ଅଟୋ ଓଲଟି ୩ଗୁରୁତର

ଝରିଗାଁ : ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୩ଜଣ ଗୁୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କୁ ଉମରକୋଟ ମେଡିକାଲରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଚିତାବେଡା ପଞ୍ଚାୟତ ଭାଲୁଆଗୁଡା ଗ୍ରାମର ୧୪ଜଣ ମହିଳା ଗାଁର ଉରୁଧ ସାନ୍ତାଙ୍କ ଜମିକୁ ମକା ଭାଙ୍ଗିବା ପାଇଁ ଏକ ଅଟୋ(ଓଡି ୨୪ବି ୬୫୬୦) ଯୋଗେ ଯାଉଥିଲେ। ତେବେ ବେଲଗାଁ ଛକରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଯମୁନା ହରିଜନ(୧୪), ରଶ୍ମି ଭତ୍ରା(୧୪) ଓ ମାଲତି ମାଝୀ(୨୪) ଗୁରୁତର ହୋଇଥିଲେ। ସେହିପରି ଅଟୋରେ ଥିବା ୫ଜଣ ସାମାନ୍ୟ ଆହତ ହୋଇଥିଲେ। ପରେ ବେଲଗାଁ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଯମୁନା ଓ ରଶ୍ମିଙ୍କୁ ଉମରକୋଟ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ଝରିଗାଁ ମେଡିକାଲରେ ଚିକିତ୍ସା ପରେ ଆହତ ରାମବତୀ ହରିଜନ, ଜୟମଣି ହରିଜନ, ବନ୍ଦିତା ଜଗତ, ଧନମତି ସୁନା, ବାଉମତି ସୁନା ପ୍ରମୁଖ ସୁସ୍ଥ ହୋଇ ଘରକୁ ଫେରି ଯାଇଥଲେ। ଗୁୁରୁତର ମାଲତି ମାଝୀ ମଧ୍ୟ ଚିକିତ୍ସିତ ହେବା ପରେ ଘରକୁ ଚାଲି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଅଟୋଟି ଭାଲୁଆଗୁଡା ଗ୍ରାମର ଉରୁଧ ସାନ୍ତାଙ୍କ ବୋଲି ଜଣାପଡିଛି। ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର