ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜନୈତିକ ଦଳଙ୍କ ସହ ବୈଠକ : ନିର୍ବାଚନ ଖର୍ଚ୍ଚ ପ୍ରାର୍ଥୀ ରେଜିଷ୍ଟରରେ ଲେଖି ରଖିବେ

ଭୁବନେଶ୍ବର : ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କର ଦୈନଦିନ ଖର୍ଚ୍ଚ ହିସାବ ରେଜିଷ୍ଟରରେ ଲେଖି ରଖିବେ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର କର୍ମୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ସଂକ୍ରାନ୍ତ ହିସାବ ସମ୍ପର୍କରେ ବିବରଣୀ ରଖିବା ନେଇ ଅବଗତ କରାଯାଇଛି।

ସାଧାରଣ ନିର୍ବାଚନରେ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନ ସରିବା ପରେ ସ୍ବଚ୍ଛତାର ସହ ଖର୍ଚ୍ଚ ହିସାବ କିପରି ପ୍ରଦାନ କରିପାରିବେ ସେ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାର ରାଜନୈତିକ ଦଳର କର୍ମୀମାନଙ୍କୁ ଅବଗତ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆସନ୍ତା ନିର୍ବାଚନରେ ପ୍ରାର୍ଥିମାନେ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ଏକ ରେଜିଷ୍ଟରରେ ଲିପିବଦ୍ଧି କରି ରଖିବେ। ନିର୍ବାଚନ ବ୍ୟୟ ଖାତାରେ ପ୍ରାର୍ଥୀ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ନକରି ସଠିକ୍ ଭାବେ ହିସାବ ରଖିବା ସହ ଦଳର ଖର୍ଚ୍ଚ ବିବରଣୀ ରଖିବା ନିତାନ୍ତ ଆବଶ୍ୟକ। ପ୍ରତ୍ୟେକ ପ୍ରାର୍ଥୀ ନିଜ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ଏକ ଛାୟା ରେଜିଷ୍ଟର ବ୍ୟବହାର କରିବେ।

ପ୍ରକାଶଥାଉକି, ଗତମାସ ୨୫ ତାରିଖରେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଦିଲ୍ଲୀଠାରେ ଜାତୀୟସ୍ତରର ସମସ୍ତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର କୋଷାଧ୍ୟକ୍ଷ ଓ ସାଧାରଣ ସମ୍ପାଦକମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଶନିବାର ଭୁବନେଶ୍ବରରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ମୁଖପାତ୍ର ସସ୍ମିତ୍ ପାତ୍ର, ମୁଖପାତ୍ର ଲେନିନ୍ ମହାନ୍ତି, ମୁଖପାତ୍ର ସୁଲୋଚନା ଦାସ, ମୁଖପାତ୍ର ସୁଲତା ଦେଓଙ୍କ ସମେତ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ହରିବଲ୍ଲଭ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର