ଓଡ଼ିଶାରେ ମାତ୍ର ୨ ମାସରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ

୨ ମାସ ମଧ୍ୟରେ ହୋଇଥିବା ଫାଶୀ ଦଣ୍ଡାଦେଶ
୧: ଜୁଲାଇ ୨୬: ଅନୁଗୁଳର ଶ୍ରୀନିବାସ ଦେହୁରୀ
୨: ଅଗଷ୍ଟ ୨୯ : ବାରିପଦାର ଯାମିନୀକାନ୍ତ ମହାନ୍ତି
୩: ସେପ୍ଟେମ୍ବର ୧୦ : ଜଗତସିଂହପୁର‌ର ଲବ ମାନା
୪: ସେପ୍ଟମ୍ବର ୧୯ : ସାଲେପୁରର ମହମ୍ମଦ ମୁସ୍ତାକ

ଭୁବନେଶ୍ବର : ଏଣିକି ଯୌନ ପିଶାଚଙ୍କୁ ଆଉ ନିସ୍ତାର ମିଳିବ ନାହିଁ। ଜେଲ ଦଣ୍ଡ ନୁହେଁ, ଫାଶୀରେ ଖୁଣ୍ଟରେ ଝୁଲାଇ ଦିଆଯିବ। ଓଡ଼ିଶାରେ ମାତ୍ର ଦୁଇ ମାସ ମଧ୍ୟରେ ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରି ସାରିଲେଣି ଅଦାଲତ। ବିଚାରପତିଙ୍କ ଏଭଳି ରାୟ ଏବେ ଯୌନ ପିଶାଚଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଏପରିକି ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଦୁଷ୍କର୍ମ ଅଭିଯୁକ୍ତଙ୍କ ମନରେ ଛନକା ପଶିଗଲାଣି। କେତେବେଳେ ସେମାନଙ୍କ ପାଳି ନ ପଡ଼ିବ ଏହା ଭାବି ଘାରି ହେଲେଣି। ଆଜି କଟକ ସ୍ପେସାଲ ପୋକ୍ସୋ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀ ମହମ୍ମଦ ମୁସ୍ତାକକୁ ଫାଶୀ ଦେବା ପରେ ଏଭଳି ଆଲୋଚନା ଜୋର ଧରିଛି। ଅଦାଲତଙ୍କ ଏଭଳି ରାୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଦୁଷ୍କର୍ମକାରୀମା‌ନେ ଏଭଳି ଫାଶୀ ଦଣ୍ଡରେ ଦଣ୍ଡିତ ହେବା ପଛରେ ପୁଲିସ ବିଭାଗର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରଥମେ ପୁଲିସ ଏଭଳି ମାମଲାକୁ ରେଡ୍‌ ଫ୍ଲାଗ ମାମଲା ଭାବେ ଘୋଷଣା କରୁଛି। ଏହା ପରେ ମାତ୍ର ସପ୍ତାହେରୁ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରୁଛି। ଘଟଣାର ସାକ୍ଷୀ ଓ ପ୍ରମାଣକୁ କୋର୍ଟରେ ଉପସ୍ଥାପନ କରୁଛି। ସାକ୍ଷୀକୁ ମଧ୍ୟ ସୁରକ୍ଷା ଯୋଗାଇ ଦେଉଛି ପୁଲିସ। ଆବଶ୍ୟକସ୍ଥଳେ ବରିଷ୍ଠ ଆଇନଜୀବୀମାନଙ୍କୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପିପି ଭାବେ ନିଯୁକ୍ତି ମିଳୁଛି। ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ସରକାରୀ ଓକିଲମାନଙ୍କୁ ମଧ୍ୟ କୁହାଯାଉଛି। ଫଳରେ ଏବେ ଏଭଳି ଉଲ୍ଲେଖନୀୟ ରାୟ ପ୍ରକାଶ ପାଇ ପାରୁଛି ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।

ତାଙ୍କ କହିବା ମୁତାବକ, ଆମେ ଏବେ ସମସ୍ତ ଘଟଣାର ତଦନ୍ତକାରୀ ଅଫିସରମାନଙ୍କୁ ସମ୍ମାନିତ ମଧ୍ୟ କରୁଛୁ। ଆଗାମୀ ଦିନରେ ପୁଲିସ ବିଭାଗର ପକ୍ଷରୁ ଆହୁରି ଚେଷ୍ଟା କରାଯିବ ଯେମିତି ଦୁଷ୍କର୍ମ ଅଭିଯୁକ୍ତମାନେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇପାରିବେ।

ସମ୍ବନ୍ଧିତ ଖବର