ବିଜେଡିରେ ନୂଆ ପିଢ଼ିଙ୍କୁ ସୁଯୋଗ : ଧନ୍ୟବାଦ ଦେବାକୁ ନବୀନ ନିବାସରେ ବାପ-ପୁଅଙ୍କ ଭିଡ଼

ଭୁବନେଶ୍ବର : ବୁଧବାର ବାପାଙ୍କ ବଦଳରେ ପୁଅମାନଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଭରସା କରି ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା କଲେ। ଗୁରୁବାର ମୁଖିଆଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ବାପ ପୁଅ ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ ବିଶ୍ବାଳ ନିଜ ବାପାଙ୍କ ସହ ଫୁଲ ତୋଡ଼ା ଧରି ନବୀନଙ୍କୁ ଧନ୍ୟବାଦ ଦେବାକୁ ପହଞ୍ଚିଥିଲେ। ସେହିପରି ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ, ବାସୁଦେବପୁର ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁ ବ୍ରତ ରାଉତରାୟ ଓ ଭଦ୍ରକର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳ ବି ନବୀନ ନିବାସ ଆସି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଥିଲେ।

ଗୁରୁବାର ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ ପୁଅ ସୌଭିକ ବିଶ୍ବାଳ ସହ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌଭିକ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ବାସଭାଜନ ହୋଇପାରିଛନ୍ତି। ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରେ ତାଙ୍କ ବାପା ଲୋକଙ୍କ ପାଇଁ ଅନେକ କାମ କରିଛନ୍ତି। ନୂଆ କରି ସେ ନିର୍ବାଚନ ମଇଦାକୁ ଓହ୍ଲାଇଲେ ବି ମୁଖ୍ୟମନ୍ତ୍ରୀଙ୍କର ବିକାଶ କାର୍ଯ୍ୟକ୍ରମକୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଗକୁ ବଢ଼ାଇବାକୁ ସେ ଉଦ୍ୟମ କରିବେ। ଖୋଦ ବିଧାୟକ ପ୍ରଭାତ ବିଶ୍ବାଳ କହିଥିଲେ ତାଙ୍କ ଉପରେ ଚିଟଫଣ୍ଡର କାଳିମା ଧୀରେ ଧୀରେ ହଟିବାକୁ ଲାଗିଲାଣି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ପୁଅ ସାମିଲ ହେବ ବୋଲି ସେ ଆଶାବାଦୀ। ସେହିପରି ବାଙ୍କୀ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପରେ କହିଥିଲେ, ନିର୍ଚାଚନରେ ଜିତିଲେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ସବୁ ଜମିକୁ ଜଳସେଚନ ଯୋଗାଇ ଦେବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମ ଓ ବାଙ୍କୀରେ ତାଙ୍କ ବାପା ବିଧାୟକ ପ୍ରଭାତ ତ୍ରିପାଠୀ ଯେପରି ବିକାଶକୁ ଆଗେଇ ନେଇଛନ୍ତି ସେଥିରେ ବିଜୁ ଜନତା ଦଳ ବିଜୟ ହାସଲ କରିବ ବୋଲି ସେ ଆଶା ରଖିଛନ୍ତି।

ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପୁଅ ବିଷ୍ଣୁ ବ୍ରତ ରାଉତରାୟଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀରାଉତରାୟ କହିଥିଲେ ତାଙ୍କ ଜନ୍ମ ରାଜନୀତି ପରିବାରରେ। ତାଙ୍କ ଜେଜେବାପା ମୁଖ୍ୟମନ୍ତ୍ରୀ ରହିବା ସହ ବାପା ମଧ୍ୟ ମନ୍ତ୍ରୀ ଅଛନ୍ତି। ପିଲାଟିବେଳୁ ରାଜନୀତିକୁ ଖୁବ୍ ନିକଟରୁ ଦେଖିଆସିଛନ୍ତି। ବିଜେଡି ସଭାପତି ତାଙ୍କୁ ଯେଉଁ ସୁଯୋଗ ଦେଇଛନ୍ତି ତାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି କହିଥିଲେ। ସେହିପରି ଭଦ୍ରକ ଲୋକସଭା ଆସନ ପାଇଁ ବିଜେଡିର ଘୋଷିତ ପ୍ରାର୍ଥୀ ତଥା ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳ କହିଥିଲେ ମୁଖ୍ୟମନ୍ତ୍ରୀ ନାରି ଶକ୍ତୀକରଣକୁ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଲୋକସଭାରେ ୩୩% ସଂରକ୍ଷଣ ଦେବାକୁ ଯାହା ଘୋଷଣା କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ତାଙ୍କ ଭଳି ଜଣେ ମହିଳାଙ୍କୁ ଏ ସୁଯୋଗ ଦେଇଥିବା ସେ ସଭାପତିଙ୍କ ପାଖରେ ସାରାଜୀବନ କୃତଜ୍ଞ ରହିବେ। ଏହି ଅବସରରେ ଶ୍ରୀମଣ୍ଡଳ କହିଥିଲେ ଧାମନଗର ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେ ସବୁବେଳେ ତାଙ୍କୁ ସହଯୋଗ କରିଆସିଛନ୍ତି।

ସମ୍ବନ୍ଧିତ ଖବର