ଭୁବନେଶ୍ୱର ପ୍ରତିଯୋଗୀଙ୍କ ବାଜିମାତ୍‌

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ

ବ୍ରହ୍ମପୁର: ଖଲ୍ଲିକୋଟ କଳେଜ ଖେଳ ପଡ଼ିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ର‍୍ୟାଙ୍କିଂ ବ୍ୟାଡମିଣ୍ଟନର ୧୫ବର୍ଷରୁ କମ୍‌ ବାଳକ ଏକକ ବର୍ଗ, ଯୁଗଳ ବର୍ଗ ଓ ବରିଷ୍ଠ ପୁରୁଷ୍‌ ବର୍ଗରେ ଭୁବନେଶ୍ୱର ପ୍ରତିଯୋଗୀଙ୍କ ବାଜିମାତ୍‌ ହୋଇଛି। ସେହିପରି ୧୭ବର୍ଷରୁ କମ୍‌ ସମସ୍ତ ପ୍ରତିଯୋଗିତାରେ ଗାଂଜମ ପ୍ରତିଯୋଗୀ ବିଜେତା ହୋଇଛନ୍ତି। କେବଳ ୧୫ବର୍ଷରୁ କମ୍‌ ବାଳିକା ଏକକ ବର୍ଗରେ କଟକର ଶ୍ରୁତି ସ୍ୱାଇଁ ସମ୍ବଲପୁରର ଶ୍ରିୟା ବିଶ୍ୱାଳଙ୍କୁ ୨-୦ସେଟ୍‌ ପଏଣ୍ଟ(୧୫-୧୨, ୧୫-୧୩)ରେ ପରାସ୍ତ କରି ବିଜେତା ହୋଇଥିଲେ। ୧୫ବର୍ଷରୁ କମ୍‌ ବାଳକ ଏକକ ବର୍ଗର ଫାଇନାଲ ଭୁବନେଶ୍ୱରର ଅମ୍ରିତ୍‌ ମହାନ୍ତି ବିଜେତା ହୋଇଛନ୍ତି। ସେ ଫାଇନାଲ ମୁକାବିଲାରେ ପ୍ରିୟାଂଶୁ ମହାନ୍ତିଙ୍କୁ ୨-୦ସେଟ୍‌(୧୫-୧୪,୧୫-୮) ପଏଣ୍ଟରେ ପରାସ୍ତ କରିଥିଲେ। ଯୁଗଳ ବର୍ଗରେ ଭୁବନେଶ୍ୱରର ପ୍ରିୟାଂଶୁ ମହାନ୍ତି ଓ ୟଶରାଜ ଯୋଡ଼ି ୨-୦ ସେଟ୍‌(୧୫-୧୨, ୧୫-୯) ପଏଣ୍ଟରେ ଅମ୍ରିତ୍‌ କର ଓ ସିଦ୍ଧାର୍ଥ ପଟେଲଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ବରିଷ୍ଠ ପୁରୁଷ ଯୁଗଳ ବର୍ଗ ଫାଇନାଲରେ ଭୁବନେଶ୍ୱରର ଚିତ୍ତରଂଜନ ଶତପଥୀ ଓ ଅଗ୍ନିରିଶି ରାୟଙ୍କ ଯୋଡ଼ି ୨-୦ (୧୫-୧୨, ୧୫-୧୩)ରେ ରଂଗିତ୍‌ କୁମାର ବାଣ୍ଠ-ସୁଶାନ୍ତ ରାଉତଙ୍କୁ ହରାଇ ବିଜେତା ହୋଇଥିଲେ। ୧୭ବର୍ଷରୁ କମ୍‌ ଉଭୟ ବାଳକ ଓ ବାଳିକା ଏକକ ବର୍ଗର ଫାଇନାଲ ମୁକାବିଲା ଗଂଜାମର ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ହୋଇଥିଲା। ଅନେ୍ଵଷ ପଟ୍ଟନାୟକ ୨-୦ ସେଟ୍‌ (୧୫-୬, ୧୫-୧୨)ପଏଣ୍ଟରେ ଚନ୍ଦନ ପାଣିଗ୍ରାହୀଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ବାଳିକା ବର୍ଗରେ ଶ୍ରେୟା ଗନ୍ତାୟତ ୨୧-୧୭ପଏଣ୍ଟରେ ପ୍ରିୟା କୁମାରୀଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର