ସରକାରଙ୍କ ପାଖରେ ବୋର୍ଡ ଅଡିଟ୍‌ ରିପୋର୍ଟ: ମେ’ରେ ବୋର୍ଡ ପରିଦର୍ଶନ କରିବେ ଗଣଶିକ୍ଷା ସଚିବ

କଟକ: ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରିନ୍‌ସିପାଲ ସେକ୍ରେଟାରୀ ପ୍ରଦୀପ କୁମାର ମହାପାତ୍ର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବେ। ଗତବର୍ଷ ଅକ୍ଟୋବର ମାସରେ ବୋର୍ଡ କାର୍ଯ୍ୟାଳୟରେ ହୋଇଥିବା ଅଡିଟ୍‌ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ ହେବା ପରେ ଏହା ଉପରେ ତଦନ୍ତ କରିବାକୁ ପ୍ରିନ୍‌ସିପାଲ ସେକ୍ରେଟାରୀ ଶ୍ରୀ ମହାପାତ୍ର କଟକ ଆସୁଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥି ପାଇଁ ବୋର୍ଡ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ପକ୍ଷରୁ ବିଶେଷ ତତ୍ପରତା ଦେଖାଯାଉଥିବା ସୂଚନା ମିଳିଛି।
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟ କାର୍ଯ୍ୟାଳୟରେ ଗତବର୍ଷ ଅକ୍ଟୋବର ମାସରେ ଚାଲିଥିବା ସ୍ୱତନ୍ତ୍ର ଅଡିଟ୍‌ରେ ନାନା ଆର୍ଥିର୍କ ଅନିୟମିତତା ଧରାପଡ଼ିଥିଲା। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଜେନେରାଲ କ୍ୟାସ୍‌ ବୁକ୍‌ ନଥିବା, ବିନା ଟେଣ୍ଡରରେ ୨୦୧୨ ମସିହା ଏକ ନିିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମକୁ ପରୀକ୍ଷା, ସାର୍ଟିଫିକେଟ୍‌, ମାର୍କସିଟ୍‌ କାର୍ଯ୍ୟ ଦେବା, ବୋର୍ଡର ସିକ୍ରେଟ୍‌ ପାଣ୍ଠିକୁ ମନଇଚ୍ଛା ଖର୍ଚ କରାଯାଇଥିବା ଆଦି ଅଡିଟରେ ଧରା ପଡ଼ିଥିଲା। ଏହା ବ୍ୟତୀତ କର୍ମଚାରୀଙ୍କ ପେନସନ୍‌ ଫଣ୍ଡକୁ ଏସ୍‌ବିଆଇ ଲାଇଫ୍‌ରେ ବିନିଯୋଗ କରିବା, ସରକାରୀ ବିନା ଅନୁମୋଦନରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଭଳି ଅନିୟମିତତା ସଂପର୍କରେ ଜଣାପଡ଼ିଥିଲା। ଏହି ଅଡିଟ୍‌ ରିପୋର୍ଟ ସରକାରଙ୍କୁ ରିପୋର୍ଟ ଦାଖଲ କରାଯାଇଛି। ରିପୋର୍ଟ ଆଧାରରେ ବୋର୍ଡ ପକ୍ଷରୁ କି କି ପଦକ୍ଷେପ ନିଆଯାଇଛି ଏସଂକ୍ରାନ୍ତରେ ତଦନ୍ତ କରିବାକୁ ଗଣଶିକ୍ଷା ପ୍ରିନ୍‌ସପାଲ୍‌ ସେକ୍ରେଟାରୀ ବୋର୍ଡ କାର୍ଯ୍ୟାଳୟକୁ ମେ’ରେ ଆସୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର