ଭୁବନେଶ୍ବର : ଆଜି ସୁଦ୍ଧା ଶୀତଳ ଭଣ୍ଡାର ମାଲିକ ସଂଘର ଧର୍ମଘଟ ୨୨ଦିନରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ସେମାନଙ୍କ ସହିତ ଆଲୋଚନା କରିବାକୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତମାନ ଆଳୁର ଅମଳ ଋତୁ। ଏହା ସତ୍ତ୍ବେ ଧର୍ମଘଟ ଜାରି ରହିଥିବାରୁ ଶୀତଳ ଭଣ୍ଡାରଗୁଡ଼ିକରେ ଆଳୁ ସଂରକ୍ଷଣ ଠପ୍ ହୋଇପଡ଼ିଛି। ସେ ପଟେ ବୃହତ୍ ଆଳୁ ଉତ୍ପାଦନକାରୀ ରାଜ୍ୟ ପଶ୍ଚିମବଙ୍ଗରେ ଅଦିନିଆ ଲଗାଣ ବର୍ଷା ହୋଇଯାଇଛି। ଏହାର ପ୍ରଭାବରେ ଆଳୁ ଅମଳ ବାଧାପ୍ରାପ୍ତ ହୋଇଥିବାର ଖବର ମିଳୁଛି। ଫଳରେ ଅମଳ ଋତୁ ପରେ ଆଳୁ ଦର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏହାର ପ୍ରଭାବରେ ବିଶେଷ କରି ତିରୋଟ ବେଳେ ରାଜ୍ୟରେ ଆଳୁ ଦର ଆକାଶଛୁଆଁ ହେବାର ଆଶଙ୍କାକୁ ଏଡ଼ାଇ ହେବନାହିଁ।
ଏହି ଧର୍ମଘଟ ସଂପର୍କରେ ଓଡ଼ିଶା ଶୀତଳ ଭଣ୍ଡାର ସଂଘ ସଂପାଦକ ଜନାର୍ଦନ ସାହୁ କହିଛନ୍ତି ଯେ ରାଜ୍ୟରେ ଗଢ଼ି ଉଠିଥିବା ଶୀତଳ ଭଣ୍ଡାରଗୁଡ଼ିକର ସ୍ଥିତି ଉପରେ ବିପଦ ଦେଖାଦେଇଛି। ଏହା ଫଳରେ ଚାଷୀମାନେ ପ୍ରଭାବିତ ହେବାର ଆଶଙ୍କା ଅଧିକ। ତଥାପି ସରକାରୀ ସ୍ତରରେ ଉଦ୍ବେଗ ପ୍ରକାଶ ପାଉନାହିଁ। ଏପରି ସ୍ଥିତିରେ ପ୍ରଭାବିତ ଚାଷୀମାନେ ବହୁ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଳାଇବେ ଏବଂ ନିର୍ବାଚନ ବେଳେ ଚାଷୀଙ୍କୁ ନେଇ ଗଠିତ ଭୋଟବ୍ୟାଙ୍କ କ୍ଷତିଗ୍ରସ୍ତ ହେବ। ଏହା ପ୍ରତ୍ୟକ୍ଷରେ ଶାସକ ଦଳକୁ ପ୍ରଭାବିତ କରିବ ବୋଲି ଶ୍ରୀ ସାହୁ ଚେତାଇ ଦେଇଛନ୍ତିି। ଏହି ଧର୍ମଘଟରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଶ୍ୟାମ ପନ୍ସାରୀ, ଉପ ସଭାପତି ପ୍ରଭାତ ତିବ୍ରୱାଲ୍, ରଞ୍ଜିତ ବାଲା, ସୁରେଶ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି।