ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରିରେ ରହୁଥିବା ଆଉ ଏକ ଆଫ୍ରିକୀୟ ସିଂହ (୮)ର ଆଜି ସକାଳେ ମୃତ୍ୟୁ ହୋଇଛି। ସିଂହଟି ଗତକାଲି ସନ୍ଧ୍ୟା ୫ଟାରେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲା। ବାରମ୍ବାର ବାନ୍ତି କରିବାରୁ ତାକୁ ତୁରନ୍ତ ସାଲାଇନ୍ ଦିଆଯାଇଥିଲା। ପ୍ରାଣୀ ଚିକିତ୍ସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ଟି ସାଲାଇନ୍ ଦିଆଯିବା ସତ୍ତ୍ୱେ ତା’ର ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ସଂଧ୍ୟାରେ ଓୟୁଏଟିର ବିଶେଷଜ୍ଞ ପ୍ରଫେସର ଡ଼. ସୁଶେଣ କୁମାର ପଣ୍ଡା ଶବ ବ୍ୟବଚ୍ଛେଦ କରିଛନ୍ତି। ଅନଃନଳୀ ଏବଂ ପାକସ୍ଥଳୀରେ ସଂକ୍ରମଣ ଯୋଗୁ ସିଂହଟିର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ ସିଂହର ରକ୍ତ ଓ ମାଂସର ନମୁନା ପରୀକ୍ଷା ପାଇଁ ପଠାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଗତ ୧୦ତାରିଖରେ ଅନ୍ୟ ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଥିଲା। ଏହି ସିଂହ ଦୁଇଟିଙ୍କୁ ଗତ ୨୦୧୫ ସେପ୍ଟେମ୍ବର ୨୩ତାରିଖରେ ଅନ୍ୟ ୨ଟି ସିଂହୀ ଏବଂ ୪ଟି ଜେବ୍ରା ସହିତ ଇସ୍ରାଏଲ୍ରୁ ଅଣାଯାଇଥିଲା। ନନ୍ଦନକାନନରେ ପହଞ୍ଚିବାର କିଛି ମାସ ଭିତରେ ଗୋଟି ଗୋଟି କରି ସବୁ ଜେବ୍ରାଙ୍କର ମୃତ୍ୟୁ ହୋଇଥିଲା। ବର୍ତମାନ ସେହି ୪ଟି ସିଂହଙ୍କ ଭିତରୁ ଦୁଇଟିଙ୍କର ମୃତ୍ୟୁ ହୋଇସାରିଛି। ତେବେ ଏନେଇ ଇସ୍ରାଏଲ୍ରୁ ଆସୁଥିବା ଜୀବଜନ୍ତୁ ଏଠାରେ ତିଷ୍ଠି ନପାରି ମୃତ୍ୟୁବରଣ କରୁଥିବା ଚର୍ଚା ହେଉଛି।
ଅନ୍ୟପକ୍ଷରେ ଗତ ୨୦୦୦, ୨୦୦୪ ଓ ୨୦୦୫ରେ ସମାନ ଲକ୍ଷଣ ଥାଇ ବାଘ ଓ ସିଂହଙ୍କର ସଂକ୍ରମଣଜନିତ ମୃତ୍ୟୁ ହୋଇଥିବାର ରେକର୍ଡ ରହିଛି। ଏହି କାରଣରୁ ସିଂହ ଦୁଇଟିଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ନନ୍ଦନକାନନ କର୍ତୃପକ୍ଷ ଆଶଙ୍କା କରୁଛନ୍ତି। ଆଜି ନନ୍ଦନକାନନ ନିର୍ଦେଶକ ହରିଶଙ୍କର ଉପାଧ୍ୟାୟ, ଉପନିର୍ଦେଶକ ଜୟନ୍ତ ଦାସ, ଜନ୍ତୁବିଭାଗ ଏସିଏଫ୍ ଅଞ୍ଜନ ମହାନ୍ତି, ନିରଞ୍ଜନ ସାହୁ ଓ ପ୍ରାଣୀ ଚିକତ୍ସା କେନ୍ଦ୍ରର ଚିକିତ୍ସକ ଡ. ଶରତ ସାହୁ, ଡ. ଦେବଦତ୍ତ ମହାପାତ୍ରଙ୍କ ଉପସ୍ଥିତିରେ ସିଂହ ମୃତ୍ୟୁକୁ ନେଇ ସମୀକ୍ଷା କରାଯାଇଛି। ତେବେ ଆଜିର ସିଂହ ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୭ଟି ସିଂହୀ ଓ ୬ଟି ସିଂହ ଅଛନ୍ତି।