ବିପଦ ମୁହଁରେ ଚାଷ ଜମି : କଂକ୍ରିଟ୍ ଜଙ୍ଗଲ ପାଇଁ କମୁଛି ଚାଷ ପରିମାଣ, ପ୍ଲଟିଂ ପାଇଁ ମାଡ଼ିଗଲେଣି, ଲାଗୁନି ଲଗାମ୍‌

ପୁରୀ : ଜମି ମାଫିଆ ଓ କଂକ୍ରିଟ୍‌ ଜଙ୍ଗଲ ପାଇଁ ବିପଦ ମୁହଁରେ ଚାଷ ଜମି। ଯାହା ଏବେ ପୁରୀ ଜିଲ୍ଲା ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଗତ ୫ ବର୍ଷ ଭିତରେ ଉଭୟ ଖରିଫ୍ ଓ ରବି ଫସଲ ଉତ୍ପାଦନ ଦ୍ରୁତଗତିରେ ହ୍ରାସ ପାଉଛି। ଯେଉଁଥିରେ ରାଜସ୍ବ ବିଭାଗର ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରମୁଖ ହାତ ରହିଛି। ବିନାଦ୍ବିଧାରେ ଚାଷ ଜମିର କିସମ ପରିବର୍ତନ କରି ଜମି ମାଫିଆଙ୍କ ପାଇଁ ଦଲାଲଗିରିର ବାଟ ଖୋଲି ଦେଇଛନ୍ତି ଏମାନେ। ଜମି ମାଫିଆମାନେ ଗହୀର ଚାଷ ଜମିକୁ ବି ପ୍ଲଟିଂ କରିବାକୁ ପଛାଉନାହାନ୍ତି। ଗରିବ ଚାଷୀଙ୍କୁ ଅଳ୍ପ କିଛି ଟଙ୍କାର ଲୋଭ ଦେଖାଇ କୋଟି କୋଟି ଟଙ୍କା ମୁନାଫା ଉଠାଉଛନ୍ତି। ଯାହାର ସିଧାସଳଖ ପ୍ରଭାବ ଚାଷ ଓ ଚାଷୀ ଉପରେ ପଡ଼ିଛି।

କୃଷି ବିଭାଗ ରିପୋର୍ଟ କହୁଛି, ୨୦୧୩ ମସିହାରେ ଉଚ୍ଚ ଅମଳକ୍ଷମ, ମଧ୍ୟମ ଅମଳକ୍ଷମ ଓ ନିମ୍ନ ଅମଳକ୍ଷମ ଚାଷଜମିକୁ ମିଶାଇ ୩ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମି ରହିଥିଲା। ଏହି ବର୍ଷ ୨ ଲକ୍ଷ ୮୯ ହଜାର ୧୫୮ ହେକ୍ଟର ଚାଷ ଜମିରେ ଚାଷକାର୍ଯ୍ୟ ପାଇଁ ଲକ୍ଷ୍ୟ ରଖିଥିଲା କୃଷି ବିଭାଗ। ଖରିଫ୍ ଚାଷ ପାଇଁ ୧ ଲକ୍ଷ ୬୧ ହଜାର ୧୦୦ ହେକ୍ଟର ଓ ରବି ଫସଲ ପାଇଁ ୧ ଲକ୍ଷ ୨୮ ହଜାର ୭୫୫ ହେକ୍ଟର ଜମିରେ ଚାଷକାର୍ଯ୍ୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୨୦୧୪ ମସିହାରେ ବି ୧ ଲକ୍ଷ ୬୧ ହଜାର ୬୦୦ ହେକ୍ଟର ଜମିରେ ଖରିଫ୍ ଚାଷ ଓ ୧ ଲକ୍ଷ ୨୯ ହଜାର ୨୮୦ ହେକ୍ଟର ଜମିରେ ରବି ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦୁଇ ବର୍ଷ ଧାର୍ଯ୍ୟଲକ୍ଷ୍ୟ ପ୍ରାୟ ପୂରଣ ହୋଇ ଯାଇଥିଲା। କିନ୍ତୁ ୨୦୧୪ ପରଠାରୁ ଚାଷକାର୍ଯ୍ୟ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ ସେହି ଅନୁସାରେ ଧାର୍ଯ୍ୟଲକ୍ଷ୍ୟ ବି ହ୍ରାସ ପାଇଛି।

୨୦୧୫ ମସିହାରେ ଚାଷ ଜମିର ପରିମାଣ ୩ ଲକ୍ଷ ହେକ୍ଟର ତଳକୁ ଖସି ଆସିଥିଲା। ଯାହାଫଳରେ ଖରିଫ୍ ଓ ରବି ଚାଷ ବହୁ କମିଛି। କୃଷି ବିଭାଗ ଏ ବର୍ଷ ୧ ଲକ୍ଷ ୩୨ ହଜାର ୫୦୦ ହେକ୍ଟର ଜମିରେ ଖରିଫ୍ ଚାଷ ଓ ୧ ଲକ୍ଷ ୧୧ ହଜାର ୨୫୨ ହେକ୍ଟର ଜମିରେ ରବି ଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ୧ ଲକ୍ଷ ୪୧ ହଜାର ୫୫୦ ହେକ୍ଟର ଜମିରେ ଖରିଫ୍ ଓ ୧ ଲକ୍ଷ ୧୪ ହଜାର ୮୮୦ ହେକ୍ଟର ଜମିରେ ରବି ଚାଷ ହୋଇଥିଲା। କିନ୍ତୁ ଚାଷ ଜମିର ପରିମାଣ ଉପରେ ନଜର ପକାଇଲେ ଉଭୟ ଖରିଫ୍‌ ଓ ରବି ଚାଷ ୧୫ରୁ ୨୦ ହଜାର ହେକ୍ଟର ପାଖପାଖି କମି ଯାଇଥିଲା। ୨୦୧୬ ମସିହା ବେଳକୁ ଖରିଫ୍ ଚାଷ ୨୦୧୫ ତୁଳନାରେ ବୃଦ୍ଧି ପାଇଥିଲା ସତ, କିନ୍ତୁ ରବି ଚାଷ ବହୁ ହ୍ରାସ ପାଇଥିଲା। ଏପରିକି ଏହି ବର୍ଷ କୃଷି ବିଭାଗର ଧାର୍ଯ୍ୟ ଲକ୍ଷ୍ୟ ବି ଡେଇଁ ପାରିନଥିଲା। ରବି ଫସଲ ପାଇଁ ୧ ଲକ୍ଷ ୧୭ ହଜାର ୦୫୫ ହେକ୍ଟର ଜମିରେ ଚାଷବାସ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ମାତ୍ର ୧ ଲକ୍ଷ ୧୩ ହଜାର ୫୨୮ ହେକ୍ଟର ଜମିରେ ରବି ଫସଲ ହୋଇଥିଲା। ସମାନ ଅବସ୍ଥା ୨୦୧୭ ମସିହାରେ ଦେଖିବାକୁ ମିଳିଥିଲା। ଖରିଫ୍ ଚାଷବାସ ଠିକ୍ ଥିବାବେଳେ ରବି ଫସଲ ଆହୁରି ହ୍ରାସ ପାଇଥିଲା। ୧ ଲକ୍ଷ ୧୩ ହଜାର ୮୪୬ ହେକ୍ଟର ଚାଷ ଜମିରେ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ମାତ୍ର ୯୮ ହଜାର ୧୦୪ ହେକ୍ଟର ଜମିରେ ଚାଷ ସମ୍ଭବ ହୋଇ ପାରିଥିଲା। କିନ୍ତୁ ଏହାପରଠାରୁ ଉଭୟ ଖରିଫ୍ ଓ ରବି ଫସଲ ପାଇଁ ଚାଷବାସ ଦ୍ରୁତଗତିରେ ହ୍ରାସ ପାଇଛି। ୨୦୧୮ମସିହାରେ ୧ ଲକ୍ଷ ୫୪ ହଜାର ୨୫୫ ହେକ୍ଟର ଜମିରେ ଖରିଫ୍ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ମାତ୍ର ୧ ଲକ୍ଷ ୩୧ ହଜାର ୫୦୮ ହେକ୍ଟର ଜମିରେ ଚାଷକାର୍ଯ୍ୟ ସମ୍ଭବ ହୋଇପାରିଥିଲା। ରବି ଫସଲ ପୂର୍ବବର୍ଷ ତୁଳନାରେ ପ୍ରାୟ ସମାନ ରହିଥିଲା। ୨୦୧୯ ମସିହାରେ କୃଷି ବିଭାଗ ଖରିଫ୍ ଚାଷରେ ୨୦୧୩ ମସିହାର ଧାର୍ଯ୍ୟ ଲକ୍ଷ୍ୟକୁ ଫେରିଥିବାବେଳେ ଏହା ପୂରଣ ହେଉଛି କି ନାହିଁ ଦେଖିବାକୁ ବାକି ରହିଛି। ଚାଷର ଏହି ରିପୋର୍ଟକୁ ଦେଖିଲେ ଚାଷକାର୍ଯ୍ୟ କେଉଁ ପରିମାଣରେ ହ୍ରାସ ପାଇବାକୁ ଲାଗୁଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ସବୁଠୁ ଅଧିକ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି ରବିଚାଷରେ।

ମୁଖ୍ୟତଃ ଖାଲୁଆ ଅଞ୍ଚଳରେ ଖରିଫ୍ ଚାଷ ହୁଏ, ଯେଉଁଠିକୁ ଜଳସେଚନର କୌଣସି ବ୍ୟବସ୍ଥା ନଥାଏ। ଏହି ଋତୁର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ରବିରେ ଢ଼ିପ ଜମିରେ ଓ ଜଳସେଚନ ସୁବିଧା ଥିବା ଜମିରେ ଚାଷବାସ ହୁଏ। କିନ୍ତୁ ରବି ଚାଷ କ୍ରମଶଃ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏହାର ପ୍ରମୁଖ କାରଣ ହେଉଛି କଂକ୍ରିଟ୍‌ ଜଙ୍ଗଲ। ଲୋକେ ଚାଷବାସରୁ ସେତେଟା ଲାଭ ପାଉନଥିବାରୁ ଟଙ୍କା ଲୋଭରେ ଜମି ମାଫିଆମାନଙ୍କୁ ଚାଷଜମି ବିକ୍ରି କରି ଦେଉଛନ୍ତି। ଯାହାର ପୂରା ଫାଇଦା ନେଉଛନ୍ତି ମାଫିଆମାନେ। ଜମି କିସମ ପରିବର୍ତନ କରି କୋଟି କୋଟି ଟଙ୍କାରେ ଏମାନେ ବିକ୍ରି କରୁଛନ୍ତି। ଏ ଦିଗ ପ୍ରତି ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ନଦିଏ କାଳ‌କ୍ରମେ ଚାଷଜମି ସଂପୂର୍ଣ୍ଣ‌ ଲୋପ ପାଇଯିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର