କଟକରେ ୫୯.୫୮ % ମତଦାନ : ସବୁଠି ଇଭିଏମ୍‌ ତ୍ରୁଟି, ରାତିରେ ଚାଲିଲା ମତଦାନ

କଟକ : କଟକ ଲୋକସଭା ଆସନ ଏବଂ ଜିଲ୍ଲାରେ ଥିବା ଲୋକସଭା ଅନ୍ତର୍ଗତ ୬ଟି ବିଧାନସଭା ଆସନ ପାଇଁ ଆଜି ନିର୍ବାଚନ ଶେଷ ହୋଇଛି। ନିର୍ଦ୍ଧାରିତ ସମୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଅଧାରୁ ଅଧିକ ସ୍ଥାନରେ ଇଭିଏମ୍‌ , ଭିଭିପାଟ୍‌ ମେସିନ୍‌ ଅଚଳ ଯୋଗଁ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଘଣ୍ଟାଏ/ ଦୁଇ ଘଣ୍ଟା ବିଳମ୍ବିତ ହୋଇଛି। ଭୋଟ ଚାଲିଥିବା ସମୟରେ ବି ଏଭଳି ତ୍ରୁଟି ଯୋଗୁଁ ଅନେକ ସ୍ଥାନରେ ରାତି ୭/୮ଟା ଯାଏ ମତ ଗ୍ରହଣ ହୋଇଥିବା ସୂଚନା ମିଳିଛି। ଇଭିଏମ ତ୍ରୁଟି ଯୋଗୁଁ ଅନେକ ଭୋଟର ମତଦାନ କେନ୍ଦ୍ରରୁ ପଳାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ ସଦର, ଆଠଗଡ, ବାଙ୍କୀ ଓ ବଡମ୍ବା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥରେ ରାତି ପର୍ଯ୍ୟନ୍ତ ଚାଲିଥିଲା ମତଦାନ। ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳରେ ବର୍ଷା ସହ କୁଆପଥର ବର୍ଷା ଯୋଗୁଁ କିଛି ସମୟ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ଚୌଦ୍ବାର-କଟକର ଅପର୍ଣ୍ଣାନଗର ଜୋଗଲେକର ସ୍କୁଲରେ ୮୫ ନମ୍ବର ବୁଥରେ ଆଜି ସକାଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ମତଦାନ ହୋଇଥିବା ବେଳେ ୩ଟା ପାଖାପାଖି ସମୟରେ ପୁଣି ଭିଭିପାଟ୍ ଅଚଳ ହେବାରୁ ଘଣ୍ଟାଏ ପର୍ଯ୍ୟନ୍ତ ମତଦାନ ବନ୍ଦ ହୋଇ ରହିଥିଲା। ସଦର ନିର୍ବାଚନ ମଣ୍ଡଳୀର ସାର୍ତ୍ତୋଳ ପ୍ରାଥମିକ ସ୍କୁଲରେ ୬୫ ନମ୍ବର ବୁଥରେ ଇଭିଏମ୍ ମେସିନ ଅଚଳ ଯୋଗୁଁ ଦେଢ ଘଣ୍ଟା ଯାଏ ମତଦାନ ବିଳମ୍ବିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବି ଅଧଘଣ୍ଟାରୁ ଅଧିକ ସମୟ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଚୌଦ୍ବାର-କଟକର ମହାନଦୀବିହାର ଏବଂ ଗାନ୍ଧିପଲ୍ଲୀରେ ହୋଇଥିବା ବୁଥରେ ବି ଇଭିଏମ୍ ତ୍ରୁଟି ଯୋଗୁଁ ମତଦାନ ପ୍ରାୟ ଦେଢ ଘଣ୍ଟା ବିଳମ୍ବିତ ହୋଇଥିଲା।

କଟକ ଲୋକସଭା ଆସନରେ ୫୯.୫୮ପ୍ରତିଶତ ମତଦାନ ହୋଇଥିବାବେଳେ କଟକ ସଦରରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ବାରବାଟୀ-କଟକରେ ସବୁଠାରୁ କମ୍‌ ୪୨.୬୩ ପ୍ରତିଶତ ମତଦାନ ହୋଇଥିବା ରିପୋର୍ଟ ରହିଛି। ବାଙ୍କୀ ୬୩.୭, ବଡମ୍ବା ୬୦.୧, ଆଠଗଡ ୬୨.୧ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। କିନ୍ତୁ ଚୂଡାନ୍ତ ତାଲିକାରେ ଏହି ମତଦାନ ହାର ଅଧିକ ବଦଳିବାର ଆଶା କରାଯାଉଛି। ଆଠଗଡ ବ୍ଲକ୍‌ର ୧୪୩ ବୁଥ୍‌ରୁ ୪୦ରୁ ୫୦ଟି ବୁଥ୍‌ରେ ଇଭିଏମ୍‌ ଓ ଭିଭିପାଟ ଅଚଳ ସମସ୍ୟା ରହିଥିବାବେଳେ ବାଙ୍କୀରେ ମଧ୍ୟ ୪୦ରୁ ଉର୍ଦ୍ଧ୍ବ ସ୍ଥାନରେ ଇଭିଏମ୍‌ ତ୍ରୃଟି ଦେଖିବାକୁ ମିଳିଥିଲା। ସେହିପରି ବାଙ୍କୀରେ ମଧ୍ୟ ୩୦ରୁ ଅଧିକ ସ୍ଥାନରେ ଇଭିଏମ୍‌ ତ୍ରୃଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। କଟକ ଜିଲ୍ଲାରେ କିଛି ସ୍ଥାନରେ ମେସିନ୍‌ ସମସ୍ୟାକୁ ନେଇ କିଛି ବୁଥ୍‌ରେ ଉତ୍ତେଜନାକୁ ଛାଡିଦେଲେ ବାକି ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ବାଙ୍କୀର ୧୨୩ ନମ୍ବର ବୁଥ୍‌ରେ ଇଭିଏମ୍‌ ସଜଡା ଯାଇଥିବାବେଳେ, ଆଠଗଡର ୧୧୪ନମ୍ବର ବୁଥ୍‌ରେ ମକ୍ ପୋଲ ସମୟରେ ଭିଭିପାଟ୍‌କୁ ବଦଳା ଯାଇଥିଲା ଓ ୧୨୮ନମ୍ବର ବୁଥ୍‌ରେ କେବୁଲ ସମସ୍ୟା ଯୋଗୁଁ ମେସିନ୍‌ ବଦଳାଯାଇଥିଲା। ସେହିପାରି ଚୌଦ୍ବାର-କଟକରେ ବୁଥ୍‌ ନଂ ୩୪, ୪୭ ଓ ୧୭୯ରେ ମଧ୍ୟ ତ୍ରୃଟି ଦେଖିବାକୁ ମିଳିଥିଲା। ବାରବାଟୀ-କଟକରେ ୨୦୭ନମ୍ବର ବୁଥ୍‌ରେ ମକ୍ ପୁଲିଂ ସମୟରେ ଭିଭିପାଟ୍‌ ଜାମ୍‌ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନରସିଂପୁର ବ୍ଲକ୍‌ର ବାଲିଝରୀ, ସାଗର ତଥା ବିଭିନ୍ନ ସ୍ଥାନରେ ମତଦାନ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର