ଚିଙ୍ଗୁଡ଼ିଘେରିରୁ କୁମ୍ଭୀର ଉଦ୍ଧାର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କରଞ୍ଜମାଳ ପଂଚାୟତ ବଇଁଚା ଗାଁର ଅଂଶୁମାନ ମଣ୍ଡଳଙ୍କ ଚିଙ୍ଗୁଡିଘେରିରୁ ଆଜି ୮ ଫୁଟ୍‌ ଲଭ୍ଵର ଏକ ବଉଳା କୁମ୍ଭୀର ଉଦ୍ଧାର ହୋଇଛି। ଗତକାଲି ଜୁଆର ବେଳେ କୁମ୍ଭୀରଟି ବୈତରଣୀ ନଦୀର ଶାଖା ନଦୀ ମନ୍ତେଇରୁ ଲୁଣା କେନାଲ ଦେଇ ପଶି ଆସିଥିବା ସନ୍ଦେହ କରାଯାଉଛି। ଜୁଆର ଛାଡିଯିବା ପରେ କୁମ୍ଭୀରଟି ନଦୀକୁ ଫେରି ନପାରି ଚିଙ୍ଗୁଡ଼ିଘେରିକୁ ପଶି ଆସିଥିଲା। ଆଜି ଚିଙ୍ଗୁଡିଘେରିର ପାଣି ଢ଼େଉ ମାରୁଥିବା ଦେଖି ଘେରିରେ କାମ କରୁଥିବା ଲୋକେ ମାଲିକଙ୍କୁ ଜଣାଇଥିଲେ। ପରେ ମାଲିକ ଓ କର୍ମଚାରୀମାନେ କୁମ୍ଭୀର ମୁଣ୍ଡ ଟେକିଥିବା ଦେଖି ଭୟଭୀତ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଲୋକଙ୍କୁ ଦେଖି କୁମ୍ଭୀର ମଧ୍ୟ ପାଣି ଭିତରେ ଲୁଚିଯାଇଥିଲା। ଖବର ପାଇ ଭଦ୍ରକ ବନ ଉପଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ରେଞ୍ଜର ଅରୁଣ କୁମାର ବେହେରା, ଗଦାଧର ବଳ ଓ ବନବିଭାଗର ଅନ୍ୟ କର୍ମଚାରୀ ଆଜି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରି ନଦୀରେ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର