‘ଚିକୁ’ ନାମର ରହସ୍ୟ ଖୋଲିଲେ କୋହଲି

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳୁଥିବା ବେଳେ ବିରାଟ କୋହଲିଙ୍କ ନାମ ‘ଚିକୁ’ ଦିଆଯାଇଥିଲା। ଏବେ ଏହି ନାମର ରହସ୍ୟ ଉପରୁ ପରଦା‌ ଉଠାଇଛନ୍ତି କୋହଲି। ୨୦୦୭ ମସିହାରେ ଯେତେବେଳେ ତାଙ୍କର ଚୁଟି ଝଡ଼ିବାରେ ଲାଗିଥିଲା, ସେଥିପାଇଁ‌ ସେ ତାଙ୍କ ଚୁଟିକୁ ବହୁତ ଛୋଟଛୋଟ କରି କାଟିଥିଲେ। ତେବେ ତାଙ୍କର ବଡ଼ କାନ ଓ ବଡ଼ ଗାଲ ରହିଥିଲା। ଯେଉଁଥିପାଇଁ ସେ ଜୋକର ଭଳି ଦେଖା‌ଯାଉଥ‌ିଲେ। ଏହି ସମୟରେ ଏକ କମିକ୍‌ ବହି ‘ଚମ୍ପକ’ ବହୁତ ଚର୍ଚ୍ଚାରେ ଥିଲା। ସେଥିରେ ମୁଖ୍ୟ ନାୟକ ଥିଲା ଏକ ଠେକୁଆ। ଯାହାର ନାମ ଥିଲା ଚିକୁ। ତେଣୁ ଏହାକୁ ଆଧାରକରି ତତ୍କାଳୀନ ପ୍ରଶିକ୍ଷକ ତାଙ୍କୁ ଚିକୁ ଡାକିବା ଆରମ୍ଭ କରିଥିବା କୋହଲି ସ୍ପଷ୍ଟ କରିଛନ୍ତି। କେଭିନ୍‌ ପିଟରସନ୍‌ଙ୍କ ସହିତ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ବାର୍ତ୍ତାଳାପ ସମୟରେ ତାଙ୍କର ଡାକନାମ ‘ଚିକୁ’ ବିଷୟରେ କୋହଲି ଏହି ଖୁଲାସା କରିଛନ୍ତି।

ତେବେ ତାଙ୍କର ଏହି ନାମକୁ ମହେନ୍ଦ୍ର ସିଂହ ଧୋନି ଅଧିକ ପ୍ରସିଦ୍ଧ କରାଇଥିଲେ। ଷ୍ଟମ୍ପ ମାଇକ୍‌ରେ ଧୋନି ସବୁବେଳେ କୋହଲିଙ୍କୁ ଚିକୁ ନାମରେ ଡାକୁଥିବା ଜଣାପଡ଼ିବାରୁ ସମସ୍ତେ ତାଙ୍କୁ ଏହି ନାମରେ ଡାକିବା ଆରମ୍ଭ କରିଦେଇଥିଲେ। ଏବେ କେହି ତାଙ୍କୁ ବିରାଟ ନାମରେ ଡାକୁନାହାନ୍ତି। ଭାରତରେ ଛୋଟପିଲାମାନଙ୍କ କ୍ଷେତ୍ରରେ ଚିକୁ ନାମ ଅଧିକ ବ୍ୟବହାର ହୋଇଥାଏ। ‌ତେବେ ଏହି ନାମ ତାଙ୍କ କ୍ଷେତ୍ରରେ ଅଧିକ ପ୍ରସିଦ୍ଧ ହୋଇଯାଇଥିବାରୁ, ଯେତେବେଳେ ବାହାରକୁ ଯାଇଥାନ୍ତି, ସେଠାରେ ଲୋକମ‌ାନେ ତାଙ୍କୁ ‘ଓଏ ଚିକୁ ଓଏ ଚିକୁ’ କହି ଡାକିଥାନ୍ତି ବୋଲି କୋହଲି ଏହି ବାର୍ତ୍ତାଳାପ ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର