୩୦ ଦିନ ଅନୁପସ୍ଥିତ ରହିଲେ ଡ୍ରପ୍‌ ଆଉଟ୍‌

ମାଳ ମାଳ ଯୋଜନା ପରେ ବି ଡ୍ରପ୍‌ ଆଉଟ୍‌ ଜାରି

ଭୁବନେଶ୍ୱର : ରାଜ୍ୟରେ ଚିନ୍ତା ବଢ଼ାଉଛି ଡ୍ରପ୍‌ ଆଉଟ୍‌ ରେଟ୍‌। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା ହେଉଥିଲେ ମଧ୍ୟ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ରୋକାଯାଇ ପାରୁନି। ସ୍କୁଲକୁ ଅଣାଯାଉ ଥିଲେ ମଧ୍ୟ ସେମାନେ ପୁଣି ଅଧାରୁ ପାଠ ଛାଡ଼ି ଦେଉଛନ୍ତି। ଯେଉଁଥି ପାଇଁ ଡ୍ରପ ଆଉଟ୍‌ ରେଟ୍‌ରେ ସୁଧାର ଆସିପାରୁନି। ଏହାକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପଦକ୍ଷେପ ନିଆଯାଇଛି। ଯଦି ଜଣେ ପିଲା ନାମଲେଖାଇବା ପରେ ଲଗାତାର ୩୦ ଦିନ ଧରି ଅନୁପସ୍ଥିତ ରହନ୍ତି ତାଙ୍କୁ ଡ୍ରପ୍‌ ଆଉଟ୍‌ ବୋଲି ଘୋଷଣା କରାଯିବ।। ଡ୍ରପ୍‌ ଆଉଟ୍‌ ପିଲାଙ୍କ ଲାଗି ସ୍ୱତନ୍ତ୍ର ତାଲିମ ଉପକରଣ ଯୋଗାଇବା ସହ ବାର୍ଷିକ ପଞ୍ଜିକା ମଧ୍ୟ ପ୍ରସ୍ତୁତ କରାଯାଇଛି।

୬ରୁ ୧୪ ବର୍ଷ ବୟସର ପ୍ରତି ଶିଶୁଙ୍କୁ ସ୍କୁଲକୁ ଆଣିବା ହେଉଛି ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଯଦି ଜଣେ ଶିଶୁ ଥରେ ସ୍କୁଲରେ ନାମଲେଖାଇବା ପରେ ଅଧାରୁ ରହିଯାଉଛି ବିଦ୍ୟାଳୟ କର୍ତୃପକ୍ଷ ତାହାକୁ ଏଣିକି ଗୁରୁତ୍ୱର ସହ ନେବେ। ଲଗାତାର ୭ ଦିନ ଧରି ପିଲାଟି ଶ୍ରେଣୀରେ ଅନୁପସ୍ଥିତ ରହିଲେ ଶିକ୍ଷକମାନେ ତାଙ୍କ ଅଭିଭାବକଙ୍କୁ ଭେଟିବେ। ସ୍କୁଲକୁ ପିଲା କାହିଁକି ଆସୁନି ସେନେଇ ଆଲୋଚନା କରିବେ। ଯଦି ୧୦ ଦିନ ଧରି ନ ଆସନ୍ତି ତେବେ ସ୍କୁଲର ପ୍ରଧାନଶିକ୍ଷକ, ୧୫ ଦିନ ଅନୁପସ୍ଥିତ ରହିଲେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ୧୮ ଦିନ ପରେ ସିଆର୍‌ସିସି/ବିଆର୍‌ସିସିରମାନେ ପିଲାଙ୍କ ଅଭିଭାବକଙ୍କୁ ଭେଟି କାଉନସେଲିଂ କରିବେ। ୩୦ ଦିନ ଧରି ପିଲାଟି ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ ତାହାକୁ ଡ୍ରପ୍‌ ଆଉଟ୍‌ ବୋଲି ଘୋଷଣା କରାଯିବ। ଏହାପରେ ଯଦି ପିଲାଟି ବିଦ୍ୟାଳୟକୁ ଆସିବ ତେବେ ତାହାର ପୁନଃ ନାମଲେଖା କରିବା ସହ ସ୍ୱତନ୍ତ୍ର ତାଲିମ ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ପକ୍ଷରୁ କୁହାଯାଇଛି। ସ୍କୁଲ ବାହାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ମାସିଆ ସ୍ୱତନ୍ତ୍ର ତାଲିମ ଦିଆଯିବ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ‘ହସି ଖେଳି ଶିଖିବା’, ଚତୁର୍ଥରୁ ସପ୍ତମ ଶ୍ରେଣୀ ଡ୍ରପ୍‌ ଆଉଟ୍‌ ପିଲାଙ୍କ ଲାଗି ସ୍ୱତନ୍ତ୍ର ତାଲିମ ଉପକରଣ ପ୍ରଦାନ କରିବାକୁ ସ୍ଥିର ହୋଇଛି। ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ଲାଗି ଥିବା ସ୍ୱତନ୍ତ୍ର ତାଲିମ ସାମଗ୍ରୀକୁ ଗତବର୍ଷ ପରିବର୍ତନ କରାଯାଇଛି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ସ୍ୱତନ୍ତ୍ର ତାଲିମ ସାମଗ୍ରୀରେ ଆବଶ୍ୟକୀୟ ପରିବର୍ତନ ଏପ୍ରିଲ ଓ ମେ’ ମାସ ମଧ୍ୟରେ କରିବାକୁ ଏସ୍‌ସିଇଆର୍‌ଟିକୁ କୁହାଯାଇଛି।

ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାସ୍ଥିତ ଋତୁକାଳୀନ ହଷ୍ଟେଲରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଶିକ୍ଷା ପରେ ପିଲାମାନେ ପାଠପଢ଼ା ଛାଡ଼ୁଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ୯ମ ଶ୍ରେଣୀରେ ନାମଲେଖାଉଛନ୍ତି କି ନାହିଁ ତାହାକୁ ନଜର ଦେବାକୁ ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର