ୟୁନିଲାଇଟ୍ କପ୍‌ ଫୁଟ୍‌ବଲ୍‌: ଡିଏମ୍ ଓ ୟୁନିଟ୍‌-୨ ବିଜୟୀ

ଭୁବ‌ନେଶ୍ବର: ସ୍ଥାନୀୟ ୟୁନିଟ-୬ ବାଳକ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍ କପ୍‌ ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ସୋମବାର ଡିଏମ୍ ପବ୍ଲିକ୍ ସ୍କୁଲ ଏବଂ ୟୁନିଟ-୨ ବାଳକ ଉଚ୍ଚ ବିଦ୍ୟାଳୟ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଡିଏମ୍‌ ସ୍କୁଲ୍‌ ୩-୦ ଗୋଲରେ ଟାଇମ୍ସ ଗୁରୁକୁଳକୁ ପରାସ୍ତ କରିଥିଲା। ଅମର ବିନାୟକ (୮, ୨୦ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିବାବେଳେ ଫ୍ରାଗିନସନ୍‌ ନାୟକ (୧୩ ମିନିଟ) ଗୋଟିଏ ଗୋଲ୍ ଦେଇଥିଲେ। ଫ୍ରାଗିନସନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ୟୁନିଟ୍‌-୨ ବାଳିକ ଉଚ୍ଚ ବିଦ୍ୟାଳୟ ମଧ୍ୟ ସମାନ ୩-୦ ଗୋଲ୍ ବ୍ୟବଧାନରେ ଆଇଆରସି ଭିଲେଜ୍‌ ହାଇସ୍କୁଲକୁ ପରାସ୍ତ କରିଥିଲା। ଆର୍ଯ୍ୟନ ଜେନା (୨୬), ବାପୁନ ମୁର୍ମୁ (୩୨ ମିନିଟ), ଆଶୁତୋଷ ମହାପାତ୍ର (୩୫ ମିନିଟ) ୩ ଗୋଲ ଦେଇଥି‌ଲେ। ଆଶୁତୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତୀୟ କନିଷ୍ଠ ଫୁଟବଲ୍‌ ଦଳର ପୂର୍ବତନ ଗୋଲରକ୍ଷକ ଭାରତୀ ମିଶ୍ର ଏବଂ ପୂର୍ବତନ ପୁଲିସ୍ ଅଧିକାରୀ ଅରବିନ୍ଦ ନାଥ ମିତ୍ର ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍ କମିସନର୍‌ ମହେଶ୍ବର ସିଂହଙ୍କ ତତ୍ବାବଧାନରେ ସରୋଜ ମହାରଣା, ଦୁର୍ଗା ଆଚାର୍ଯ୍ୟ, ସେଖାୱତ ଖାନ୍‌, କୀର୍ତି ସ୍ବାଇଁ, ରାଜେନ୍ଦ୍ର ବାରିକ, ଶ୍ରୀକାନ୍ତ ପଣ୍ଡା ମ୍ୟାଚ୍‌ ଦ୍ବୟକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର