟିଂକ୍ରମ ସାଙ୍ଗକୁ ବିଶାଖାପାଟଣାରେ ଲମ୍ବା ବିଜୟଧାରା ରଖିଥିବା ଭାରତର ପଲା ଶ୍ରୀଲଙ୍କା ତୁଳନାରେ ଭାରି ରହିଛି। ଭାରତ ଏସିଏ-ଭିଡିସିଏ ଷ୍ଟାଡିୟମ୍‌ରେ ମୋଟ ୭ ମ୍ୟାଚ୍‌ ଖେଳିସାରିଥିଲା ବେଳେ ମାତ୍ର ଗୋଟିକରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍‌ ବର୍ଷା ଧୋଇ ନେଇଥିଲା ବେଳେ ଅବଶିଷ୍ଟ ୫ ମ୍ୟାଚ୍‌ର ଫଳାଫଳ ଭାରତ ସପକ୍ଷରେ ଯାଇଛି। ବିଶାଖାପାଟଣା ପିଚ୍‌ ସବୁବେଳେ ବଡ଼ ସ୍କୋର୍‌ ମ୍ୟାଚ୍‌ ଦର୍ଶକଙ୍କୁ ଭେଟି ଦେଇଆସୁଛି। ସେହିଦୃଷ୍ଟିରୁ ରବିବାର ମୁକାବିଲାରେ ଭାରତ ବିଜୟ ଦୌଡ଼ର ଆଗରେ ରହିବ। ଆଉ ଯଦି ଭାରତ ଏହି ମ୍ୟାଚ୍‌ ଜିତିିନିଏ, ତେବେ ଶ୍ରୀଲଙ୍କା ବିପକ୍ଷରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିବ। ଏହା ପୂର୍ବରୁ ଭାରତ ମଧ୍ୟ ଶ୍ରୀଲଙ୍କାକୁ ଟେଷ୍ଟ ଶୃଙ୍ଖଳାରେ ପରାସ୍ତ କରିସାରିଛି। ତେବେ ଶ୍ରୀଲଙ୍କାଠୁ ପ୍ରଥମ ଦିନିକିଆ (ଧର୍ମଶାଳା) ହାରିଯାଇଥିବାରୁ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଦକ୍ଷିଣ ଆଫ୍ରିକାକୁ ଶୀର୍ଷ ସ୍ଥାନରୁ ହଟାଇବାର ସୁଯୋଗ ଭାରତ ହରାଇ ସାରିଥିବାରୁ ଏବେ ଶୃଙ୍ଖଳା ବିଜୟ ହିଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଭାରତ ଏଠାରେ ଶେଷ ଦିନିକିଆ ନ୍ୟୁଜିଲାଣ୍ଡ୍‌ ସହ ଖେଳିଥିଲା। ସେହି ମ୍ୟାଚ୍‌ରେ ଭାରତ ମଧ୍ୟ ବୃହତ୍‌ ବିଜୟ ହାସଲ କରିଥିଲା।

ଭାରତ ମଧ୍ୟ ଗତ ଦୁଇ ବର୍ଷ ମଧ୍ୟରେ ଘରୋଇ ମାଟିରେ ଆଦୌ ଶୃଙ୍ଖଳା ହାରିନାହିଁ। ୨୦୧୫ ଅକ୍ଟୋବରରେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଯିବା ପରେ ଭାରତ ଆଉ ପଛକୁ ଫେରି ଚାହିଁନାହିଁ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଭାରତରେ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଶୃଙ୍ଖଳା ବିଜୟ ଅନେ୍ଵଷଣରେ ରହିଛି। ସିଂହଳୀ ଦଳ ଭାରତରେ ଖେଳିଥିବା ୯ ଶୃଙ୍ଖଳା ମଧ୍ୟରୁ ଗୋଟିଏ ଅମୀମାଂସିତ ରଖିପାରିଥିଲା ବେଳେ ଅବଶିଷ୍ଟ ୮ ଶୃଙ୍ଖଳା ହାରିଛି। ଏବେ ଶ୍ରୀଲଙ୍କାକୁ ଆଉ ଏକ ଶୃଙ୍ଖଳା ପରାଜୟ ଦେବାକୁ ହେଲେ ମୋହଲିରେ ବ୍ୟାଟିଂ ଆତଙ୍କ ସୃଷ୍ଟି କରିଥିବା ଅଧିନାୟକ ରୋହିତ ଶର୍ମା, ଶିଖର ଧାଓ୍ଵନ୍‌ ଓ ଯୁବ ତାରକା ଶ୍ରେୟସ ଆୟରଙ୍କ ବ୍ୟତୀତ ମନୀଷ ପାଣ୍ଡେ ଓ ଦୀନେଶ କାର୍ତିକଙ୍କୁ ମଧ୍ୟକ୍ରମରେ ଅବଦାନ ରଖିବାକୁ ହେବ। ପୁଣି ମହେନ୍ଦ୍ର ସିଂହ ଧୋନିଙ୍କ ରୂପରେ ଜଣେ ମ୍ୟାଚ୍‌ ବିଜୟୀ ଖେଳାଳି ଓ ଉଦୀୟମାନ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ପାଇଥିବାରୁ ଭାରତ ବିଶାଖାପାଟଣାରେ ପ୍ରଥମେ ବ୍ୟାଟିଂ କଲେ ବଡ଼ ସ୍କୋର୍‌ କରି ପୁଣି ଥରେ ସିଂହଳୀ ଦଳ ଉପରେ ଚାପ ପ୍ରୟୋଗ କରିପାରିବ। ତେବେ ଅଜିଙ୍କ୍ୟ ରହାଣେଙ୍କୁ ପୁଣି ଚୂଡାନ୍ତ ଏକାଦଶ ବାହାରେ ବସିବାକୁ ପଡ଼ିପାରେ ବୋଲି ଆଶଙ୍କା ରହିଛି। ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଓ ଜସ୍‌ପ୍ରୀତ୍‌ ବୁମ୍‌ରା ପ୍ରତିପକ୍ଷକୁ ରୋକିବାରେ ସମର୍ଥ ହେଉଥିଲା ବେଳେ ସ୍ପିନର ବିଶେଷ ପ୍ରଭାବୀ ହୋଇପାରିନାହାନ୍ତି।

ଅନ୍ୟପକ୍ଷରେ ଭ୍ରମଣକାରୀ ସିଂହଳୀ ଦଳ ଗତ ମ୍ୟାଚ୍‌ରେ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ଶତକରେ ସାନ୍ତ୍ୱନା ପାଇଛି। ହେଲେ ବରିଷ୍ଠ ତଥା ଅଭିଜ୍ଞ ଉପୁଲ ତରଙ୍ଗା, ଲାହିରୁ ଥିରିମାନେ, ଦନୁଷ୍କା ଗୁଣତିଳକା ଓ ନିରୋସାନ୍‌ ଡିକ୍‌େଓ୍ଵଲାଙ୍କ ଅସ୍ଥିର ପ୍ରଦର୍ଶନ ହିଁ ଶ୍ରୀଲଙ୍କାକୁ ଦୁର୍ବଳ କରିଦେଉଛି। ବୋଲିଂରେ ଧର୍ମଶାଳା ମ୍ୟାଚ୍‌ର ନାୟକ ସୁରଙ୍ଗା ଲକ୍‌ମଲ ଶ୍ରୀଲଙ୍କା ପାଇଁ ମୁଖ୍ୟ ଅସ୍ତ୍ର ରହିଥିଲା ବେଳେ ମୋହାଲିରେ ୧୦ ଓଭରରେ ୧୦୬ ରନ୍‌ ବ୍ୟୟ କରିଥିବା ନୁଓ୍ଵାନ୍‌ ପ୍ରଦୀପଙ୍କୁ ନେଇ ଶ୍ରୀଲଙ୍କା ଚିନ୍ତିତ ନିଶ୍ଚୟ ଥିବ। ସେଥିପାଇଁ ବିଶାଖାପାଟଣା ମ୍ୟାଚ୍‌ରେ ତାଙ୍କ ସ୍ଥାନରେ ଦୁଷ୍ମନ୍ତ ଚାମିରାଙ୍କ ଖେଳିବା ପ୍ରାୟତଃ ନିଶ୍ଚିତ ଥିଲା ବେଳେ ଭାରତ ଅପରିବର୍ତିିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଅଧିନାୟକ ରୋହିତ ଆଭାସ ଦେଇଛନ୍ତି।

ସମ୍ବନ୍ଧିତ ଖବର