ଥଣ୍ଡା ଆଉ ୨୪ ଘଣ୍ଟା

‌ଭୁବନେଶ୍ବର : କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାତିର ତାପାମତ୍ରା ଏକରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଥଣ୍ଡା ସାଙ୍ଗକୁ ଜଗତ୍‌ସିଂହପୁର ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବାର ଆଶଙ୍କା ରହିଛି। ଭୋର୍‌ ୫ଟାରୁ ୮ଟା ପର୍ଯ୍ୟନ୍ତ କୁହୁଡ଼ିର ମାତ୍ରା‌ ଅଧିକ ରହିବ। ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ ଅନୁଗୁଳ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରରେ ଥଣ୍ଡାର ପ୍ରକୋପ ଅଧିକ ରହିବ। କିନ୍ତୁ ଦିନର ତାପମାତ୍ରାରେ ସେଭଳି କୌଣସି ଫରକ ଆସିବ ନାହିଁ। ଧୀରେ ଧୀରେ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ଅପେକ୍ଷା ଆଜି କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୭ ଡିଗ୍ରିରେ ପହଞ୍ଚିଛି। ଆଜି ମୋଟ ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀ ବ୍ୟତୀତ ସୋନପୁରରେ ୮.୪, ଅନୁଗୁଳରେ ୮.୬, ଦାରିଙ୍ଗବାଡ଼ିରେ ୯, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୯.୫, ଭବାନୀପାଟଣା, ଝାରସୁଗୁଡ଼ା ଓ କେନ୍ଦୁଝର ଗଡ଼ରେ ୯.୮ ଡିଗ୍ରି ରହିଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧.୮ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର