ଓଡିଶାରେ ପଞ୍ଚଦଶ ଅର୍ଥ ଆୟୋଗ : ସମସ୍ତେ ଦାବି କଲେ ପାଣ୍ଠି ବଢ଼ାଅ

0

ଭୁବନେଶ୍ବର : ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଞ୍ଚଦଶ ଅର୍ଥ ଆୟୋଗ ଆଜି ରାଜ୍ୟର ପଞ୍ଚାୟତିରାଜ ସଂସ୍ଥା, ପୌରସଭା, ଶିଳ୍ପ ଓ ବାଣିଜ୍ୟ ସଂଘ ଓ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିଙ୍କୁ ପୃଥକ୍ ଭାବେ ଭେଟି ସେମାନଙ୍କ ମତାମତ, ପରାମର୍ଶମାନ ଶୁଣିଛନ୍ତି। ହୋଟେଲ ମେ ଫେୟାର ପରିସରରେ ଦୀର୍ଘ ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ଆଲୋଚନାରେ ଅର୍ଥ ଆୟୋଗର ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ଓ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ।

ଏହି ଅବସରରେ ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦର ଅଧ୍ୟକ୍ଷମାନେ ସେମାନଙ୍କୁ ଅଧିକ ଅର୍ଥ ପ୍ରଦାନ ଲାଗି ଦାବି କରିଥିଲେ। ବିଶେଷକରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ଲକ ଓ ପଞ୍ଚାୟତ ମାଧ୍ୟମରେ ଅର୍ଥ ଖର୍ଚ୍ଚ କରାଯାଉଥିବାରୁ ଜିଲ୍ଲା ପରିଷଦର ସଦସ୍ୟ ଓ କର୍ମକର୍ତ୍ତାମାନେ ଉନ୍ନୟନ କାର୍ଯ୍ୟ କରିବା ଲାଗି ଅର୍ଥ ପାଇପାରୁ ନାହାନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସେମାନଙ୍କୁ ମଧ୍ୟ ଅର୍ଥ ଆବଣ୍ଟନ କରିବା ସହିତ ଏ ନେଇ ଏକ ଅନୁପାତ ରଖିବାକୁ ସେମାନେ ମତ ଦେଇଥିଲେ।

ପଞ୍ଚାୟତ ଓ ପୌର ସଂସ୍ଥା ଗୁଡ଼ିକର ଆର୍ଥିକ ସ୍ବଚ୍ଛଳତା ଓ ସାମର୍ଥ୍ୟ ବୃଦ୍ଧି, ଆଞ୍ଚଳିକ ସ୍ତରରେ ଟିକସ ଆଦାୟର ସରଳ ଓ ସୁଗମ ପଦ୍ଧତି ନେଇ ଆଲୋଚନା ହୋଇଥିଲା। ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ ନେଇ ଆୟୋଗର ସଦସ୍ୟମାନେ ପ୍ରତିନିଧିମାନଙ୍କ ସହ ଏକମତ ହୋଇଥିଲେ। ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କର ଟିକସ ଆଦାୟ ପରିସର ବ୍ୟାପକ କରିବା ନେଇ ମଧ୍ୟ କଥା ଉଠିଥିଲା।

ଏପର୍ଯ୍ୟନ୍ତ ପଞ୍ଚାୟତିରାଜ ଓ ପୌରସଂସ୍ଥାମାନଙ୍କୁ ସମ୍ପତ୍ତି କର ଆଦାୟର କ୍ଷମତା ପ୍ରଦାନ କରାଯାଇ ନଥିବାରୁ ପଞ୍ଚଦଶ ଅର୍ଥ ଆୟୋଗ ଉଦବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗ ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯିବା ନେଇ ଆୟୋଗ ଗୁରୁତ୍ୱାରୋପ କରିଥିଲେ। ଟିକସ ଆଦାୟର ପରିସର ବୃଦ୍ଧି ଦ୍ୱାରା ପଞ୍ଚାୟତିରାଜ ସଂସ୍ଥା ଏବଂ ପୌର ସଂସ୍ଥାମାନଙ୍କର ଆର୍ଥିକ ସ୍ୱଚ୍ଛଳତା ଏବଂ ସ୍ୱାବଲମ୍ବନଶୀଳତା ବଢ଼ିବ ବୋଲି ଆୟୋଗ ମତ ଦେଇଥିଲେ।

ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ଏକ ଉଜ୍ଜ୍ବଳ ଉଦାହରଣ ବୋଲି କମିସନ ଉଲ୍ଲେଖ କରିଛନ୍ତି। ଆଜି କମିସନଙ୍କୁ ଭେଟିଥିବା ପଂଚାୟତିରାଜ ଏବଂ ପୌର ସଂସ୍ଥାର ୧୬ଜଣ ପ୍ରତିନିଧିଙ୍କ ମଧ୍ୟରୁ ୧୦ଜଣ ମହିଳା ପ୍ରତିନିଧି ହୋଇଥିବାରୁ କମିସନ ଖୁସି ହୋଇଥିଲେ। ରାଜ୍ୟରେ ପଞ୍ଚାୟତିରାଜ ସଂସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଥିଲେ ମଧ୍ୟ ତାଠାରୁ ଅଧିକ ପ୍ରତିନିଧି ଆଜିର ଆଲୋଚନାରେ ଅର୍ଥ ଆୟୋଗଙ୍କ ସହ ଭାଗ ନେଇଥିଲେ ବୋଲି କମିସନ ଟିପ୍ପଣୀ ଦେଇଥିଲେ।

ବିପୁଳ ପରିମାଣରେ ଖଣିଜ ସମ୍ପଦ ଓଡ଼ିଶାରେ ରହିଥିଲେ ମଧ୍ୟ ଓଡ଼ିଶା ଏପର୍ଯ୍ୟନ୍ତ ଏହାର ପ୍ରକୃତ ସାମର୍ଥ୍ୟକୁ ଅଭିବୃଦ୍ଧି ପାଇଁ ଉପଯୋଗ କରିପାରିନାହିଁ। ରାଜ୍ୟର ୭୨ ଭାଗ ଖଣିଜ ସମ୍ପଦ ଏବଂ ବିନିର୍ମାଣ କ୍ଷେତ୍ର ସେତେଟା ବିକଶିତ ହୋଇପାରିନାହିଁ। ଏହାଯୋଗୁଁ ଆଖିଦୃଶିଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିନାହିଁ। ନିକଟ ଅତୀତରେ ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଫଳପ୍ରଦ ହୋଇଥିଲେ ମଧ୍ୟ ଆହୁରି ଅନେକ କିଛି କରିବାକୁ ବାକି ରହିଛି।

ନିୟାମକ ଢାଞ୍ଚା, ଉନ୍ନତ ମାଲ ପରିବହନ ଓ ଭିତ୍ତିଭୂମି କ୍ଷେତ୍ରର ବିକାଶ ହୋଇପାରିଲେ ଓଡ଼ିଶା ଅନ୍ୟ ରାଜ୍ୟ ସହିତ ସଫଳତାର ସହିତ ପ୍ରତିଦ୍ବନ୍ଦିତା କରିପାରିବ ବୋଲି କମିସନ ମତ ଦେଇଥିଲେ।
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଚଦଶ ଅର୍ଥ ଆୟୋଗ ଶିଳ୍ପ ଓ ବାଣିଜ୍ୟ ସଂଘର ପ୍ରତିନିଧିମାନଙ୍କୁ ଭେଟିଥିଲେ। ଶିଳ୍ପସଂଘ ପ୍ରତିନିଧିମାନଙ୍କ ମଧ୍ୟରେ ଫିକି ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା, ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା, ଓଏଏସଏମଇର ସାଧାରଣ ସମ୍ପାଦକ ଇଂ. ସାତ୍ତ୍ବିକ ସ୍ବାଇଁ, ୟୁସିସିଆଇର ଅବୈତନିକ କୋଷାଧ୍ୟକ ଅଶୋକ ଚିନଚିଲା ପ୍ରମୁଖ ଯୋଗଦେଇ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ଆୟୋଗଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଫିକି ପକ୍ଷରୁ କୁହାଯାଇଥିଲା ଓଡ଼ିଶାର ଖଣିଜ ସାମଗ୍ରୀର ମୂଲ୍ୟଯୋଗ ଉପରେ ଗୁରୁତ୍ବ ଦିଆଯାଉ, ଅନ୍ତର୍ଜାତୀୟ ସ୍ତରରେ ଖଣିଜ ଉତ୍ପାଦନ ଉପରେ ଯେତିକି ପରିମାଣର ଟିକସ ଲଗାଯାଉଛି ଓଡ଼ିଶା ଓ ଭାରତରେ ମଧ୍ୟ ସେହି ପରିମାଣର ଟିକସ ଆଦାୟ କରାଯାଉ। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ଓ ସାଗରମାଳା ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଫିକି ରାଜ୍ୟ ପରିଷଦ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଗୁରୁତ୍ବାରୋପ କରିଥିଲେ। ସେହିଭଳି ବିଜେଡି, କଂଗ୍ରେସ, ବିଜେପି, ସିପିଆଇ, ସିପିଏମ, ତୃଣମୂଳ କଂଗ୍ରେସ, ଏନସିପି ଆଦି ଦଳର ପ୍ରତିନିଧି ଓ କର୍ମକତ୍ତା ଅର୍ଥ ଆୟୋଗଙ୍କୁ ଭେଟି ରାଜ୍ୟର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.