କିଏ ମହାନ ?ରୋନାଲ୍‌ଡୋ ମେସି:ପରବର୍ତୀ ପାଞ୍ଚ

ନୂଆଦିଲ୍ଲୀ, : ଏ ପିଢ଼ିର କିଏ ସବୁଠୁ ଶ୍ରେଷ୍ଠ ଫୁଟ୍‌ବଲର୍‌ ତାହା ବିତର୍କ ଭିତରେ ରହିଛି। କିନ୍ତୁ ଚଳିତ ବିଶ୍ୱକପ୍‌ର ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ଲିଓନେଲ୍‌ ମେସିଙ୍କ ମଧ୍ୟରୁ କିଏ ଉନ୍ନତ ଖେଳାଳି ଏବେ ଚର୍ଚାକୁ ଆସିଛି। କିନ୍ତୁ ରୁଷିଆ ବିଶ୍ୱକପ୍‌ ମଇଦାନର ପ୍ରଥମ ରାଉଣ୍ଡ୍‌ ଶେଷରେ ଉଭୟଙ୍କ ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡ୍‌ରେ ପର୍ତୁଗାଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ବିଜେତା ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ୟକ୍ତିଗତ ହ୍ୟାଟ୍ରିକ୍‌ ସହିତ ଏହି ମହାନ ଖେଳାଳି ଆଗକୁ ବଢ଼ିଛନ୍ତି। ଶକ୍ତିଶାଳୀ ସ୍ପେନ୍‌ ବିପକ୍ଷରେ ଏକାକୀ ହିଁ ଦଳକୁ ପରାଜୟରୁ ରକ୍ଷା କରି ପଏଣ୍ଟ୍‌ ଛଡ଼ାଇଛନ୍ତି। ଅନ୍ୟପକ୍ଷରେ ଆଇସଲାଣ୍ଡ୍‌ ଭଳି ଦୁର୍ବଳ ତଥା ଅନଭିଜ୍ଞ ଦଳ ବିପକ୍ଷରେ ଗୋଲ୍‌ ଦେଇ ନ ପାରିବା ଆର୍ଜେଣ୍ଟିନା ମହାନ ଲିଓନେଲ୍‌ ମେସିଙ୍କ ଖ୍ୟାତିକୁ ଶକ୍ତ ଝଟ୍‌କା ଭଳି ହୋଇଛି। ଗୋଲ୍‌ ଦେଇ ନପାରିବା ବଡ଼ କଥା ନୁହେଁ, ପେନାଲ୍‌ଟି ମିସ୍‌ କରିବା ତାଙ୍କ ମୁଣ୍ଡକୁ ତଳକୁ କରି ଦେଇଥିଲା। ଗୋଲ୍‌ ସମ୍ମୁଖରେ ତାଙ୍କ ୧୦ ପ୍ରୟାସ ଥିଲା। ଏହି ତୁଳନାରେ କିନ୍ତୁ ଗୋଟିଏ ପେନାଲ୍‌ଟି ମିସ୍‌ ହିଁ ତାଙ୍କୁ ବର୍ତମାନ ଶ୍ରେଷ୍ଠ ସମୟରେ ନଥିବାର ସଙ୍କେତ ଦେଇଛି। ଅନ୍ୟପକ୍ଷରେ ପେନାଲ୍‌ଟିରୁ ସଫଳ ଅଭିଯାନ ଆରମ୍ଭ କରିଥିବା ରୋନାଲଡୋଙ୍କ ହ୍ୟାଟ୍ରିକରେ ଥିବା ଫ୍ରି କିକ୍‌ ଗୋଲ୍‌ ସମସ୍ତଙ୍କ ହୃଦୟ ଜିତିଛି। ବଲ୍‌ କାନ୍ଥ ଉଚାଠାରୁ ଉପରକୁ ଯାଇ ତଳକୁ ଖସି ଗୋଲ୍‌ ହୋଇଥିଲା। ଏବେ ଫୁଟ୍‌ବଲ୍‌ର ସୁପର୍‌ଷ୍ଟାର୍‌ କିଏ ତାହା ନିଶ୍ଚିତ ଚଳିତ ବିଶ୍ୱକପ୍‌ କହିବ। ଗଣମାଧ୍ୟମରେ କିନ୍ତୁ ଏହାକୁ GOAT (ଗ୍ରେଟେଣ୍ଡ୍‌ ଅଫ୍‌ ଅଲ୍‌ ଟାଇମ୍‌ ଅବା ସର୍ବକାଳୀନ ମହାନ) ନାମରେ ସାଙ୍କେତିକ ବ୍ୟବହାର କରୁଛି। ଲିଓନେଲ୍‌ ମେସି ଏକ ଛେଳିକୁ ଧରିବା ଫଟୋ ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଆମ୍ପୁଡ଼ା ମୁହଁର ଦୃଶ୍ୟକୁ ଛେଳି ଭାବେ ତୁଳନା କରାଯାଇଛି। ରୋନାଲ୍‌ଡୋ ଶୁକ୍ରବାର ନିଜର ଷଷ୍ଠ ଅନ୍ତର୍ଜାତୀୟ ହ୍ୟାଟ୍ରିକ୍‌ ଏବଂ କ୍ଲବ୍‌ ତଥା ଦେଶ ପାଇଁ ମିଳିତ ଭାବେ ୫୧ତମ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ୪ଟି ବିଶ୍ୱକପ୍‌ରେ ଗୋଲ୍‌ ଦେବାରେ ସେ ବ୍ରାଜିଲ୍‌ର ପେଲେ, ପଶ୍ଚିମ ଜର୍ମାନିର ଉଏ ସିଲର୍‌ ଏବଂ ଜର୍ମାନିର ମିରୋସ୍ଲାଭ କ୍ଲୋଜାଙ୍କ ସମକକ୍ଷ ହୋଇଛନ୍ତି। ୩୩ ବର୍ଷୀୟ ଏହି ଷ୍ଟ୍ରାଇକର୍‌ ମଧ୍ୟ ସବୁଠୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ୍‌ କରିଛନ୍ତି। ପୂର୍ବରୁ ଏହି କୀର୍ତିମାନ ନେଦରଲାଣ୍ଡ୍‌ର ରବ୍‌ ରେନ୍‌ସେନ୍‌ବ୍ରିଙ୍କ୍‌ଙ୍କ ନାମରେ ଥିଲା। ୧୯୭୮ ମସିହାରେ ଇରାନ୍‌ ବିପକ୍ଷରେ ସେ ୩୦ ବର୍ଷ ବୟସରେ ହ୍ୟାଟ୍ରିକ୍‌ କରିଥିଲେ।
ବିଗତ ୧୦ ବର୍ଷ ଧରି ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏକାଧିକ ମୁକୁଟ ବିଜେତା ହୋଇଛନ୍ତି। ଫିଫାର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହ ବାଲନ୍‌ ଡି’ଓର ସମ୍ମାନ ପାଇଛନ୍ତି। କିନ୍ତୁ ଏହି ଯୋଡ଼ିଙ୍କ ପ୍ରାଧାନ୍ୟର ଗୋଟିଏ ଦଶନ୍ଧି ପରେ କିଏ ପରବର୍ତୀ ମହାନାୟକ ହେବେ ଦେଖିବାର ଅଛି। ନିମ୍ନରେ ଏଭଳି ୫ ଜଣ ଖେଳାଳିଙ୍କୁ ଉପସ୍ଥାପିତ କରୁଛୁ ଯେଉଁମାନେ ଏମାନଙ୍କ ପଦାଙ୍କ ଅନୁସରଣ କରିପାରନ୍ତି।
ଯୁବରାଜ: ନେମାର (ବ୍ରାଜିଲ୍‌)
ଏହି ଆକ୍ରମଣାତ୍ମକ ତଥା ଆକର୍ଷଣୀୟ ଖେଳାଳି ଯେତେବେଳ ଗତ ଋତୁରେ ବାର୍ସିଲୋନାରୁ ସର୍ବକାଳୀନ ରାଶିରେ ପିଏସ୍‌ଜି (ପ୍ୟାରିସ୍‌ ସେଣ୍ଟ୍‌ ଜର୍ମାନ) ଗଲେ ଚର୍ଚା ଜୋର୍‌ ଧରିଥିଲା। ଉଭୟ ମେସି ଏବଂ ରୋନାଲ୍‌ଡୋଙ୍କ ଭଳି ନେମାର ବି ଆଗକୁ ବଢ଼ିପାରନ୍ତି। ଶକ୍ତିଶାଳୀ ଡ୍ରିବଲିଂ, ଚତୁର ପଦ ଚାଳନା, ଚମତ୍କାର ଫିନିସିଂ କରିଥାନ୍ତି। ଆହତ କାରଣରୁ ସେ ୨୦୧୪ ବିଶ୍ୱକପ୍‌ରେ ଜର୍ମାନି ବିପକ୍ଷ ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ କିନ୍ତୁ ୨ ବର୍ଷ ପରେ ରିଓରେ ଦେଶକୁ ସର୍ବପ୍ରଥମ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କରାଇଥିଲେ।
ତାରକା ବିନ୍ଧାଣୀ: ମହମ୍ମଦ ସଲାହ (ଇଜିପ୍ଟ)
୨୦୧୭ ମସିହା ଜୁନରେ ରୋମାରୁ ସେ ଲିଭରପୁଲ୍‌ ଆସିବାବେଳେ ତାଙ୍କୁ ଭଲ ଖେଳାଳି କୁହାଯାଉଥିଲେ ମଧ୍ୟ ସେଭଳି ପ୍ରଭାବୀ ଓ୍ଵିଙ୍ଗର୍‌ ଭାବେ ଗଣାଯାଉନଥିଲା। କିନ୍ତୁ ଜର୍ଜେନ୍‌ କ୍ଲପ୍‌ଙ୍କ ପଦ୍ଧତିର ଖେଳ ଅଧିନକୁ ଆସିବା ପରେ ସେ ଅସମ୍ଭବ ଫିନିସିଂ ଦକ୍ଷତା ରଖିଛନ୍ତି । ଯାହାକି ତାଙ୍କୁ ଅନେକ ଖ୍ୟାତି ଦେଇଛି। ଗତ ଋତୁରେ ସେ ପ୍ରିମିୟର୍‌ ଲିଗ୍‌ର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ବି ହୋଇଥିଲେ। ଇଜିପ୍ଟକୁ ୨୮ବର୍ଷ ପରେ ବିଶ୍ୱକପ୍‌ ଯୋଗ୍ୟତା ଦେବାରେ ତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି। ୟୁଫା ଚାମ୍ପିଅନ୍‌ସ ଲିଗ୍‌ ଫାଇନାଲ୍‌ରେ ଆହତ ହେବାରୁ ଏବେ ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରୁ ସେ ବଞ୍ଚିତ ହୋଇଛନ୍ତି। କିନ୍ତୁ ଅବଶିଷ୍ଟ ଭାଗରେ ଖେଳିବା ସୁଯୋଗ ପାଇଲେ ସେ ଫିଫାର ଶ୍ରେଷ୍ଠ ପୁରୁଷ ଖେଳାଳି ମୁକୁଟର ଦାବିଦାର ରହିବେ।
ସହାୟକ ରାଜା: କେଭିନ୍‌ ଡି ବ୍ରୁଇନ୍‌ (ବେଲଜିୟମ୍‌)
ନିଜ ସମସାମୟିକ ଖେଳାଳିଙ୍କ ମଧ୍ୟରେ ନିଆରା ଖେଳ ଶୈଳୀ ରଖିଥିବା କେଭିନ୍‌ ଡି ବ୍ରୁଇନ୍‌ଙ୍କୁ ବିଶ୍ୱର ସଂକ୍ଷିପ୍ତ ଶ୍ରେଷ୍ଠ ଖେଳାଳିି ତାଲିକାରେ ସ୍ଥାନ ମିଳିବାରୋ କିଛି ଅସୁବିଧା ନାହିଁ। କିନ୍ତୁ ନିକଟ ଅତୀତରେ ମାଞ୍ଚେଷ୍ଟର୍‌ ସିଟି ଏବଂ ବେଲ୍‌ଜିୟମ୍‌ ପାଇଁ ଅଧିକାଂଶ ମ୍ୟାଚ୍‌ରେ ଗୋଲ୍‌ରେ ସହାୟକ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ନିଜ ଦଳର ଖେଳାଳିଙ୍କ ପାଇଁ ଅସଂଖ୍ୟ ଗୋଲ୍‌ ସୁଯୋଗ ସୃଷ୍ଟି କରି ବିଶ୍ୱ ଫୁଟ୍‌ବଲର ସ୍ତରକୁ ଉପରକୁ ନେଇଛନ୍ତି। କଳାଘୋଡ଼ାର ମର୍ଯ୍ୟଦା ନେଇ ଆସିଥିବା ବେଲ୍‌ଜିୟମ୍‌ ଯଦି ଏହାକୁ ଯଥାର୍ଥ ସାବ୍ୟସ୍ତ କରିପାରିବ ତେବେ ଡି ବ୍ରୁଇନଙ୍କ ନାମ ନିଶ୍ଚିତ ଫିଫାର ଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଯିବ।
ବୁଝାମଣା ବିଜ୍ଞ: ହ୍ୟାରି କେନ୍‌ (ଇଂଲଣ୍ଡ)
ଆଲାନ୍‌ ସିୟରର୍‌ଙ୍କ ପରେ ହ୍ୟାରି କେନ୍‌ଙ୍କୁ ଇଂଲଣ୍ଡର ବିଶ୍ୱଶ୍ରେଣୀୟ ଷ୍ଟ୍ରାଇକର୍‌ ବିବେଚନା କରାଯାଉଛି। ସିୟରର୍‌ ୧୯୯୬ରେ ଫିଫା ଶ୍ରେଷ୍ଠ ଖେଳାଳି ଭୋଟିଂରେ ତୃତୀୟ ସ୍ଥାନ ପାଇଥିଲେ। ୨୪ ବର୍ଷୀୟ ହ୍ୟାରି କେନ୍‌ଙ୍କ ଚରିତ୍ର, କଠିନ ପରିଶ୍ରମ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଚି। ଉନ୍ନତ ହେଡିଂ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଇଂଲଣ୍ଡ ପ୍ରଶିକ୍ଷକ ଗ୍ୟାରେଥ୍‌ ସାଉଥ୍‌ଗେଟ୍‌ ତାଙ୍କୁ ରୁଷିଆ ବିଶ୍ୱକପ୍‌ ଆଣିଛନ୍ତି ଅଧିନାୟକ ବ୍ୟାଚ୍‌ ପିନ୍ଧାଇ। ନେମାରଙ୍କ ଭଳି ତାଙ୍କୁ ମଧ୍ୟ ସର୍ବାଧିକ ମୂଲ୍ୟରେ ଟ୍ରାନ୍ସଫର୍‌ ସୁଯୋଗ ମିଳିବା ସମ୍ଭାବନା ରହିଛି।
ଯୁବ ପ୍ରତିଭା: କାଏଲିଆନ୍‌ ମ୍ୟାବାପ୍‌ (ଫ୍ରାନ୍‌ସ)
ବୟସ ମାତ୍ର ୧୯ ବର୍ଷ। କିନ୍ତୁ ଫିଫାର ଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ କାଏଲିଆନ ମ୍ୟାବାପ୍‌ଙ୍କ ନାମ ସାମିଲ ହୋଇସାରିଲାଣି। ଏବେ ସେ ସର୍ବକନିଷ୍ଠ ଭାବେ ରହିଛନ୍ତି। ୨୦୧୮ ରୁଷିଆ ବିଶ୍ୱକପ୍‌ରେ ମ୍ୟାବାପ୍‌ ଜଣେ ଦେଖିବା ଭଳି ଯୁବ ଖେଳାଳି। ସ୍ୱଳ୍ପ ବୟସରେ ଥିଲେ ମଧ୍ୟ ଜଣେ ପରିପକ୍ୱ ଗୋଲ୍‌ ସ୍କୋରର୍‌ ଭାବେ ମୋନାକୋ ପାଇଁ ଲିଗ୍‌ ୧ ଓ ୟୁଫା ଚାମ୍ପିଅନ୍‌ସ ଲିଗ୍‌ରେ ନିଜକୁ ପ୍ରମାଣିତ କରିଛନ୍ତି। ଏବେ ଏହି ସୁନ୍ଦର ଖେଳରେ ସେ ପିଏସ୍‌ଜି (ପ୍ୟାରିସ୍‌ ସେଣ୍ଟ୍‌ ଜର୍ମାନ୍‌)ରେ ପଦାର୍ପଣ କରି ଶୀର୍ଷରେ ପହଞ୍ଚିବା ଆଶାରେ ଅଛନ୍ତି।

ସମ୍ବନ୍ଧିତ ଖବର