ନବୀନ ନିବାସରେ ବିଜେପି ନେତା

ସାରସକଣା ବିଜେପି ପ୍ରାର୍ଥୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା ନ ହେବାରୁ ଧାରଣା

ଭୁବନେଶ୍ବର : ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଡାକ୍ତର ବୁଢ଼ାନ ମୁର୍ମୁଙ୍କୁ ନେଇ ବିବାଦ ଦେଖାଦେଇଛି। ସରକାରୀ ଚାକିରି କରିଥିବା ଡାକ୍ତର ମୁର୍ମୁ ୬ ମାସ ତଳେ ଇସ୍ତଫା ଦେଇଥିଲେ ବି ସରକାର ତାହାକୁ ଗ୍ରହଣ କରି ନାହାନ୍ତି। ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ଆଜି ବିଜେପିର ଦୁଇ ଜଣ ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ନବୀନ ନିବାସ ଯାଇଥିଲେ। ଏହା ଏବେ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଆଜି ସକାଳ ପ୍ରାୟ ୧୧ଟା ବେଳେ ଶ୍ରୀ ମହାନ୍ତି ଓ ‌ଶ୍ରୀମତୀ ସାମନ୍ତସିଂହାର ସାରସକଣା ପ୍ରାର୍ଥୀ ଡାକ୍ତର ମୁର୍ମୁଙ୍କୁ ନେଇ ନବୀନ ନିବାସ ସମ୍ମୁଖରେ ପହଞ୍ଚିଥିଲେ। ବିଜେପି ନିର୍ବାଚନ ସେଲ୍‌ର ସଂଯୋଜକ ଜୟନ୍ତ ଜେନା ମଧ୍ୟ ଉପସ୍ଥିତ ଥିଲେ। ଏବେ ଦଳବଦଳ ଜୋର୍‌ଦାର୍ ଚାଲିଥିବାରୁ ଏହି ନେତାମାନଙ୍କର ହଠାତ ନବୀନ ନିବାସ ସାମ୍ନାରେ ଆ‌ବିର୍ଭାବ ନେଇ ସେଠାରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଗଲା। ତେବେ ନବୀନ ନିବାସ ଫାଟକ ସାମ୍ନାରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଭିତରକୁ ଯିବା ପାଇଁ ଅନୁମତି ନ ଥିବାରୁ ଛଡ଼ା ଯିବନି ବୋଲି ପୁଲିସ୍‌ କହିଲା। ଏହା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ଘେରି ଯାଇଥିଲେ। କ୍ୟାମେରା ସାମ୍ନାରେ ଶ୍ରୀ ମହାନ୍ତି ନବୀନ ନିବାସ ଆସିବାର କାରଣ କହିଥିଲେ।

ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ, ରାଜ୍ୟ ସରକାର ଗଣତନ୍ତ୍ରର ତଣ୍ଟି ଚିପିବାକୁ ଉଦ୍ୟମ କରୁଛନ୍ତି। ଜଣେ ଆଦିବାସୀ ଯୁବକ ନିର୍ବାଚନ ଲଢ଼ିବା ପାଇଁ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଗତ ଅକ୍ଟୋବର ୪ ତାରିଖରୁ ସେ ଇସ୍ତଫା ଦେଇଥିଲେ ବି ଏ ଯାଏ ତାହାକୁ ଅନୁମୋଦନ କରାଯାଉ ନାହିଁ। ସିଡିଏମ୍‌ଓ ନିଜେ ରିପୋର୍ଟ ଦେଇଛନ୍ତି ଯେ ଶ୍ରୀ ମୁର୍ମୁଙ୍କ ନାମରେ କୌଣସି ମାମଲା ନାହିଁ। ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରକୁ ସ୍ବୀକୃତି ଦେଇ ସାରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ଇସ୍ତଫା ଅନୁମୋଦନ ପତ୍ର ଅଟକି ରହିଛି। ତୃତୀୟ ମହଲାରେ ଫାଇଲ୍‌ କାହିଁକି ପଡ଼ି ରହିଛି ବୋଲି ଜଣାଇବା ପାଇଁ ନବୀନ ନିବାସ ଆସିଥିବା ଶ୍ରୀ ମହାନ୍ତି କହିଥିଲେ।

ନବୀନ ନିବାସ ଭିତରକୁ ଯିବା ପାଇଁ ଅନୁମତି ନ ମିଳିବାରୁ ସେମାନେ ବାହାରେ ଧାରଣାରେ ବସିଲେ। ମୁଖ୍ୟମନ୍ତ୍ରୀଙ୍କ ରାଜ‌ନୈତିକ ସଚିବ ଗୋପବନ୍ଧୁ ଦାଶ ସେଠାକୁ ଆସି ଫାଇଲ୍‌ ପ୍ରୋସେସ୍ ହେଉଛି ବୋଲି କହିଥିଲେ। କିଛି ସମୟ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସେହି ପଟେ ଯାଉଥିବା ବେଳେ ଶ୍ରୀ ମହାନ୍ତି ଏ ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଶ୍ରୀ ଜେନା ସେମାନଙ୍କ ସହ ଆଲୋଚନା କରି ଚାଲି ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ତିନି ଜଣ ଯାକ ବିଜେପି ନେତା ନବୀନ ନିବାସ ସାମ୍ନାରେ ବସି ରହିଥିଲେ। ସନ୍ଧ୍ୟାରେ ଡାକ୍ତର ମୁର୍ମୁ ଓ ଶ୍ରୀମତୀ ସାମନ୍ତସିଂହାରଙ୍କୁ ନେଇ ଡିସିପି ସଚିବାଳୟ ଯାଇଥିଲେ। ସେଠାରେ ସ୍ବାସ୍ଥ୍ୟ ସଚିବଙ୍କ ସହ ଉଭୟ ଆଲୋଚନା କଲେ। କିନ୍ତୁ ଚାପରେ ଥିବା ସ୍ବାସ୍ଥ୍ୟ ସଚିବ ଇସ୍ତଫା ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନ ଥିଲେ ବୋଲି ବିଜେପି ଅଭିଯୋଗ କରିଛି। ଆସନ୍ତାକାଲି ଏହି ପ୍ରସଙ୍ଗରେ ବିଜେପି ନେତା ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ସହ ଇସ୍ତଫା ଗୃହୀତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର