ଆଇପିଏଲ୍‌ ଲଢ଼େଲ ଆଜିଠାରୁ

ମୁମ୍ବାଇ ବନାମ ଚେନ୍ନାଇ

ଗୋଲ୍‌ଡକୋଷ୍ଟ୍‍: ଭାରତୀୟ କ୍ରିକେଟ୍‌କୁ ନୂଆ ରୂପ ଦେବା ସହିତ ବୈପ୍ଳବିକ ପରିବର୍ତନର ମାଧ୍ୟମ ପାଲଟିଥିବା ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) ନୂଆ ଦଶନ୍ଧିରେ ପାଦ ଥାପିବ ଶନିବାରଠାରୁ। ଏକାଦଶ ସଂସ୍କରଣର ମୁକାବିଲା ଶନିବାର ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରୁ ଆରମ୍ଭ ହେବ। ବିଜେତା ମୁମ୍ବାଇ ଇଣ୍ଡିଆନସ ସହିତ ଖେଳି ୨ ବର୍ଷିଆ ନିଲମ୍ବନରୁ ଫେରିଥିବା ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଏହି ଶୁଭାରମ୍ଭର ସୂତ୍ରଧର ହେବ। ଟି-୨୦ ଲିଗ୍‌ର ଦୁଇ ସଫଳ ଅଧିନାୟକ ରୋହିତ ଶର୍ମା ଏବଂ କିମ୍ବଦନ୍ତୀ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। ଏଥି ସହ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଫଟାଫଟ୍‌ ରୋମାଞ୍ଚ ପୁଣି ଫେରିବ ପ୍ରଶଂସକଙ୍କ ପାଖକୁ। ଏପ୍ରିଲ୍‌ ୭ରୁ ମେ’ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ୭ ସପ୍ତାହ ବିଶିଷ୍ଟ ପ୍ରତିଯୋଗିତାରେ ଏଥର ମଧ୍ୟ ଖେଳିବେ ୮ ଦଳ। ନିଲମ୍ବନରୁ ରାଜସ୍ଥାନ ରୟାଲ୍‌ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଫେରିଥିବା ବେଳେ ଉପ ବିଜେତା ପୁନେ ସୁପର୍‌ଜିଆଣ୍ଟ୍‌ ଓ ଗୁଜରାଟ ଲାୟନ୍‌ସ ଅପସରି ଯାଇଛନ୍ତି। ଏକାଦଶ ସଂସ୍କରଣର ୫୧ ଦିନ ମଧ୍ୟରେ ମୋଟ ୬୦ ମ୍ୟାଚ୍‌ ଖେଳାଯିବ।

ମୁମ୍ବାଇ ଇଣ୍ଡିଆନସ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ ବୁମରା, ହାର୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ମୁସ୍ତାଫିଜୁର ରହମାନ୍‌, ପ୍ୟାଟ୍‌ କମିନ୍‌ସ, ସୂର୍ଯ୍ୟକୁମାର ଯାଦବ, କୃନାଲ ପାଣ୍ଡ୍ୟା, ଈଶାନ କିଷନ୍‌, ରାହୁଲ ଚହର, ଏଭିନ୍‌ ଲୁଇସ, ସୌରଭ ତିଓ୍ଵାରୀ, ବେନ୍‌ କଟିଂ, ପ୍ରଦୀପ ସାଙ୍ଗଓ୍ଵାନ, ଜିନ୍‌ ପଲ୍‌ ଡୁମିନି, ତାଜିନ୍ଦର ସିଂହ, ଶରଦ ଲୁମ୍ବା, ସିଦ୍ଦେଶ ଲାଡ଼୍‍, ଆଦିତ୍ୟ ତାରେ, ମୟଙ୍କ ମରଖାଣ୍ଡେ, ଅଖିଳ ଧନଞ୍ଜୟ, ଅନୁକୂଳ ରୟ, ମୋହସିନ ଖାନ୍‌, ମହମ୍ମଦ ନିଧେଶ, ମିଚେଲ୍‌ ମ୍ୟାକ୍ଲିନାଘନ।

ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ରବୀନ୍ଦ୍ର ଜାଦେଜା, ଫାପ ଡୁ ପ୍ଳେସିସ୍‌, ହରଭଜନ ସିଂହ, ଡ୍ଵାନ୍‌ ବ୍ରାଭୋ, ସେନ୍‌ ଓ୍ଵାଟ୍‌ସନ୍‌, କେଦାର ଯାଦବ, ଅମ୍ବାତି ରାୟୁଡୁ, ଦୀପକ ଚହର, କେଏମ୍‌ ଅସିଫ୍‌, କନିଷ୍କ ସେଠ୍‌, ଲୁଙ୍ଗି ଏନଗିଡ଼ି, ଧୃବ ସୋରେ, ମୁରଲୀ ବିଜୟ, ସାମ୍‌ ବିଲିଙ୍ଗ୍‌ସ, ମାର୍କ ଉଡ୍‌, କ୍ଷୀତୀଜ୍‌ ଶର୍ମା, ମୋନୁ କୁମାର, ଚୈତନ୍ୟ ବିଷ୍ଣୋଇ, ଇମ୍ରାନ୍‌ ତାହିର୍‌, କର୍ନ ଶର୍ମା, ସାର୍ଦୁଲ ଠାକୁର, ଏନ୍‌ ଜଗଦୀଶାନ।

ବିଶ୍ୱରେ ଅନ୍ୟ ଲିଗ୍‌ର ଅତୁଳନୀୟ
ସୁନୀଲ ଗାଭାସ୍କର
ଆଇପିଏଲର ଆଉ ଏକ ନୂଆ ଋତୁ ତଥା ଚକ୍ର ଆସିଗଲା। ଏଥି ସହିତ ଉନ୍ମାଦନାର ସମୟ ବି ଉପନୀତ। କ୍ରିକେଟ୍‌ର ରୋମାଞ୍ଚ ଦୃଷ୍ଟିରୁ ଦେଖିଲେ ଏହି ଟେ୍ଵଣ୍ଟି-୨୦ ଲିଗକୁ ନେଇ କୌଣସି ଦ୍ୱିଧା ନାହିଁ। ଦର୍ଶକମାନେ ଏହାକୁ ଅଧିକ ନାଟକୀୟ ତଥା ମଜାଳିଆ କରିଦେଉଛନ୍ତି। କ୍ରିକେଟ୍‌, ମନୋରଂଜନ ଏବଂ ରୋମାଞ୍ଚର ମିଳନ ଆଣୁଥିବା ଏହି ଲିଗ ବିଶ୍ୱର ଅନ୍ୟ କୌଣସି ଲିଗ୍‌ ସହ ଅତୁଳନୀୟ। ପ୍ରଥମ ସଂସ୍କରଣ ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଥିଲା। ବ୍ରେଣ୍ଡ୍‌ନ ମ୍ୟାକ୍‌ଲମଙ୍କ ୧୫ ଛକା ଭର୍ତି ୧୫୮ ରନ୍‌ ଦେଖିଥିଲେ ଦର୍ଶକ। ଏବେ ସମାନ ଢଙ୍ଗରେ ନୂଆ ଋତୁ ଆରମ୍ଭର ଆଶା ରହୁଛି, କାରଣ ପ୍ରତିଯୋଗିତାର ଦୁଇ ବଡ଼ ଦଳ ମୁହାଁମୁହିଁ ହେଉଛନ୍ତି। ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ ନିଶ୍ଚିତ ରନ୍‌ର ଆତଶବାଜି ଦେଖାଇବ। ପ୍ରତିଯୋଗିତାରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱ ଏବଂ ଚେନ୍ନାଇର ପ୍ରତ୍ୟାବର୍ତନ ନିଶ୍ଚିତ ନିଆରା ପରିବେଶ ଆଣିବ। ଚଳିତ ସପ୍ତାହରେ ସେ ଯେଭଳି ଢଙ୍ଗରେ ରାଷ୍ଟ୍ରପତିଙ୍କଠାରୁ ଆର୍ମି ପୋଷାକରେ ପଦ୍ମଭୂଷଣ ଗ୍ରହଣ କଲେ ଏହା ଆମ ପାଇଁ ଗୌରବର ମୁହୂର୍ତ ଥିଲା। ଧୋନି ମଧ୍ୟ ବ୍ୟାଟିଂକ୍ରମରେ ଆଗୁଆ ଆସି ଅଧିକ ଓଭର ଖେଳିବାର ଯୋଜନା କରିଥିବାରୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏହା ଖୁସି ଖବର ହୋଇଛି।

ଅନ୍ୟପକ୍ଷରେ ଗତ ଥରର ବିଜେତା ମୁମ୍ବାଇ ଇଣ୍ଡିଆନସ ଏଥର ମଧ୍ୟ ସହଜରେ ମୁକୁଟ ହାତଛଡ଼ା କରିବାକୁ ଚାହିଁବ ନାହିଁ। ବିଜେତା ଦଳ ଘରୋଇ ପଡ଼ିଆରୁ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ରୋହିତ ଶର୍ମା ଗତବର୍ଷ ନିମ୍ନକ୍ରମରେ ଖେଳୁଥିଲେ, କିନ୍ତୁ ଏହି ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ପୁଣି ଉପରକୁ ଆସିବା ପ୍ରାୟ ନିଶ୍ଚିତ। କ୍ରିକେଟ୍‌ ବୁଦ୍ଧି ଏବଂ ନେତୃତ୍ୱ ଦକ୍ଷତା ରୋହିତଙ୍କୁ ଅଧିକ ପରିପକ୍ୱ କରିଛି। ପାଣ୍ଡ୍ୟା ଭାଇଙ୍କ ଅଭିଜ୍ଞତା ଏବେ ଏହି ଦଳ ପାଇଁ ସମ୍ପତି ଭଳି ହୋଇଛି। ଏବେଠାରୁ ମେ ୨୭ ତାରିଖର ଫାଇନାଲ୍‌ ପର୍ଯ୍ୟନ୍ତ ଭାରତରେ ସଂଧ୍ୟା ନିଶ୍ଚିତ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପାଇଁ ନୂଆ ମାହୋଲରେ ରହିବ। (ପିଏମ୍‌ଜି/ଇଏସ୍‌ପି)

କ୍ରିକେଟ୍‌ର ବଡ଼ ପର୍ବ ଆସିଗଲା
ହର୍ଷ ଭୋଗ୍‌ଲେ
ଆଇପିଏଲ୍‌-୧୧ ସହିତ କ୍ରିକେଟ୍‌ର ବଡ଼ ପର୍ବ ଆସିଗଲା ଏବଂ ପ୍ରତିଟି ବ୍ୟକ୍ତି ଏଥି ସହ ଜଡ଼ିତ ହେବାକୁ ଆଗ୍ରହୀ। କ୍ରିକେଟ୍‌ ପାଇଁ ବିଶ୍ୱ ଟେ୍ଵଣ୍ଟି-୨୦ ଏବଂ ବିଶ୍ୱକପ୍‌ ଭଳି ଓଜନଦାର ପ୍ରତିଯୋଗିତା ରହିଛି। କିନ୍ତୁ ଏହା କ୍ରିକେଟ୍‌ର ବୃହତ୍‌ ମହୋତ୍ସବ ଭଳି ଏବଂ କେନ୍‌ସଠାରୁ ବି କିଛି କମ୍‌ ନୁହେଁ। ନିଲାମ ପ୍ରକ୍ରିୟାଠାରୁ ଆରମ୍ଭ କରି ଏବେ ପଡ଼ିଆ ଭିତର ପ୍ରଦର୍ଶନ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ମୂଲ୍ୟର ପ୍ରଦର୍ଶନ ଦେବାକୁ ହେବ। ଏଥର ଆଇପିଏଲ୍‌ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ନଥିବାରୁ ଦ୍ୱନ୍ଦ୍ୱରେ ଥିବା ଖେଳାଳିମାନେ ସାମିଲ ହୋଇପାରିବେ। ୨୦୧୬ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିଜେତା ହୋଇଥିଲା। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ୱପ୍ନ ଅଧୁରା ରହିଯାଇଛି। କିନ୍ତୁ ଆଇପିଏଲ୍‌ରେ ପ୍ରତିଟି ମ୍ୟାଚ୍‌ ମୁକୁଳା ରହୁଥିବାରୁ କୌଣସି ଦଳ ବିଜୟ ମୁକୁଟ ପିନ୍ଧିବାର ସୁଯୋଗ ପାଇପାରିବେ। ଏଥର ବଡ଼ ପରିସଂଖ୍ୟାନର ସଂଯୋଗ ହେଉଛି ୭ ଜଣ ଭାରତୀୟ ଅଧିନାୟକ ଏବଂ ୭ ଜଣ ବିଦେଶୀ ପ୍ରଶିକ୍ଷକଙ୍କ ପରୀକ୍ଷା ନେବ ଆଇପିଏଲ୍‌-୧୧। ଅଧିନାୟକମାନଙ୍କୁ ବି ଅନେକ କିଛି ପ୍ରମାଣ କରିବାର ଅଛି। ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏବଂ ବିରାଟ କୋହଲିଙ୍କଠାରୁ ଗୌତମ ଗମ୍ଭୀରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜରରେ ରହିବେ। ସେମାନଙ୍କ ଦଳ ବି କିଭଳି ପ୍ରଦର୍ଶନ କରିବ ସମୟ କହିବ। ମୁଁ କିନ୍ତୁ ଆରମ୍ଭ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହି ପାରୁନି।(ଟିସିଏମ୍‌)

ସମ୍ବନ୍ଧିତ ଖବର