ବିଜ୍ଞପ୍ତି ପରେ ବି ଡ୍ରଗ୍‌ସ କଣ୍ଟ୍ରୋଲର ପଦବି ଖାଲି

ଭୁବନେଶ୍ୱର : ଦୀର୍ଘ ୫ବର୍ଷ ପରେ ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର୍‌ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ପ୍ରକାଶ ପାଇବାରୁ ୧୪ ଦିନ ବିତିଲାଣି ମାତ୍ର ଏ ପର୍ଯ୍ୟନ୍ତ ଡ୍ରଗ୍‌ସ କଣ୍ଟ୍ରୋଲର୍‌ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ସ୍ୱାସ୍ଥ୍ୟ ବିଭାଗରେ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିବା ଅନ୍ନଦା ଶଙ୍କର ଦାସ କାର୍ଯ୍ୟରୁ ରିଲିଭ୍‌ ହୋଇ ନ ଥିବା ଜଣାପଡ଼ିଛି। ଯାହାଫଳରେ ଡ୍ରଗ୍‌ସ ନିର୍ଦେଶାଳୟର ଡ୍ରଗ୍‌ସ କଣ୍ଟ୍ରୋଲର୍‌ ପଦ ପୂର୍ବଭଳି ଖାଲି ପଡ଼ିଛି।

୨୦୧୨ରେ କଟକ ଜିଲ୍ଲାରେ ଘଟିଥିବା ବିଷାକ୍ତ ଔଷଧ ମୃତ୍ୟୁ ଘଟଣା ପରେ ଡ୍ରଗ୍‌ସ କଣ୍ଟ୍ରୋଲର ଦାୟିତ୍ୱରେ ଥିବା ଶ୍ରୀ ଦାସଙ୍କୁ ରାଜ୍ୟ ସରକାର ପଦରୁ ହଟାଇ ଦେଇଥିଲେ। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ସ୍ଥାନରେ ଅତିରିକ୍ତ ଡ୍ରଗ୍‌ସ କଣ୍ଟ୍ରୋଲର୍‌(ଗୁଇନ୍ଦା) ହୃଷିକେଶ ମହାପାତ୍ରଙ୍କୁ ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଥିଲା। ଫଳରେ ସେବେଠାରୁ ରାଜ୍ୟ ଡ୍ରଗ୍‌ସ ନିୟନ୍ତ୍ରଣ ନିର୍ଦେଶାଳୟରେ କେହି ସ୍ଥାୟୀ ଡ୍ରଗ୍‌ସ କଣ୍ଟ୍ରୋଲର୍‌ ନଥିଲେ। ତେବେ ଚଳିତମାସ ୩ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିବା ଅନ୍ନଦା ଶଙ୍କର ଦାସଙ୍କୁ ଡ୍ରଗ୍‌ସ କଣ୍ଟ୍ରୋଲର୍‌ ଭାବେ ଯୋଗ ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା। ମାତ୍ର ସେ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗରେ ଚର୍ଚା ଜାରି ରହିଛି।

ସମ୍ବନ୍ଧିତ ଖବର