ତିତ୍‌ଲି କ୍ଷତିଗ୍ରସ୍ତ ୧୩ ହଜାର ପରିବାରକୁ ମିଳିବ ବିଜୁ ପକ୍କା ଘର : ଖର୍ଚ୍ଚ ହେବ ୧୭୬ କୋଟି ଟଙ୍କା

ଭୁବନେଶ୍ବର : ଗତ ଅକ୍ଟୋବର ୧୧ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିବା ସାମୁଦ୍ରିକ ଝଡ଼ ‘ତିତ୍‌ଲି’ରେ ୧୧ଟି ଜିଲ୍ଲାରେ ୧୩ ହଜାର ପରିବାରର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଏହି ସମସ୍ତ ପରିବାରକୁ ବିଜୁ ପକ୍କା ଘର ‌ମିଳିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ୧୭୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଗୃହ ନିର୍ମାଣ କାର୍ଯ୍ୟକୁ ତ୍ବରିତ ବେଗରେ ସମ୍ପୂର୍ଣ୍ଣ କରିବା ଓ ଏହି କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା କରିବା ପାଇଁ ସମସ୍ତ ୱାର୍କ ଅର୍ଡର୍‌ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ବ୍ଲକ୍ ସ୍ତରରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନି‌େର୍ଦ୍ଦଶ ଦେଇଛନ୍ତି। ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ବିଜୁ ପକ୍କା ଘର ପାଇଁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ଘରୋଇ ବ୍ୟବସାୟୀଙ୍କ ସହିତ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଦାୟିତ୍ବ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଘରଗୁଡ଼ିକର ନିର୍ମାଣ ସାମଗ୍ରୀ ପ୍ରସ୍ତୁତି, ମିସ୍ତ୍ରୀ ପ୍ରଶିକ୍ଷଣ, କ୍ଷତିଗ୍ରସ୍ତ ଲୋକଙ୍କୁ ଜୀବିକା ସୁବିଧା ପ୍ରଦାନ ନିମନ୍ତେ ୟୁଏନ୍‌ଡିପିର ସହଯୋଗ ପାଇଁ ମଧ୍ୟ ଅନୁରୋଧ କରାଯିବ ବୋଲି ସୂଚନା ମିଳିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନୁରୂପ ଭାବେ ସମୀକ୍ଷା କରି ଗୃହ ନିର୍ମାଣ ସହାୟତା ଆବଣ୍ଟନ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଘର ପିଛା ନିର୍ମାଣ ବାବଦ ୧ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ‌ତିତ୍‌ଲି ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ବାଭାବିକ ଅବସ୍ଥା ଫେରିଆସିଛି ବୋଲି ସମୀକ୍ଷା କାଳରେ ସୂଚନା ମିଳିଛି।

ସମ୍ବନ୍ଧିତ ଖବର