ମୋଦୀଙ୍କୁ ଈର୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ତିତଲି କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାର ନୁହେଁ, ବିଜେପି ପ୍ରଥମେ ପହଞ୍ଚିଥିଲା

ଭୁବନେଶ୍ବର: ଗତକାଲି ନିର୍ବାଚନୀ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟ‌ାର୍ଗେଟ୍‌ କରି ଭୀଷଣ ବର୍ଷିଥିଲେ। ଆଜି ତାହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅଭୂତପୂର୍ବ ଜନସମର୍ଥନ ରହିଛି। କେନ୍ଦ୍ର ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କେବଳ ମୋଦୀଙ୍କ ଉପରେ ଈର୍ଷାନ୍ବିତ ବକ୍ତବ୍ୟ। ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ପ୍ରଧାନ କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପାର ଜନସମର୍ଥନ ସବୁଠି ଦେଖିବାକୁ ମିଳୁଛି। ମୋଦୀଙ୍କ ବିକାଶ ଓ କଲ୍ୟାଣକାରୀ ଯୋଜନା ଉପରେ ଲୋକଙ୍କ ବିଶ୍ବାସ ‌ସୃଷ୍ଟି ହୋଇଛି। ବାତ୍ୟ‌ା ପରଦିନ ଗୋପାଳପୁର ସମୁଦ୍ରକୂଳରେ ନିଜ ଅଧିକାରୀମାନଙ୍କୁ ଲଗାଇ ତିତଲିକୁ ନିୟନ୍ତ୍ରଣ କରିଦେଲେ ବୋଲି କହି ମୁଖ୍ୟମନ୍ତ୍ରୀ ଉତ୍ସବ ମନାଉଥିଲେ। ତେବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ ତଳେ ବସବାସ କରୁଥିବା ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ସରକାର ଜାଣି ନ ଥିଲେ। ଗଣମାଧ୍ୟମରୁ ସୂଚନା ପାଇଲା ପରେ ବିଜେପି ସେହି ଅଞ୍ଚଳକୁ ପ୍ରଥମେ ଯାଇଥିଲା। ତିତଲି କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଆର୍ ଉଦୟଗିରି ଅଞ୍ଚଳରେ ଏବେ ବି ସରକାର ଘର, ରାସ୍ତା, ପିଇବା ପାଣି ସମସ୍ୟାର ସମାଧାନ କରି ନାହାନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗ ସମ୍ପର୍କରେ ଦର୍ଶାଇ ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଏସ୍‌ଡିଆର୍‌ଏଫ୍‌ ଟଙ୍କାର ୬୦ ପ୍ରତିଶତ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡ଼ୁଥିଲା। ତେବେ ନରେନ୍ଦ୍ର ମୋଦୀଙ୍କ ସମୟରେ ଏହି ଭାଗ ବଢ଼ାଯାଇ ୯୦ ପ୍ରତିଶତ କରାଯାଇଥିଲା ବେଳେ ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ଦେବାକୁ ପଡ଼ୁଛି। ତିତଲିର ଅନେକ ଦିନ ପରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପତ୍ର ମାଧ୍ୟମରେ ଜଣାଇ ନ ଥିଲେ। ତାହା ସତ୍ତ୍ବେ କେନ୍ଦ୍ରରୁ ବହୁ ଟଙ୍କା ଆସିଛି। କିନ୍ତୁ ଏଠାରେ କ୍ରିୟାନ୍ବୟନର ଅଭାବ ରହିଛି। ବହୁ ଟଙ୍କା ରାଜ୍ୟ ସରକାରଙ୍କ ପାଖରେ ଥିଲେ ବି ଏନ୍‌ଡିଆର୍‌ଏଫ୍‌ର ଟଙ୍କା ତିତଲି ପ୍ରଭାବିତ ହୋଇ ନ ଥିବା ଅଞ୍ଚଳରେ ଖର୍ଚ୍ଚ କରାଯାଇଥିବା ପ୍ରମାଣ ମିଳିଛି। ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାହାନା ବନାଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର