ସଙ୍ଗୀତକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଜରୁରି

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ

ଗବେଷକ ଅସିତ ମହାନ୍ତିଙ୍କ ସମେତ ୫ ଜଣଙ୍କୁ ଡି.ଲିଟ୍‌
ଆଦିବାସୀ କଳା ଓ ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ସଂରକ୍ଷଣ ପାଠ୍ୟକ୍ରମ ଖୋଲିବ

ଭୁବନେଶ୍ୱର : ସଙ୍ଗୀତକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ପ୍ରଚାର ପ୍ରସାର କରାଗଲେ ତାହା ବ୍ୟାପକ ହେବ। ଏ କ୍ଷେତ୍ରରେ ଗବେଷକ ତଥା ସଙ୍ଗୀତଜ୍ଞଙ୍କ ପ୍ର୍ରମୁଖ ଭୂମିକା ରହିଛି। ସେମାନେ ସଙ୍ଗୀତ ଭିତରେ ନିଜକୁ ବୁଡ଼ାଇବା ଦରକାର। ନିଜ ଅଞ୍ଚଳର ସାମାଜିକ-ସାଂସ୍କୃତିକ-ଧାର୍ମିକ ଇତିହାସକୁ ଭଲ ଭାବେ ବୁଝିବାର ଆବଶ୍ୟକତା ରହିଛି। ଏଥିସହ ଲୋକକଳା, ଆଦିବାସୀ ଓ ଶାସ୍ତ୍ରୀୟ ବ୍ୟବସ୍ଥାକୁ ସଠିକ୍‌ ଭାବେ ଜାଣିପାରିଲେ ସଙ୍ଗୀତଜ୍ଞଙ୍କ ଗବେଷଣା ଉଚ୍ଚକୋଟୀର ହୋଇପାରିବ ବୋଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୬ଷ୍ଠ ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସନ୍ତୁର ବାଦକ ପଦ୍ମଶ୍ରୀ ପଣ୍ଡିତ ଭଜନ ସପୋରି କହିଛନ୍ତି।

ମଦରପୁରସ୍ଥିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ଏହି ଉତ୍ସବରେ ପଣ୍ଡିତ ସପୋରି ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।
କୁଳପତି ପ୍ରଫେସର କମଲକାନ୍ତ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ଆଗାମୀ ଦିନରେ ଏହି ବିଶ୍ୱବିଦ୍ୟାଳୟରେ ଆଦିବାସୀ କଳା ଓ ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ସଂରକ୍ଷଣ ବିଷୟରେ ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତିିି ହୋଇଛି। ଏଥିସହ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଗବେଷଣା ପାଇଁ କ୍ୟାମ୍ପସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ।

ଏହି ଅବସରରେ କଳା, ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସନ୍ତୁର ବାଦକ ପଦ୍ମଶ୍ରୀ ପଣ୍ଡିତ ଭଜନ ସପୋରି, ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଦାସ, ବିଶିଷ୍ଟ ଲେଖକ ଓ ଗବେଷକ ଅସିତ ମହାନ୍ତି ଏବଂ ତବଲା ବାଦକ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ସମ୍ମାନସୂଚକ ଭାବେ ସାରସ୍ୱତ-ପରମ-ଭୂଷଣ (ଡି.ଲିଟ୍‌)ଉପାଧି ପ୍ରଦାନ କରାଯାଇଥିଲା। କଳା, ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡ. ନିରଞ୍ଜନ ମହାନ୍ତି, ଡ. ବାବୁରାମ ନାୟକ, ଡ. ଧୀରଜ କୁମାର ମହାପାତ୍ରଙ୍କୁ ପିଏଚ୍‌ଡି ଡିଗ୍ରି ଏବଂ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବିଭିନ୍ନ ବିଷୟରେ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା।

ଉତ୍ସବରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସୁମନ ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଡ. ଜଗନ୍ନାଥ କୁଅଁର, ପରୀକ୍ଷା ନିୟନ୍ତ୍ରକ ମନୀନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଉତ୍ସବ ସଞ୍ଚାଳନ କରିଥିଲେ।

ସମ୍ମାନିତଙ୍କ ମୁହଁରୁ

ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍‌ ପାଇବା ଅତି ଖୁସିର କଥା। ଯେଉଁ କଳା, ସଂସ୍କୃତି, ଐତିହ୍ୟ ଲାଗି ଓଡ଼ିଶା ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ପାଇଛି ସେଠାରୁ ସମ୍ମାନ ପାଇବା ଦ୍ୱାରା ନିଜକୁ ଗୌରାବାନ୍ଵିତ ମନେ କରୁଛି। ସଙ୍ଗୀତରୁ ଜୀବନ ଆରମ୍ଭ କରିଛି। ତାହାକୁ ଆଗକୁ ବଢ଼ାଇବା କ୍ଷେତ୍ରରେ ଏହି ସମ୍ମାନ ଉତ୍ସାହିତ କରିବ।
ପଦ୍ମଶ୍ରୀ ଭଜନ ସପୋରି, ସନ୍ତୁର ବାଦକ

ସାହିତ୍ୟ କ୍ଷେତ୍ର ଲାଗି ସମ୍ମାନସୂଚକ ଡକ୍ଟରେଟ୍‌ ପାଇଥିବାରୁ ଖୁସି ଲାଗୁଛି। ଯେଉଁ ଗବେଷଣା ଲାଗି ସମ୍ମାନିତ ହୋଇଛି ସେ କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବି। ଓଡ଼ିଶାର ସ୍ୱାର୍ଥ ଓ ସଂସ୍କୃତି ଲାଗି ଅଧିକ ଗବେଷଣାତ୍ମକ କାର୍ଯ୍ୟ କରିବା ନିମନ୍ତେ ଏହା ମୋତେ ପ୍ରେରଣା ଦେବ।
ଅସିତ ମହାନ୍ତି, ସାହିତ୍ୟିକ ଓ ସଂସ୍କୃତି ଗବେଷକ

ସମ୍ମାନସୂଚନ ଡକ୍ଟରେଟ୍‌ ଆଗକୁ ନେବା କ୍ଷେତ୍ରରେ ପ୍ରେରଣା ଯୋଗାଇବ। ବିଦେଶରେ ଯେତେ ନାଁ କଲେ ମଧ୍ୟ ନିଜ ରାଜ୍ୟରୁ ଡି.ଲିଟ୍‌ ଉପାଧି ପାଇବାର ଅନୁଭୂତି ନିଆରା। ଓଡ଼ିଶାରେ ଥିବା ପ୍ରତିଭାବାନ କଳାକାରଙ୍କୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ଶିକ୍ଷାନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୋର ଆଶା ଓ ବିଶ୍ୱାସ।
ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଚଳଚ୍ଚିତ୍ର ନିର୍ମାତା

ଆଜିର ଏହି କାର୍ଯ୍ୟକ୍ରମ ସମାବର୍ତନ ଉତ୍ସବ ପରି ଲାଗିଲା ନାହିଁ। ଯେଉଁଠି କୁଳାଧିପତି ତଥା ରାଜ୍ୟପାଳ ଅନୁପସ୍ଥିତ ରହିଛନ୍ତି ସେଠାରେ ଉତ୍ସବ କିଛି ମାନେ ରଖେନା। ତଥାପି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡି.ଲିଟ୍‌ ମିଳିଥିବାରୁ ଖୁସି ଲାଗୁଛି। ଏହି ସମ୍ମାନ ମୋତେ ଜୀବନର ଶେଷ ପର୍ଯ୍ୟନ୍ତ ନିର୍ଦେଶନା ଲାଗି ପ୍ରେରଣା ଯୋଗାଇବ।
ସଚ୍ଚିଦାନନ୍ଦ ଦାସ, ନାଟ୍ୟ ନିର୍ଦେଶକ

ବହୁତ ବିଳମ୍ବ ହୋଇଗଲା। ୧୦ ବର୍ଷ ପୂର୍ବରୁ ଡି.ଲିଟ୍‌ ମିଳିବାର ଥିଲା। ତଥାପି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତଥା ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ମୋତେ ମନେ ରଖିଥିବାରୁ ଖୁସି ଲାଗୁଛି। ସଙ୍ଗୀତର ସାଧନା ଏଭଳି ଜାରି ରହିବ।
ପଣ୍ଡିତ ହରମୋହନ ଖୁଣ୍ଟିଆ, ତବଲା ବାଦକ

ସମ୍ବନ୍ଧିତ ଖବର