ସୁନୀଲ ଗାଭାସ୍କର: ବ୍ରାଭୋଙ୍କୁ ବ୍ୟବହାର କରାନଯିବା ବୁଝି ହେଲାନି

ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ଉତ୍ତେଜକ ବିଜୟ ପରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପ୍ଲେ ଅଫ୍‌ରେ ଗୋଟିଏ ପାଦ ରଖିଦେବା ଭଳି ମନେ ହେଉଛି। ଦଳକୁ ଏଣିକି ଆଉ ଗୋଟିଏ ବି ପରାଜୟ ହଜମ ହେବ ନାହିଁ। ସେମାନଙ୍କ ଦକ୍ଷିଣୀ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ବିପକ୍ଷ ମୁକାବିଲାକୁ ମଧ୍ୟ ଜିତିବାକୁ ହେବ ଶନିବାର। କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଚେନ୍ନାଇ ଆସିଛି। ଏହି ମ୍ୟାଚ୍‌ର ଅଧା ସ୍ଥିତିରେ ସେମାନେ ୯୦ ରନ୍‌ କରିଥିଲେ ମଧ୍ୟ ସମ୍ଭାବ୍ୟ ୨୦୦ ରନ୍‌ରେ ପହଞ୍ଚି ପାରିନଥିଲେ। ଚେନ୍ନାଇର ୧୭୭ ରନ୍‌କୁ କେକେଆର୍‌ ୨ ଓଭର ପୂର୍ବରୁ ପଛରେ ପକାଇ ଦେଇଥିଲା। କେକେଆର୍‌ ଯେଭଳି ବ୍ୟାଟିଂ କଲା ଲାଗିଲା ୨୦୦ ରନ୍‌ ମଧ୍ୟ ଏଠାରେ ସୁରକ୍ଷିତ ସ୍କୋର୍‌ ନୁହେଁ। ଅବଶ୍ୟ ୨୦୦ ପାଖାପାଖି ବିଜୟ ଲକ୍ଷ୍ୟ ଥିଲେ ପ୍ରତିପକ୍ଷ ଦଳ ଉପରେ ଭଲ ଆରମ୍ଭ କରିବାର ଚାପ ରହିଥାଏ। ଓଭର ପିଛା ୧୦ ହାରରେ ରନ୍‌ ସଂଗ୍ରହ କରିବାକୁ ପଡ଼ିଥାଏ। ପ୍ରଥମରୁ ଗୋଟିଏ ଦୁଇଟି ଓ୍ଵିକେଟ୍‌ ବାହାରିଗଲେ ପଶ୍ଚାତଧାବନ କରୁଥିବା ଦଳ ଉପରେ ଚାପ ବଢ଼ିଯାଇଥାଏ।

ମହେନ୍ଦ୍ର ସିଂହ ଧୋନି ଶନିବାର ମ୍ୟାଚ୍‌ ପାଇଁ ଫାପ୍‌ ଡୁ ପ୍ଲେସିସ୍‌ଙ୍କୁ ଶୀର୍ଷକ୍ରମରେ ପଠାଇବା କୌଶଳ ଉପରେ ପୁନଃ ନଜର ପକାଇବାକୁ ହେବ। ଡୁ ପ୍ଲେସିସ୍‌ ଉପରେ ଖେଳିଲେ ଲୟରେ ଥିବା ତଥା ଗୋଲାପୀ ଟୋପୀଧାରୀ ଅମ୍ବାତି ରାୟୁଡୁଙ୍କୁ ଅଳ୍ପ ଓଭର ବ୍ୟାଟିଂ କରିବାର ସୁଯୋଗ ମିଳୁଛି। ଫାପ୍‌ ମଧ୍ୟ ବଡ଼ ସଟ୍‌ ଖେଳିବାକୁ ସମୟ ନେଉଛନ୍ତି। ସେହିଭଳି କେକେଆର୍‌ ବିପକ୍ଷରେ ଇଡେନ୍‌ରେ ଡ୍ଵାନ୍‌ ବ୍ରାଭୋଙ୍କୁ ବ୍ୟବହାର କରାନଯିବା ବୁଝି ହେଲା ନାହିଁ। ଏହି ତି୍ରନିଦାଦ ଖେଳାଳି ଏବେ ବ୍ୟାଟ୍‌ ଓ ବଲ୍‌ରେ ଭଲ କରୁଛନ୍ତି। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଦେଜା ସଂଘର୍ଷ କରିବା ସହିତ ସୁନିଲ ନରିନଙ୍କ କ୍ୟାଚ୍‌କୁ ଦୁଇ ଦୁଇ ଥର ହାତଛଡ଼ା କରିଥିଲେ।

ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ନିଶ୍ଚିତ ଆଶା କରିବ ଏବି ଡି’ଭିଲିୟର୍ସ ସୁସ୍ଥ ହୋଇ ଏହି ମ୍ୟାଚ୍‌ ଖେଳନ୍ତୁ। କାରଣ ସେ ମ୍ୟାଚ୍‌କୁ ମୋଡ଼ିଦେବାର ଦକ୍ଷତା ରଖନ୍ତି। ପ୍ରାରମ୍ଭିକ ଖେଳାଳି କ୍ୱିଣ୍ଟନ୍‌ ଡି’କକ୍‌ ଏବଂ ବ୍ରେଣ୍ଡନ୍‌ ମ୍ୟାକ୍‌ଲମ୍‌ ଏବେ ଏବେ ଲୟକୁ ଫେରିବା ବୋଲରଙ୍କ ପାଇଁ ଭଲ ଖବର ନୁହେଁ। ଏହା ପରେ ଦୁଇ ନିରଙ୍କୁଶ ବ୍ୟାଟ୍‌ସମ୍ୟାନ୍‌ ବିରାଟ କୋହଲି ଓ ଏବି ଡି’ଭିଲିୟର୍ସଙ୍କ ପାଳି ପଡୁଛି। ଦକ୍ଷିଣ ଡର୍ବିରେ ସବୁବେଳେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହୋଇଥାଏ, ଶନିବାର ମୁକାବିଲା ଏଭଳି ପ୍ରତିଶ୍ରୁତିଠାରୁ କିଛି ଭିନ୍ନ ହେବା ଭଳି ଲାଗୁନାହିଁ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର