ନିର୍ବାଚନକୁ ପ୍ରଭାବିତ କରିପାରେ ନିଶାଦ୍ରବ୍ୟ
ବେଆଇନ କାରବାର ରୋକିବାକୁ ନିର୍ଦେଶଦେଲେ ମୁଖ୍ୟ ସଚିବ
ଭୁବନେଶ୍ବର : ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ଅପରିହାର୍ଯ୍ୟ। ନେଚତ ଏହା ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ପୁଲିସ୍, ଅବକାରୀ ବିଭାଗ ଓ ଡ୍ରଗ୍ କଣ୍ଟ୍ରୋଲର ବିଭାଗର ଅଧିକାରୀମାନେ କଡ଼ା ନଜର ରଖିବା ସହିତ ରୋକିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସଚିବାଳୟରେ ଏ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମନ୍ବୟ ବୈଠକରେ ମୁଖ୍ୟ ସଚିବ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପଡ଼ୋଶୀ ରାଜ୍ୟମାନଙ୍କରୁ ଆସୁଥିବା ବେଆଇନ ନିଶାଦ୍ରବ୍ୟ ରୋକିବା ପାଇଁ ସଂଯୋଗ ସ୍ଥାପନ କରିବା, ବହୁମୁଖୀ ସ୍କ୍ବାଡ୍ ଜରିଆରେ କ୍ଷେତ୍ରସ୍ତରୀୟ ପ୍ରବର୍ତନ କାର୍ଯ୍ୟକୁ ଅଧିକ କଡ଼ାକଡ଼ି କରିବା, ଅବକାରୀ ଓ ପୁଲିସ୍ ବିଭାଗ ମଧ୍ୟରେ ଗୁଇନ୍ଦା ତଥ୍ୟ ନେଣଦେଣ, ମଦ ତିଆରି କାରଖାନାଗୁଡ଼ିକରେ ଉତ୍ପାଦନ ନିୟନ୍ତ୍ରଣ, ଭୋଟଗ୍ରହଣ ଦିନର ୪୮ ଘଣ୍ଟା ପୂର୍ବରୁ ଆନ୍ତଃରାଜ୍ୟ ସୀମା ସିଲ୍, ରାଜ୍ୟ ଭିତରେ ଥିବା ବେଆଇନ ମଦ ଦୋକାନ ବନ୍ଦ କରିବା, ଓଡ଼ିଶା ଅବକାରୀ ଆଇନର ଧାରା୫(୯)ର କ୍ଷମତା ପୁଲିସ୍କୁ ଅର୍ପଣ କରିବା, ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଆଦି ସଂପର୍କରେ ସବିଶେଷ ଆଲୋଚନା କରାଯାଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥିଲା।
ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଲେ ଯେ ନିର୍ବାଚନକୁ ଆଖିରେ ରଖି ଗତ ଫେବ୍ରୁଆରି ମାସଠାରୁ ବେଆଇନ ନିଶା କାରବାର ଉପରେ ଚଢ଼ଉ, ଜବତ ଓ ଗିରଫଦାରି ଜାରି ରହିଛି। ସେ ଉପସ୍ଥାପିତ କରିଥିବା ତଥ୍ୟାନୁଯାୟୀ ବର୍ତମାନ ସୁଦ୍ଧା ଉଭୟ ଅବକାରୀ ଓ ପୁଲିସ୍ ବିଭାଗ ମୋଟ ୮୯୬୯ଟି ମକଦ୍ଦମା ରୁଜୁ କରିବା ସହିତ ୨୧୪୦ଜଣଙ୍କୁ କୋର୍ଟଚାଲାଣ କରିଛନ୍ତି। ୧.୩୨ ଲକ୍ଷ ଲିଟର ବେଆଇନ ଦେଶୀ ମଦ ଓ ୨୭୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ୧୧୬୨୭ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହୋଇଛି।
ଉନ୍ନୟନ କମିସନର ଅସୀତ ତ୍ରିପାଠୀ ଉଭୟ ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିବା ସହିତ ଦୈନିକ ସମନ୍ବିତ ରିପୋର୍ଟ ଦେବା ପାଇଁ ନିର୍ଦେଶ େଦଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।