ଖସୁଛି ବିଜେପି! ୨୦୧୪ରେ ୨୮୨ ଆସନ ଜିତିଥିବା ବିଜେପି ୨୦୧୮ରେ ୨୭୩କୁ ଖସି ଆସିଛି

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟକା। ୪ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟ ହାସଲ କରିଛି ବିଜେପି। ଖାସକରି କୈରାନା ଓ ଭଣ୍ଡାରା ଗୋଦିଆ ଆସନ ବିଜେପି ହାତରୁ ଖସି ଯାଇଛି। ଉପନିର୍ବାଚନରେ ହାରିବା ବିଜେପି ପାଇଁ କିଛି ନୂଆ କଥା ନୁହେଁ । ୨୦୧୪ ସାଧାରଣ ନିର୍ବାଚନ ପରେ ଉପନିର୍ବାଚନରେ ଲଗାତାର ପରାଜୟ ବରଣ କରି ଆସୁଛି ବିଜେପି । ଯାହା ବିଜେପିର ୨୦୧୯ ନିର୍ବାଚନକୁ ନେଇ ବିଜେପି ଦେଖୁଥିବା ସ୍ୱପ୍ନରେ କିଛି ମାତ୍ରାରେ ବ୍ରେକ ଲଗାଇଛି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ୨୦୧୪ ସାଧାରଣ ନିର୍ବାଚନରେ ଜଲୱା ଦେଖାଇଥିଲା ବିଜେପି। ଦେଶରେ ୨୮୨ଟି ଆସନରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଥିଲା ଗେରୁଆ ଦଳ। ୧୯୮୪ ପରେ ପ୍ରଥମ ଦଳ ଭାବେ ଦୀର୍ଘ ୩୦ ବର୍ଷ ପରେ ଏକାକୀ ବହୁମତ ହାସଲ କରିବା ସହ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା। ଆଉ ଏହାପରେ ପ୍ରତି ରାଜ୍ୟରେ ଗେରୁଆ ବାନା ଉଡ଼ାଇବାକୁ ଯେପରି ପଣ କରି ନେଇଥିଲେ ମୋଦି-ଶାହା ଯୋଡ଼ି। ସ୍ୱତନ୍ତ୍ର ରଣନୀତି ଯୋଗୁଁ ପ୍ରତି ରାଜ୍ୟରେ ବିଜେପିର ବିଜୟ ରଥ ଦୌଡ଼ିବା ଆରମ୍ଭ କରିଥିଲା। ଦେଶର କିଛି ରାଜ୍ୟ ଛାଡ଼ି ଦେଲେ ବାକି ରାଜ୍ୟରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇଥିଲେ ଅମିତ-ମୋଦି ଯୋଡ଼ି। ଏହା ଭିତରେ ମୋଦି ସରକାରକୁ ୪ ବର୍ଷ ପୁରିଛି । କିନ୍ତୁ ଏହି ୪ ବର୍ଷ ମଧ୍ୟରେ ମୋଦି ସରକାରକୁ ଲୋକସଭା ଆସନ ଗୁଡ଼ିକରେ ଲାଗିଛି ବଡ଼ ଝଟକା। ୨୦୧୪ରେ ୨୮୨ ଆସନ ଜିତିଥିବା ବିଜେପି ୨୦୧୮ରେ ୨୭୩କୁ ଖସି ଆସିଛି।

୨୦୧୪ରେ ମୋଦି ସରକାର ଗଠନ ହେବା ପରେ ୨୭ଟି ସିଟରେ ଉପନିର୍ବାଚନ ହୋଇଛି। ଯେଉଁଥିରେ ୧୪ଟି ସିଟ ବିଜେପି କବଜା କରିଥିଲେ ମଧ୍ୟ ଏବେ ହୋଇଥିବା ଉପନିର୍ବାଚନରେ ମାତ୍ର ୫ଟି ସିଟରେ ବିଜୟୀ ହେବାରେ ସକ୍ଷମ ହୋଇଛି । ବାକି ୯ଟି ସିଟରେ ମାଡ଼ ଖାଇଛି ବିଜେପି । ଏପରିକି ନିଜ ଗଡ଼ରେ ପରାଜୟ ବରଣ କରିଛି ବିଜେପି। ଯାହାଦ୍ୱାରା ଲୋକସଭାରେ ବିଜେପିର ସଂଖ୍ୟା ୨୮୨ରୁ ହ୍ରାସ ପାଇ ୨୭୩ରେ ପହଞ୍ଚିଛି। ଖାସକରି ଗୋରଖପୁର ଓ ଫୁଲପୁରରେ ବିଜେପିର ପରାଜୟ ବିଜେପିକୁ ଦେଇଥିଲା ଶକ୍ତ ଧକ୍କା। କାରଣ ଏହି ଦୁଇ ଆସନ ବିଜେପିର ଗଡ଼ ଥିଲା। ଗୋରଖପୁର ଆସନରୁ ଲଗାତାର ଭାବେ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇ ଆସୁଥିବା ବେଳେ ଫୁଲପୁର ଆସନଟି କେଶବ ପ୍ରସାଦ ମୌଯ୍ୟଙ୍କ ପାଇଁ ସବୁଠୁ ସୁରକ୍ଷିତ ଆସନ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏହି ଦୁହେଁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏଠାରେ ହୋଇଥିବା ଉପନିର୍ବାଚନରେ ଜଲୱା ଦେଖାଇଥିଲେ ସପା ଓ ବସପା।

ସମ୍ବନ୍ଧିତ ଖବର