ଭିଜି ଟ୍ରଫି କ୍ରିକେଟ୍‌ ଆରମ୍ଭ: ପୂର୍ବାଞ୍ଚଳକୁ ହରାଇ ଉତ୍ତରାଞ୍ଚଳ ଫାଇନାଲ୍‌ରେ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ଭିଜି ଟ୍ରଫି ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ମଙ୍ଗଳବାରଠୁ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ପୂର୍ବରୁ ଏହି ପ୍ରତିଯୋଗିତା ୩ ଦିନ ଧରି ଖେଳାଯାଉଥିଲା ବେଳେ ପ୍ରଥମ ଥର ଲାଗି ଚଳିତ ବର୍ଷ ସୀମିତ ଓଭର ବିଶିଷ୍ଟ ରହିଛି। ଏହି ପ୍ରତିଯୋଗିତାକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ। ପ୍ରଥମ ଥର ପାଇଁ ମଧ୍ୟ ଏହି ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଷ୍ଟାର୍‌ ସ୍ପୋର୍ଟସ୍‌ ଚ୍ୟାନେଲରେ ପ୍ରସାରଣ ହେବ।
ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ପୂର୍ବାଞ୍ଚଳ ଏବଂ ଉତ୍ତରାଞ୍ଚଳ ଦଳ ମଧ୍ୟରେ ଖେଳାଯାଇଥିଲା। ସେଥିରେ ୧୧୩ ରନ୍‌ର ବିଜୟ ସହ ଉତ୍ତରାଞ୍ଚଳ ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଟସ୍‌ ଜିତି ପୂର୍ବାଞ୍ଚଳ ଦଳ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ତେବେ ରୋହନ ମାରଓ୍ଵାହା (୧୦୫)ଙ୍କ ଶତକ ସହାୟତାରେ ଉତ୍ତରାଞ୍ଚଳ ନିର୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୮୧ ରନ୍‌ କରିଥିଲା। ପୂର୍ବାଞ୍ଚଳର ସଫଳ ବୋଲର ଭାବେ ଶୁଭମ୍‌ ଦାହିୟା ୩୭ ରନ୍‌ରେ ୪ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଏଚ୍‌ଏନ୍‌ ସିଂହ (୫୦)ଙ୍କ ଅର୍ଧଶତକ ସତ୍ତ୍ୱେ ପୂର୍ବାଞ୍ଚଳ ୩୫.୨ ଓଭରରେ ୧୬୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ଅଙ୍କିତ ୩ ଓ୍ଵିକେଟ୍‌ ପାଇଥିଲେ। ବିନିତ କୁଲ୍‌କର୍ଣ୍ଣି ଓ ସଦାଶିବ ଆୟର ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ପଙ୍କଜ ଧର୍ମାନୀ ରେଫରି ରହିଥିଲେ। ଏହି ମ୍ୟାଚ୍‌ରେ ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ ୫ ଜଣ ସ୍ଥାନ ପାଇଥିଲେ। ସେମାନେ ହେଲେ ରାଜେଶ ଧୂପର, ପ୍ରତୀକ ଅନୁରାଗ ଦାଶ, ପ୍ରଭୂପ୍ରସାଦ ସମାନ୍ତରାୟ ଓ କାର୍ତିକ ବିଶ୍ୱାଳ (ସମସ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟ) ଏବଂ ଲୋହିତ ମହାନ୍ତି (କିଟ୍‌ ବିଶ୍ୱବିଦ୍ୟାଳୟ)। ବୁଧବାର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍‌ ମୁକାବିଲା ହେବ।

ସମ୍ବନ୍ଧିତ ଖବର