ମାଇକ୍ରୋ ଫାଇନାନ୍‌ସ୍‌ର ୮୮.୯୯ କୋଟି ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ମାଇକ୍ରୋ ଫାଇନାନ୍‌ସର ୮୮.୯୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଏହି ଜବତ ସମ୍ପତ୍ତିରେ ଦେଢ଼ ଶହରୁ ଊର୍ଦ୍ଧ୍ବ ଜମାଖାତରେ ଥିବା ଟଙ୍କା ସମେତ କେତେକ ସମ୍ପତ୍ତି ରହିଛି। ପୂର୍ବରୁ ୨୧୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଆଟାଚ୍‌ ହେବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ସେଥିରୁ ଏହି ୮୮ କୋଟି ୯୯ ଲକ୍ଷ ଜବତ କରାଯାଇଛି। ଅନ୍ୟ କେଉଁଠି ଏହି ସଂସ୍ଥାର ସମ୍ପତ୍ତି ରହିଛି ତାହା ଠାବ ହେବା ସହ ଆଟାଚ୍‌ ହୋଇଥିବା ସମ୍ପତ୍ତିରୁ ବାକି ସମ୍ପତ୍ତି ମଧ୍ୟ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଜମା ଟଙ୍କା ଅଳ୍ପ ସମୟରେ ଡବଲ ହେବା ସହ ଅନ୍ୟାନ୍ୟ ଲୋଭନୀୟ ପ୍ରତିଶ୍ରୁତି ଦେଇ ସଂସ୍ଥା ରାଜ୍ୟର କୋଣ ଅନୁକୋଣରୁ ନଗଦ ଅର୍ଥ ସଂଗ୍ରହ କରିଥିଲା। ଏଥିପାଇଁ ରାଜ୍ୟର ବିଭିନ୍ନ ଜାଗାରେ ଶାଖା ଖୋଲି ୫ ଲକ୍ଷ ଜମାକାରୀଙ୍କଠାରୁ ପାଖାପାଖି ୫ଶହ କୋଟି ଟଙ୍କା ଜମା ନେଇଥିଲା। କିନ୍ତୁ ପ୍ରତିଶ୍ରୁତି ମୁତାବକ ଅର୍ଥ ଜମାକାରୀଙ୍କୁ ଦେଇ ନପାରି ହତାଶ କରିଥିଲା। ଫଳରେ ଜମାକାରୀମାନେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ୨୦୧୪ ମସିହାରେ ସଂସ୍ଥାର ମୁଖ୍ୟ ଦୁର୍ଗାପ୍ରସାଦ ମିଶ୍ର ଗିରଫ ହୋଇଥିଲେ। ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟ ମାମଲାର ବିଚାର କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର