ଇଣ୍ଡିଜ୍ ୩୦୬ରେ ଆଉଟ୍‌

ଆଣ୍ଟିଗୁଆ: ସ୍ଥାନୀୟ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୧୧୯ ରନ୍ ଅଗ୍ରଣୀ ପାଇଛି। ଡାରେନ୍ ବ୍ରାଭୋଙ୍କ ଏକମାତ୍ର ଅର୍ଧଶତକ ‌ସତ୍ତ୍ବେ ଘରୋଇ ଦଳ ୩୦୦ ରନ୍ ଟପି ପାରିଛି। ଜବାବରେ ଇଂଲଣ୍ଡ ଦ୍ବିତୀୟ ପାଳିରେ ତୃତୀୟ ଦିନ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ବିନା କ୍ଷତିରେ ୯ ରନ୍ କରିଥିଲା। ଦ୍ବିତୀୟ ଦିବସରେ ମନ୍ଥର ଖେଳି ୯୦ ଓଭରରୁ ୨୪୦ ରନ୍ ଯୋଡ଼ିଥିବା ୱେଷ୍ଟଇଣ୍ଡିଜ୍‌ ଶନିବାର ୨୭୨/୬ରୁ ଖେଳି ମାତ୍ର ୩୪ ରନ୍ ଯୋଡ଼ି ପାରିଥିଲା। ଜେମ୍ସ ଆଣ୍ଡରସନ୍ ପ୍ରଥମ ୨ ୱିକେଟ୍ ନେବା ପରେ ଇଣ୍ଡିଜ୍‌ର ବଡ଼ ଅଗ୍ରଣୀ ଆଶା ମଉଳିଯାଇଥିଲା। ତଥାପି ଦଳ ୧୧୯ ରନ୍‌ ଅଗ୍ରଣୀ ସହ ପାଳି ଶେଷ କରିଥିଲା। ଦଳର ପ୍ରଥମ ୩ ଜଣ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଡାରେନ୍ ବ୍ରାଭୋ (୫୦, ୨୧୬ ବଲ୍‌, ୨ ଚୌକା, ୧ ଛକା) ଏହି ବ୍ୟକ୍ତିଗତ ଲକ୍ଷ୍ୟରେ ସଫଳ ହୋଇଥିଲେ। ଶେଷ ଖେଳାଳି ଭାବେ ତାଙ୍କୁ ମୋଇନ୍ ଅଲୀ ଷ୍ଟମ୍ପ୍‌ କରାଇନେଇଥିଲେ। ଘରୋଇ ଦଳର ଶେଷ ୪ ୱିକେଟ୍‌ ମାତ୍ର ୨୫ ରନ୍‌ ଭିତରେ ଝଡ଼ି ପଡ଼ିଥିଲା। ଇଂଲଣ୍ଡ ପକ୍ଷରୁ ‌ବ୍ରଡ୍‌-ମୋଇନ ୩-୩ ଏବଂ ଷ୍ଟୋକ୍ସ-ଆଣ୍ଡରସନ୍‌ ୨-୨ ୱିକେଟ୍‌ ବାଣ୍ଟି ନେଇଥିଲେ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍ ହାରି ଇଂଲଣ୍ଡ ୦-୧ରେ ପଛୁଆ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୮୭ (ମୋଇନ୍ ଅଲୀ-୬୦, ଜନି‌ ବେୟାରଷ୍ଟୋ-୫୧, କେମାର ରୋଚ୍‌-୪/୩୦, ସାନନ୍ ଗାବ୍ରିଏଲ୍‌-୩/୪୫, ଆଲଜାରି ଯୋସେଫ-୨/୩୮, ଜାସନ୍ ହୋଲ୍‌ଡର-୧/୪୩)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୩୧ ଓଭରରେ ୩୦୬ (ଡାରେନ୍ ବ୍ରାଭୋ-୫୦, କ୍ରେଗ୍ ବ୍ରାଥ୍‌ୱେଟ୍‌-୪୯, ଜନ୍ କ୍ୟମ୍ପ୍‌ବେଲ୍‌-୪୭, ସାଇ ହୋପ୍‌-୪୪, ଷ୍ଟୁଆର୍ଟ ବ୍ରଡ୍‌-୩/୫୩, ମୋଇନ୍ ଅଲୀ-୩/୬୨, ବେନ୍‌ ଷ୍ଟୋକ୍ସ-୨/୫୮, ଜେମ୍ସ ଆଣ୍ଡରସନ୍‌-୨/୭୩)। ଇଂଲଣ୍ଡ୍ ଦ୍ବିତୀୟ ପାଳି: ୪ ଓଭରରେ ୯/୦ (ରୋରି ବର୍ନସ-୪*, ଜୋ ଡେନଲି-୦*)।

ସମ୍ବନ୍ଧିତ ଖବର