ତିତ୍‌ଲି ମୃତ୍ୟୁ ୬୧କୁ ଛୁଇଁଲା : ପୁନରୁଦ୍ଧାର କାର୍ଯ୍ୟ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ପଠାଇବେ ପର୍ଯ୍ୟବେକ୍ଷକ

ଭୁବନେଶ୍ବର : ବାତ୍ୟା ତିତଲି ଏବଂ ପରବର୍ତୀ ବନ୍ୟା ଓ ବର୍ଷା ବିତ୍ପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଲାଣି। ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। କାରଣ ନିଖୋଜ ଥିବା ବ୍ୟକ୍ତିଙ୍କ ସମେତ ଆଉ ୧୧ ଜଣଙ୍କ ସଂପର୍କରେ ତଦନ୍ତ ଚାଲିଛି। ଏଥି ମଧ୍ୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ୩ ଜଣ। ଆଜି ସରକାରୀ ଭାବେ ଏହି ସୂଚନା ଦିଆଯାଇଛି।

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସଚିବାଳୟରେ ତୁହାକୁ ତୁହା ବୈଠକ ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପୃଥକ ପୃଥକ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅଧିକାରୀମାନେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ଠିକ୍ ଚାଲିଛି ବୋଲି ତଥ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଆଉ ସତର୍କ କରାଇଦେଇଥିଲେ, କାମର କେତେ ଅଗ୍ରଗତି ହୋଇଛି ତାହା ଜାଣିବା ପାଇଁ ୫ ଦିନ ପରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ପଠାଯିବ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା, ରାୟଗଡ଼ାର କିଛି ଦୁଗର୍ମ ଅଞ୍ଚଳକୁ ବାଦ୍‌ ଦେଲେ ଅଧିକାଂଶ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇସାରିଛି। ଆସନ୍ତା ୪ ଦିନ ମଧ୍ୟରେ ସବୁ ପଞ୍ଚାୟତକୁ ବିଦ୍ୟୁତ୍‌ ପୁନଃସଂଯୋଗ କରାଯିବ। କ୍ଷତିଗ୍ରସ୍ତ ଲୋକମାନଙ୍କୁ ସ୍ବତନ୍ତ୍ର ରିଲିଫ ବାବଦରେ ନଗଦ ୧ ହଜାର ଟଙ୍କା ଓ ୫୦ କିଲୋ ଚାଉଳ ଓ ଅଢ଼େଇ ଲିଟର କିରାସିନି ଦିଆଯାଇଛି। ଅବଶିଷ୍ଟ ରିଲିଫ ଟଙ୍କା ଡିବିଟି ଜରିଆରେ ସେମାନଙ୍କ ଆକାଉଣ୍ଟକୁ ତୁରନ୍ତ ଜମା କରିବାକୁ ନିର୍ଦେଶ ଦିଆଯାଇଥିଲା। ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ ଓ କ୍ଷୟକ୍ଷତି ଆକଳନ ଆଦି କାମ ଖୁବ୍ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକର ଆକଳନ ଅନୁଯାୟୀ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୧.୯୮ ଲକ୍ଷ ହେକ୍ଟର ଜମିରେ ଧାନ ଓ ୭୫୩୪୮ ହେକ୍ଟର ଜମିରେ ଅନ୍ୟାନ୍ୟ ଫସଲ ଏହିରୂପେ ମୋଟି ୨.୭୩ ଲକ୍ଷ ହେକ୍ଟର ଜମିରେ ଫସଲହାନି ଘଟିଛି। ଆସନ୍ତା ୭ ଦିନ ଭିତରେ ଚାଷୀୱାରୀ କ୍ଷୟକ୍ଷତିର ଆକଳନ ସାରିବା ପାଇଁ ମୁଖ୍ୟ ସଚିବ କୃଷି ବିଭାଗକୁ ନିର୍ଦେଶ ଦେଇଥିଲେ। ସେହିପରି ପଶୁସମ୍ବଳ ହରାଇଥିବା ପରିବାରମାନଙ୍କୁ ଠିକ୍‌ ଭାବେ ଚିହ୍ନଟ କରି ସେମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଥିଲେ। ଇତି ମଧ୍ୟରେ କେନାଲ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ମରାମତି ସରିଛି। ଅଧିକାଂଶ ଅଞ୍ଚଳରେ ଜଳଯୋଗାଣ ଆରମ୍ଭ ହୋଇଛି।

ବାତ୍ୟା, ବନ୍ୟା ଓ ବର୍ଷା ବିତ୍ପାତରେ ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। କିନ୍ତୁ ସୋରଡ଼ାରୁ ଗାଜଲବାଡ଼ି ରାସ୍ତାରେ ବଡ଼ ବଡ଼ ପଥର ପଡ଼ିଥିବା ସାଙ୍ଗକୁ ପାହାଡ଼ ଉପରୁ ପଥର ଓ ଗଛ ଆଦି ଝୁଲି ରହିଛି। ଫଳରେ ସୋରଡ଼ା-ଦାରିଙ୍ଗିବାଡ଼ି ରାସ୍ତାରେ ଗମନାଗମନ ଏବେ ବି ସ୍ବାଭାବିକ ହୋଇପାରିନାହିଁ। ରାଜ୍ୟ ରାଜରାସ୍ତା ଓ ଜାତୀୟ ରାଜପଥରେ ହୋଇଥିବା ୭୦ଟି ଘାଇର ମରାମତି ସରିଛି। ଗ୍ରାମାଞ୍ଚଳରେ ପ୍ରଭାବିତ ୫୭୦ଟି ରାସ୍ତା ମଧ୍ୟରୁ ୫୫୭ଟି ମରାମତି ହେବା ପରେ ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇଛି। ମୋଟାମୋଟି ଭାବେ ୯୦ ପ୍ରତିଶତ ରାସ୍ତା ମରାମତି କାର୍ଯ୍ୟ ସରିଥିବା ସମୀକ୍ଷାରୁ ଜଣାଯାଇଛି।

ବାତ୍ୟା ପରବର୍ତୀ ସମୟରେ ପିଇବାପାଣିର ଘୋର ଅଭାବ ସୃଷ୍ଟି ହୋଇଛି। ଏହାକୁ ଦୂର କରିବା ପାଇଁ ୧୬୫୫୭ଟି ନଳକୂପକୁ ବିଶୋଧନ ଓ କାର୍ଯ୍ୟକ୍ଷମ କରାଯାଇଛି। ୬୬୨ଟି ପାଇପଜଳ ପ୍ରକଳ୍ପଗୁଡ଼ିକ ମଧ୍ୟରୁ କାର୍ଯ୍ୟକ୍ଷମ ହୋଇଛି ୫୪୬ଟି ପ୍ରକଳ୍ପ। ଅନ୍ୟ ୩୬ଟି ପ୍ରକଳ୍ପକୁ ଜେନେରେଟର ଯୋଗେ ଚାଲୁଛି। ପ୍ରଭାବିତ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଜିଲ୍ଲାରେ ବିଦ୍ୟୁତ୍‌ ଯୋଗାଣ ପୁନଃସଂଯୋଗ କାର୍ଯ୍ୟ ସରିବା ଉପରେ। ଗଜପତି ଜିଲ୍ଲାରେ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ଶକ୍ତି ବିଭାଗ ପକ୍ଷରୁ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା। ଏହାବ୍ୟତୀତ, ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା କ୍ରମଶଃ ସ୍ବାଭାବିକ ହେଉଥିବା ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର