ଥରଉଛି ମାଘ ଜାଡ଼

ଭୁବନେଶ୍ବର : ଉତ୍ତରରୁ ଉପାନ୍ତ। ଅଥବା ପଶ୍ଚିମରୁ ଦକ୍ଷିଣ ଓଡ଼ିଶା। ସବୁଠି ତଳ ମୁହାଁ ପାରଦ। ଅସ୍ତବ୍ୟସ୍ତ କରିପକାଇଲାଣି ଥଣ୍ଡା। ମାଘ ମାସରେ ବାଘ ଭଳି ଜାଡ଼ ଅନୁଭୂତ ହେଉଛି। ଶରୀର କାଲୁଆ କରି ପକାଉଛି। ସନ୍ଧ୍ୟା ହେବା କ୍ଷଣି ଲୋକେ ଘରେ ପଶୁଛନ୍ତି ଯେ ସକାଳ ୯ଟା ନ ହେବା ଯାଏ ପଦାକୁ ବାହାରିପାରୁ ନାହାନ୍ତି।

ଠାଏ ଠାଏ ତୁଷାରପାତ ବି ହେଉଛି। ଭୋର ସମୟରେ ନଡ଼ା‌ ଗଦା, ଆଜବେଷ୍ଟ, କାଠ ଉପରେ ତୁଷାରର ଆସ୍ତରଣ ଦେଖିବାକୁ ମିଳୁଛି। ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ସ୍ଥିତି ଅଧିକ ଜଟିଳ ହୋଇଛି। ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଥଣ୍ଡାର ମାତ୍ରା କେତେବେଳେ କ’ଣ ରହିବ ତାହାର ବି ପୂର୍ବାନୁମାନ କରିବା ସମ୍ଭବପର ହେଉ ନାହିଁ। ଗତକାଲି ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ଆଉ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି ହୋଇଛି।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଫେବ୍ରୁଆରି ୧ ତାରିଖ ସକାଳେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେବ। ଏବେ ଉତ୍ତର ଓ ପଶ୍ଚିମ ଭାରତରେ ଯେଉଁଭଳି ଥଣ୍ଡା ଅନୁଭୂତ ହେଉଛି ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉପୁଜିବ। ସର୍ବନିମ୍ନ ତାପମାତ୍ରା ହାରାହାରିଠାରୁ ୩ରୁ ୫ ଡିଗ୍ରି ତଳେ ରହିବ। କଶ୍ମୀର ଓ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ବର୍ଷା ସହ ବରଫ ପଡ଼ିବ। ଉତ୍ତରାଖଣ୍ଡ, ପଞ୍ଜାମ, ହରିୟାଣା, ଛତିଶଗଡ଼, ପଶ୍ଚିମ ଉତ୍ତର‌ପ୍ରଦେଶ, ଉତ୍ତର ରାଜସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ଝଡ଼ ଲାଗିରହିବ। ଓଡ଼ିଶା ସମେତ ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିଦର୍ଭ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ଥଣ୍ଡା ହେବ। ଓଡ଼ିଶାରେ ପ୍ରଚଣ୍ଡ ଥଣ୍ଡା ହେବାକୁ ଥିବାରୁ ରାଜ୍ୟ ସରକାର ଆଲର୍ଟ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଫେବ୍ରୁଆରି ୨ରେ ଓଡ଼ିଶା ସମେତ ଗୁଜୁରାଟରେ ପ୍ରବଳ ଥଣ୍ଡା ଲାଗିରହିବାକୁ ଥିବା ବେଳେ ପଞ୍ଜାବ, ହରିୟାନା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଘନ କୁହୁଡ଼ି ହେବା ନେଇ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଶୁକ୍ରବାର ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରଚଣ୍ଡ ଥଣ୍ଡା ଲାଗିରହିବ ଓ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ଥଣ୍ଡା ହେବ। ଶନିବାର ପାଇଁ ୧୫ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ‌ହେବ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲା ପାଇଁ ସତର୍କସୂଚନା ଜାରି ହୋଇଛି। ଫେବ୍ରୁଆରି ୩ ପର୍ଯ୍ୟନ୍ତ ଦିନର ତାପମାତ୍ରା ସାମାନ୍ୟ ବଢ଼ିବ। କେତେକ ସ୍ଥାନରେ ପୁଣିଥରେ ୩୦ ଡିଗ୍ରି ଟପିବାର ସମ୍ଭାବନା ରହିଛି।

ସେପଟେ ଆଜି ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଓ ଅନୁଗୁଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୬.୨, ଫୁଲବାଣୀରେ ୬.୮, ବଲାଙ୍ଗୀରରେ ୭.୪, ଟିଟିଲାଗଡ଼ରେ ୭.୫ ଡିଗ୍ରି ରହିଥିଲା। ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ତଳ ମୁହାଁ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ କିନ୍ତୁ ରାତିର ତାପମାତ୍ରା ସ୍ଥିର ରହିଛି।

ସମ୍ବନ୍ଧିତ ଖବର