ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଭଣ୍ଡୁର ପାଇଁ ଉଦ୍ୟମ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡି
ଓଟିଭି,ଧର୍ମେନ୍ଦ୍ର, ନୀଳମଣି ଓ ବିଜେପି ବିରୋଧରେ ସିଇଓଙ୍କ ପାଖରେ ପୁଣି ବିଜେଡିର ଫେରାଦ
ଭୁବନେଶ୍ବର : ରାଜ୍ୟରେ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହୁଁନାହାନ୍ତି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ବିହାର ଓ ମଧ୍ୟପ୍ରଦେଶରୁ ନିର୍ବାଚନୀ ହିଂସା ସଂସ୍କୃତି ଶିକ୍ଷାଲାଭ କରି ଓଡ଼ିଶାରେ ସେହିଭଳି ଭୟର ବାତାବରଣ ସୃଷ୍ଟି କରିବାକୁ ସେ ଉଦ୍ୟମ କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏପରି ସିଧାସଳଖ ଅଭିଯୋଗ କରିଛି ବିଜେଡି। ସେହିପରି ଗତକାଲି ବିଜେପିର ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣୀ ବିଷୋୟୀ ଇଭିଏମ ମେସିନ୍ ଭାଙ୍ଗିବା ଘଟଣା ବିଜେପି ନେତାଙ୍କ ଅପରାଧୀ ମାନସିକତାକୁ ପ୍ରମାଣ କରୁଥିବା ଦଳ କହିଛି। ଏହାସହିତ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ୪୮ ଘଣ୍ଟାର ନିରବ ଅବଧି ନିର୍ଦ୍ଦେଶାବଳୀକୁ ବିଜେପି ଓ ଓଟିଭି ଅନୁପାଳନ କରିନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ବିଜେଡି ପ୍ରଶ୍ନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ବିଜେଡି ଦର୍ଶାଇଛି, ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଉଭୟ ରାଜ୍ୟରୁ ଅପରାଧୀ କାର୍ଯ୍ୟକଳାପ ବିଷୟରେ ଭଲଭାବରେ ଜ୍ଞାନ ଆହରଣ କରିଛନ୍ତି। ଶ୍ରୀ ପ୍ରଧାନ ନିର୍ବାଚନ ପର୍ଯ୍ୟବେକ୍ଷକ ଦଳକୁ ଯେପରି ଧମକ ଦେବାସହ ଭୟଭୀତ କରିବାକୁ ଉଦ୍ୟମ କରିଥିବା ଭିଡିଓ ଟେଲିଭିଜନ ଚାନେଲରେ ପ୍ରସାରଣ ହେଲା ତାର ପ୍ରମାଣ ସହ ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନକୁ ପ୍ରଭାବିତ କରିବା ପାଇଁ ବିଜେପିର ନେତାମାନେ ବିଦ୍ଧିବଦ୍ଧ ଭାବେ ଏପରି ଅପରାଧିକ କାର୍ଯ୍ୟକଳାପ ଦ୍ବାରା ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଆଉ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟୀ ବୋଲି ବିଜେଡି ଅଭିଯୋଗ କରିଛି। ଗତକାଲି ବିଜେପିର ସୋରଡ଼ା ବିଧାୟକ ପ୍ରାର୍ଥୀ ବଳପୂର୍ବକ ବୁଥ ନମ୍ବର ୧୮୨ରେ ପଶି ଇଭିଏମ କଣ୍ଟ୍ରୋଲ ୟୁନିଟକୁ ଭାଙ୍ଗିବା ଏହାର ପ୍ରମାଣ ଦେଇଛି ଯେ, ରାଜ୍ୟରେ ଥିବା ବିଜେପି ନେତାମାନେ ଅପରାଧୀକ କାର୍ଯ୍ୟକଳାପ ସହ କେତେ ପରିମାଣରେ ସଂଶ୍ଲିଷ୍ଠ ଅଛନ୍ତି।
ପ୍ରଚାର ଅବଧି ସରିବା ପରଠୁ ମତଦାନର ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ୪୮ ଘଣ୍ଟିଆ ନିରବ ଅବଧି ନିର୍ଦ୍ଦେଶାବଳୀକୁ ବିଜେପି ନେତା ଓ ଓଟିଭି ପାଳନ କରୁନାହାନ୍ତି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲଂଘନ ହୋଇଥିବା ନେଇ ଅଭିଯୋଗ ପ୍ରଦାନ କରାଯାଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେହିପରି ବିଜେପି ପାଇଁ ପେଡ୍ ନ୍ୟୁଜ୍ ପ୍ରସାରଣ କରୁଥିବା ଓଟିଭି ବିରୋଧରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ଏବେସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନେଇ ମଧ୍ୟ ସିଇଓଙ୍କୁ ବିଜେଡି ଆପତ୍ତି ଜଣାଇଛି। ଅଭିଯୋଗ ପ୍ରଦାନ କରିବାକୁ ଯାଇଥିବା ପ୍ରତିନିଧିମଣ୍ଡଳୀରେ ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର, ସୁଲତା ଦେଓ ଓ ଲେନିନ୍ ମହାନ୍ତି ପ୍ରମୁଖ ସାମିଲ ଥିଲେ।