ମାନହାନି ମକଦ୍ଦମା ଚେତାବନୀ ଦେଲା ବିଜେଡି

ଭୁବନେଶ୍ବର : ପ୍ରତିଦିନ ଡାହା ମିଛ, ଅମୂଳକ ମନ୍ତବ୍ୟ ଜରିଆରେ ବିଜେଡି ପ୍ରାର୍ଥୀମାନଙ୍କର ବିଜେପି ଚରିତ୍ର ସଂହାର କରୁଛି। ଏଥିରୁ କ୍ଷାନ୍ତ ନ ରହିଲେ ଆଗାମୀ ଦିନରେ ବିଜେପି ବିରୋଧରେ ମାନହାନୀ ମକଦ୍ଦମା କରିବାକୁ ବିଜେଡି ଚେତାବନୀ ଦେଇଛି। ଚଳିତ ନିର୍ବାଚନରେ ବିଜେପିର ଅନେକ ପ୍ରାର୍ଥୀ ଅପରାଧିକ ମାମଲାରେ ଜଡ଼ିତ ଅଛନ୍ତି। ଏହା ସହିତ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧିକ ଲିଙ୍କ୍ ଥିବା ନେଇ ମଧ୍ୟ ବିଜେଡି ଅଭିଯୋଗ କରିବା ସହ ନିର୍ବାଚନରେ ହାରିବା ଭୟରେ ବିଜେପି ନେତାମାନେ ଏପରି କରି ନିଜ ହତାଶା ଭାବର ପରିପ୍ରକାଶ କରୁଛନ୍ତି ବୋଲି ବିଜେଡି ପ୍ରତିକ୍ରିୟା ରଖିଛି।

ନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀମାନଙ୍କୁ ବିଜେପି ଟାର୍ଗେଟ୍ କରୁଥିବା ନେଇ ବିଜେଡି ମୁଖପାତ୍ର ସୁଲତା ଦେଓ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେପିର ଭଟଲି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ ଯାଇଥିଲେ। ସୋରଡ଼ା ପ୍ରାର୍ଥୀ ନୀଳ ବିଷୋୟୀଙ୍କ ନାଁରେ ୨୮ଟି ଅପରାଧିକ ମାମଲା ଅଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗ୍ୟାଙ୍ଗଷ୍ଟର ଟିଟୋ ଓ ଧଳ ସାମନ୍ତ ବ୍ରଦର୍ସଙ୍କ ଭଳି ଅପରାଧୀଙ୍କ ସହ ସମ୍ପର୍କ ଥିବା କଥା ଓଡ଼ିଶାବାସୀ ଜାଣିଛନ୍ତି। ଖାଲି ସେତିକି ନୁହେଁ, କୋଇଲା ଆବଣ୍ଟନରେ ଶ୍ରୀ ପ୍ରଧାନଙ୍କ ଭୂମିକା କ’ଣ ଥିଲା ପୂର୍ବତନ କେନ୍ଦ୍ର କୋଇଲା ସଚିବ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି। ବିଜେଡି ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜ ଦଳ ଭିତରେ ଥିବା ଅପରାଧିକ ବ୍ୟକ୍ତିଙ୍କୁ ଦେଖୁ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି।

ସମ୍ବନ୍ଧିତ ଖବର