ନାର୍ସୁଲ କାମୁଡ଼ି କୋରାପୁଟ ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ବିଦ୍ରୋହୀ ପ୍ରାର୍ଥୀ ବିଜେଡିରୁ ନିଲମ୍ବିତ

କୋରାପୁଟ : କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ମଧ୍ୟରେ ରହିଥିବା ଫାଟ ପଦାରେ ପଡ଼ିଛି। ଦଳୀୟ ନେତାଙ୍କ ନିର୍ଦେଶକୁ ଖୋଲାଖୋଲି ଅବମାନନା କରି ମଇଦାନକୁ ଓହ୍ଲାଇଥିଲେ ପାର୍ବତୀ ମସ୍ତି। ଶେଷରେ, ସେ ପରାସ୍ତ ‌େହାଇ ଦଳରୁ ନିଲମ୍ବିତ ହୋଇଛନ୍ତି। ଅପରପକ୍ଷେ, ନାର୍ସୁଲ କାମୁଡ଼ି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

କୋରାପୁଟ ଜିଲ୍ଲାରେ ମୋଟ ୨୯ଟି ଜିଲ୍ଲା ପରିଷଦ ଆସନ ରହିଛି। ତେବେ ଏଥିରୁ ଦୁଇଟି ଆସନ ଖାଲି ପଡିଛି। ବାକି ୨୭ଟି ଆସନ ଭିତରୁ ବିଜେଡିର ୨୨, କଂଗ୍ରେସର ୪ ଓ ବିଜେପିର ଜଣେ ସଦସ୍ୟ ରହିଛନ୍ତି। ଆଜି ବିଜେଡିରୁ ଦୁଇଜଣ ଓ କଂଗ୍ରେସରୁ ଜଣେ ସଦସ୍ୟ ଅନୁପସ୍ଥିତ ରହିଥିଲେ। ତେଣୁ ସଂଖ୍ୟା ଦୃଷ୍ଟିରୁ ବି‌ଜେଡିକୁ ଜିଲ୍ଲା ପରିଷଦ ଉପସଭାପତି ପଦ ହାତେଇବାରେ କିଛି ଅସୁବିଧା ନ ଥିଲା। ସବୁଥର ପରି ଏଥର ମଧ୍ୟ ବନ୍ଦ ଲଫାଫାରେ ପ୍ରାର୍ଥୀଙ୍କ ନାମ ଆସିଥିଲା। ଉପସଭାପତି ଭାବେ ନାର୍ସୁଲ କାମୁଡିଙ୍କ ନାମ ଘୋଷଣା କରି ନେତାମାନେ ଭାବିଥିଲେ ଏହାକୁ ସମସ୍ତେ ସହଜରେ ଗ୍ରହଣ କରିନେବେ। କିନ୍ତୁ ଆଶାୟୀ ଥିବା ପାର୍ବତୀ ମସ୍ତି ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରି ନ ଥିଲେ। ସେ ବିଦ୍ରୋହୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କର ପ୍ରସ୍ତାବକ ଓ ସମର୍ଥକ ଭାବେ ମମତା କୁଲଦୀପ ଓ ଲକ୍ଷ୍ମୀ ମୀନରବାଲିଆ ରହିଥିଲେ। ବିଜେଡିର ହିଁ ସଭ୍ୟା ମମତା ତାଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। ଏପଟେ ବିଜେଡିର ୨୦ ଜଣ ସଦସ୍ୟ ଆଜି ଉପସ୍ଥିତ ରହିଥିଲା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ମିଳିଥିଲା ୧୬ ଖଣ୍ଡ ଭୋଟ। ଦଳୀୟ ପ୍ରାର୍ଥୀ ଭାବେ ନାର୍ସୁଲ କାମୁଡି ବିଜୟୀ ହୋଇଥିଲେ ମଧ୍ୟ ଦଳ ଭିତରେ କ୍ରସ ଭୋଟିଂ ହୋଇଥିବା ସ୍ପଷ୍ଟ ହୋଇଯାଇଛି।

ବିଜେଡିରେ ଏମିତି ଖୋଲା‌ଖୋଲି ବିଦ୍ରୋହକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଦଳୀୟ ନେତା। ପାର୍ବତୀ ମସ୍ତିଙ୍କୁ ଦଳ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରିଛି। ଅନ୍ୟପକ୍ଷରେ, କେଉଁମାନେ କ୍ରସ୍‌ ଭୋଟିଂ କରିଛି ତାହା ଅନୁଧ୍ୟାନ କରାଯାଉଛି ବୋଲି ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର