ରାଜପଥରେ ଆମ୍ବୁଲାନ୍‌ସ ଦୁର୍ଘର୍ଟଣା: ଭାଇଭଉଣୀ ମୃତ, ୨ ଗୁରୁତର

ସୋର: ଆଜି ଭୋରରୁ ସୋର ଟାଉନ୍‌ ନିକଟ ଜାତୀୟ ରାଜପଥର ଉତ୍ତରେଶ୍ୱର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଅଟକି ରହିଥିବା ମାଲବୋଝେଇ ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ରୋଗୀଙ୍କ ସହ ମୋଟ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ହେଲେ ବୁଲବୁଲ୍‌ ବିବି (୪୫) ଓ ଇକ୍‌ବାଲ ଖାନ୍‌ (୪୯)। ଦୁହେଁ ସଂପର୍କରେ ଭାଇଭଉଣୀ। ଦୁର୍ଘଟଣାରେ ବୁଲବୁଲ୍‌ଙ୍କ ସମ୍ପର୍କୀୟା ଭଉଣୀ ଫାତେମା ବିବି (୪୦) ଓ ସ୍ୱାମୀ ଇମ୍‌ତିଆଜ୍‌ ଖାନ୍‌ (୪୮) ଗୁରୁତର ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ବୁଲ୍‌ବୁଲ୍‌, ଇକ୍‌ବାଲ, ଇମ୍‌ତିଆଜ୍‌ ଓ ଫାତେମାଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ବୁଲ୍‌ବୁଲ୍‌ ଓ ଇକ୍‌ବାଲଙ୍କୁ ମୃତ ଘୋଷଣା କରିଥିଲେ। ପରେ ଆହତ ଇମ୍‌ତିଆଜ୍‌ ଓ ଫାତେମାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ବୁଲବୁଲ୍‌ ପଶ୍ଚିମବଙ୍ଗର ଏଗ୍ରା ଥାନା ଅଧୀନ ଆମଦେଇ ଗ୍ରାମର ଇମ୍‌ତିଆଜଙ୍କ ପତ୍ନୀ। ଅସୁସ୍ଥ ବୁଲ୍‌ବୁଲ୍‌ଙ୍କୁ କଟକରେ ଚିକିତ୍ସା କରାଇବାକୁ ତାଙ୍କ ଭାଇ ଓ ଅନ୍ୟମାନେ ଆମ୍ବୁଲାନ୍ସ ଡବ୍ଲ୍ୟୁବି-୩୧-୫୩୮୫ ଯୋଗେ କଟକ ନେଉଥିଲେ। ହଠାତ୍‌ ଭାରସାମ୍ୟ ହରାଇ ଉତ୍ତରେଶ୍ୱର ନିକଟରେ ରାସ୍ତାକଡ଼େ ଅଟକିଥିବା ମାଲବୋଝେଇ ଟ୍ରକ୍‌ ସହ ଆମ୍ବୁଲାନ୍ସଟି ଧକ୍କା ଖାଇଥିଲା। ସୋର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ମୃତ ବୁଲ୍‌ବୁଲ୍‌ ଓ ଇକ୍‌ବାଲଙ୍କ ଶବକୁ ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୋର ସମୟରେ ଡ୍ରାଇଭରକୁ ନିଦ ଲାଗିଯିବାରୁ ଏହି ଦୁର୍ଘଟଣା ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଉତ୍ତରେଶ୍ୱର ନିକଟ ରାଜପଥ ପାର୍ଶ୍ୱରେ ବେଆଇନ୍‌ ଭାବେ ଶତାଧିକ ଗାଡ଼ିମଟର ପାର୍କିଂ ହେଉଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଥିଲା। ଆଜି ପୁଣିଥରେ ତାହା ପ୍ରମାଣିତ ହୋଇଛି। ଏନେଇ ପୁଲିସ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର