ସମ୍ବଲପୁର : ଜେଡିଏ ଆନ୍ଦୋଳନ ପ୍ରତ୍ୟାହାର ପରେ ଭିମ୍ସାର୍ରେ ରୋଗୀସେବା କ୍ରମେ ସ୍ବାଭାବିକ ଆଡ଼କୁ ଗତି କରୁଥିବା ବେଳେ ନିର୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ପ୍ରତିବାଦରେ ଜନ ଆନ୍ଦୋଳନ ତେଜିବାରେ ଲାଗିଛି। ତାଙ୍କୁ ଭିମସାର୍ ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ କରିବା ଦାବିରେ ସୋମବାର ବୁର୍ଲା ବନ୍ଦ ଡାକରା ଦିଆ ଯାଇଛି। ଏଥିସହ ବିଜେପି ପକ୍ଷରୁ ସମ୍ବଲପୁର ଅଇଁଠାପାଲିସ୍ଥିତ ବୀର୍ସା ମୁଣ୍ଡା ଛକରେ ୨ ଘଣ୍ଟା ଧରି ଚକା ଜାମ୍ ଆନ୍ଦୋଳନ କରାଯିବ। କଂଗ୍ରେସ ଦଳ ମଧ୍ୟ ବୁର୍ଲା ବନ୍ଦକୁ ସମର୍ଥନ କରୁଥିବା ଜଣାପଡ଼ିଛି। ସେପଟେ ନିର୍ଦେଶକଙ୍କୁ ଛୁଟିରେ ପଠାଯିବା ନିର୍ଦେଶର ପ୍ରତିବାଦରେ ରବିବାର ସ୍ଥାନୀୟ ଗୋଲବଜାର ଛକରେ ବିଜେପି ଯୁବମୋର୍ଚ୍ଚା ତରଫରୁ ସମ୍ବଲପୁର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସେହିପରି ଗୋଶାଲା ଛକରେ ଏକ ହସ୍ତାକ୍ଷର ଅଭିଯାନରେ ବହୁ ଲୋକ ସାମିଲ ହୋଇ ଡା. ପୂଜାହାରୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୁର୍ଲା ସଚେତନ ନାଗରିକ ମଞ୍ଚର ଡାକରାରେ ବୁର୍ଲା ବନ୍ଦ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଏହି ବନ୍ଦବେଳେ ରାସ୍ତା ଅବରୋଧ କରାଯିବ ନାହିଁ ବା ଜରୁରୀ ସ୍ବାସ୍ଥ୍ୟସେବାରେ କୌଣସି ବାଧା ସୃଷ୍ଟି କରାଯିବ ନାହିଁ। କିନ୍ତୁ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଆଦି ସଂପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି। ଏହି ବନ୍ଦକୁ ବିଜେପି ଓ କଂଗ୍ରେସ୍ ଖୋଲାଖୋଲି ଭାବେ ସମର୍ଥନ ଜଣାଇ ଥିବାବେଳେ ବିଜେଡିର ବହୁ କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ବନ୍ଦ ସମୟରେ କୌଣସି ଆଇନ୍ ଶୃଂଖଳା ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ସଂଜୀବ ଅରୋରା ସୂଚନା ଦେଇଛନ୍ତି।
ସେପଟେ କୁଶ ପୁତ୍ତଳିକା ଦାହ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ। କହିଛନ୍ତି ସରକାର ଯେଉଁ ନିଷ୍ପତ୍ତି ନିଅନ୍ତି, ସବୁ ଦିଗରୁ ଭାବିଚିନ୍ତି ନିଅନ୍ତି। କାହା ପ୍ରତି ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି ସରକାର ନିଅନ୍ତି ନାହିଁ। ତାଙ୍କ କୁଶପୁତ୍ତଳିକା ଦାହ କରିବା ଫଳରେ ଯଦି ଭିମ୍ସାରର କୌଣସି ଉନ୍ନତି ହୁଏ ତେବେ ହଜାରେ କୁଶ ପୁତ୍ତଳିକା ଦାହ କଲେ ବି ତାଙ୍କର ଆପତ୍ତି ନାହିଁ ବୋଲି ବିଧାୟକା କହିଛନ୍ତି।