ଭୁବନେଶ୍ୱର : ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେଉଥିବା ଜରିମାନା ଆଉ ମାନୁଆଲ ଚାଲାଣରେ ଆଦାୟ ହେବନି। ସମସ୍ତ ଜରିମାନା ଡିଜିଟାଲ ମୋଡ୍ରେ ପୈଠ ହେବ। କାଗଜ ରସିଦ୍ର ଅପବ୍ୟବହାର ହେବାରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଏହି ମୋଟର ଯାନ ଆଇନକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଚାଳକ ଏଥର ଦୁଇଗୁଣା ଜରିମାନା ଦେବେ। ଏହି ଅପରାଧ ସବୁର ଅନ୍ଲାଇନ୍ ରେକର୍ଡ ରଖାଯିବାର ବ୍ୟବସ୍ଥା ଅଛି। ଡିଜିଟାଲ ମୋଡ୍ରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ ନଗଦ ଅର୍ଥ ସଂଗ୍ରହ କରାଯିବ। ଏହି ବ୍ୟବସ୍ଥାକୁ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ସଂଯୋଗୀକରଣ କରାଯିବ। ଫଳରେ ଅପରାଧ ପଞ୍ଜୀକରଣ ହେଲେ ସମ୍ପୃକ୍ତ ବିଭାଗଗୁଡ଼ିକ ପାଖରେ ତତ୍କ୍ଷଣାତ୍ ଖବର ପହଞ୍ଚିବ। ତା ଛଡ଼ା ଚାଳକ ଅପରାଧ ଘଟାଇଲେ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ମାଲିକ ପାଖରେ ଖବର ପହଞ୍ଚିବ। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ୍ ସହ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଏହି ଜରିମାନା ଅର୍ଥ ଜମା ହେବ। ଏହି ବ୍ୟାଙ୍କ୍ ପକ୍ଷରୁ ୧୯୫ ଟି ମୋବାଇଲ୍ ଇ ଚାଲାଣ ଡିଭାଇସ ଯୋଗାଇ ଦିଆଯାଇଛି। ୩୦ ଜିଲ୍ଲାର ୩୬ ଆରଟିଓଙ୍କୁ ୧୬୨ଟି ପିଓଏସ୍ ମେସିନ୍ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ। ଏହି ବ୍ୟବସ୍ଥାକୁ ଜୟଦେବ ଭବନର ଗୀତଗୋବିନ୍ଦ କକ୍ଷରେ ଆଜି ମନ୍ତ୍ରୀ ଶ୍ରୀ ସାହୁ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ଚାଲାଣ କଟା ଯାଉଥିବା ସ୍ଥାନର ତଥ୍ୟ, ଆଇନ ଉଲ୍ଲଂଘନ କରିଥିବା ଯାନ ତଥା ଚାଳକଙ୍କ ଫଟେଶ ଉଠାଯିବ। ଫଳରେ ଥରେ ଅପରାଧ ଘଟାଇଲେ ପରବର୍ତୀ ସମୟରେ ଚାଳକ ପୁନରାବୃତ୍ତି କରିବାକୁ ଡରିବ। ତା ସହିତ ଏହି ବ୍ୟବସ୍ଥାକୁ ‘ବାହନ’ ଓ ‘ସାରଥି’ ଆପ୍ଲିକେସନ୍ର ସର୍ବଭାରତୀୟ ଡାଟାବେସ୍ ସହ ସଂଯୁକ୍ତ କରାଯାଇଛି। ରାଜ୍ୟ ବାହାରେ ଏଭଳି ଆଇନ ଉଲ୍ଲଂଘନ କରି ଦଣ୍ଡିତ ହୋଇଥିଲେ ଏଠାରେ ଜଣାପଡ଼ିବ। ଏଣୁ ସେହି ଅନୁସାରେ ଜରିମାନା ଅର୍ଥ ଦ୍ବିଗୁଣିତ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ, ଏନ୍ଆଇସି ଉପ ମହାନିର୍ଦ୍ଦେଶକ ଗୌତମ ଘୋଷ, ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା, ଏଚ୍ଏଫ୍ଡିସି ବ୍ୟାଙ୍କ୍ ଆଞ୍ଚଳିକ ମୁଖ୍ୟ ଦେବାଶିଷ ସେନାପତି ପ୍ରମୁଖ ଯୋଗଦେଇ ଥିବା ବେଳେ ଚିତ୍ତରଞ୍ଜନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।