ବିଜେପି ପ୍ରାର୍ଥୀ ନିତେଶ ଆଣିଲେ ଅଭିଯୋଗ : ଲାଭଦାୟକ ସଂସ୍ଥାର ପଦରେ ଅଛନ୍ତି ନଳିନୀ, ପ୍ରାର୍ଥିପତ୍ର ଖାରଜ ଦାବି କଲେ ନିତେଶ, ଆଜି ଉତ୍ତର ରଖିବେ ନଳିନୀ

ସମ୍ବଲପୁର : ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ନିତେଶ ଗଂଗଦେବ ନିଜ ପ୍ରତିନ୍ଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ନାମରେ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଶ୍ରୀ ପ୍ରଧାନ ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିବାରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଶ୍ରୀ ଗଂଗଦେବ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି। ଏହା ଉପରେ ବିଚାର କରି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ନୋଟିସ୍ କରି ଉତ୍ତର ରଖିବାକୁ କହିଥିଲେ। ଏହାର ଉତ୍ତର ରଖିବାକୁ ଶ୍ରୀ ପ୍ରଧାନଙ୍କ ପକ୍ଷରୁ କିଛି ସମୟ ମଗା ଯାଇଥିଲା। ତାକୁ ଗ୍ରହଣ କରି ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି। ଶନିବାର ଦିନ ୧୦ଟା ୪୫ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଂଗଦେବଙ୍କ ଓକିଲ ସିଦ୍ଧାର୍ଥ ଦାସ କହି‌ଥିଲେ ଯେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଓଡ଼ିଶା ଷ୍ଟେଟ୍‌ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ୍‌ (ଓପିଏଚ୍‌ଡବ୍ଲୁସି)ର ମନୋନୀତ ନିର୍ଦ୍ଦେଶକ ତଥା ଓଡ଼ିଶା କନ୍‌ଷ୍ଟ୍ରକସନ କର୍ପୋରେସନ ଲିମିଟେଡ୍ (ଓସିସିଏଲ୍‌) ନିର୍ଦ୍ଦେଶକ ଅଛନ୍ତି। ଉଭୟ ରାଜ୍ୟ ସରକାରଙ୍କ ପରିଚାଳିତ ଲାଭଦାୟକ ସଂସ୍ଥା। ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରେ ଥିବାରୁ ନିର୍ବାଚନରେ ତାଙ୍କ ପ୍ରାର୍ଥିତ୍ବ ଗ୍ରହଣୀୟ ନୁହେଁ। ଏପ୍ରିଲ ୩ ତାରିଖ ସୁଦ୍ଧା ସେ ଉପରୋକ୍ତ ପଦଦ୍ବୟରେ ଥିଲେ ବୋଲି ଶ୍ରୀ ଦାସ ଦାବି କରିଥିଲେ। ୨୦୦୬ ମସିହାରେ ବିଶିଷ୍ଟ ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ସେହିଭଳି ସରକାରୀ ଲାଭଦାୟକ ପଦ (ଅଫିସ୍ ଅଫ ପ୍ରଫିଟ୍)ରେ ଥିବାରୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ହରାଇବାକୁ ପଡ଼ିଥିଲା। ସେହି ଆଧାରରେ ଶ୍ରୀ ପ୍ରଧାନଙ୍କ ପ୍ରାର୍ଥିପତ୍ର ବି ଖାରଜ ହେବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ। କାଗଜପତ୍ରରେ କୌଣସି ହେରଫେର ଯେମିତି ନହେବ ସେଥିପାଇଁ ନିର୍ବାଚନ କମିସନ ତୁରନ୍ତ ଉପରୋକ୍ତ ଦୁଇଟି ସଂସ୍ଥାକୁ ସିଲ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାନସଭା ପ୍ରାର୍ଥୀ ନାଉରୀ ନାୟକ ଏବଂ ଲୋକସଭା ପ୍ରାର୍ଥୀ ନିତେଶ ଗଂଗଦେବ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ବିଜେପି ସମ୍ବଲପୁର ଲୋକସଭା ଲିଗାଲ ସେଲର ସଚିକାନ୍ତ ଦାଶ ଏବଂ ମିଡିଆ ପ୍ରଭାରୀ ମାନସ ବକ୍ସି ଉପସ୍ଥିତ ଥିଲେ।

ଏ ସଂପର୍କରେ ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟା ଦେଇ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ କହିଛନ୍ତି, ଅଭିଯୋଗର କୌଣସି ଭିତ୍ତି ନାହିଁ। ଯେହେତୁ ମାମଲା ବିଚାରଧୀନ (ସବ୍‌ଜୁଡିସ) ରହିଛି ତେଣୁ ଆଜି କିଛି କହିବି ନାହିଁ। ଆସନ୍ତାକାଲି ଆମେ ନିଜର ଉତ୍ତର ରଖିବୁ ଓ ଆପଣମାନେ ସତ୍ୟ କଣ ଜାଣିଯିବେ। ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶୁଭମ ସକ୍‌ସେନା ମଧ୍ୟ ଆସନ୍ତାକାଲି ଶୁଣାଣି ପରେ ଶ୍ରୀ ପ୍ରଧାନଙ୍କ ପ୍ରାର୍ଥିତ୍ବ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲିି କହିଛନ୍ତି।

ସମ୍ବନ୍ଧିତ ଖବର