ଅଭିନେତା ଶ୍ରୀତମ ଦାସଙ୍କୁ ଇଡିର ଜେରା

ଭୁବନେଶ୍ୱର: ଓଲିଉଡରେ ଚିଟଫଣ୍ଡ୍‌ ଲିଙ୍କ ନେଇ ଆଜି ପ୍ରବର୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଘଣ୍ଟାଚକଟା ଆରମ୍ଭ କରିଛନ୍ତି। ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସଙ୍କୁ ପ୍ରବର୍ତନ ନିର୍ଦେଶାଳୟ ଦୀର୍ଘ ୭ ଘଣ୍ଟା କାଳ ଜେରା କରିଛି। ଚିଟଫଣ୍ଡ ସଂସ୍ଥା ଷ୍ଟାର କନସଲଟାନ୍ସି ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ର ‘ତୁ ଥା ମୁଁ ଯାଉଛି ରୁଷି’ ନିର୍ମାଣରେ ଅଭିନେତା ଶ୍ରୀତମଙ୍କ ଭୂମିକାକୁ ନେଇ ଇଡି ତାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଚଳଚ୍ଚିତ୍ରରେ କେତେ ଟଙ୍କା ନିବେଶ ହୋଇଥିଲା। କେଉଁ ଅଭିନେତା କେତେ ଟଙ୍କା ନେଇଥିଲେ। କଳାକାରମାନଙ୍କ ବିଦେଶ ଖର୍ଚ କେତେ ହୋଇଥିଲା। ଏହା ଛଡ଼ା ଏବେ ଷ୍ଟାର କନସଲଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କ ସମ୍ପର୍କରେ ମଧ୍ୟ ଇଡି ଅଧିକାରୀମାନେ ଅଭିନେତା ଶ୍ରୀତମଙ୍କୁ ପଚରାଉଚରା କରିଥିଲେ। ଷ୍ଟାର କନସଲଟାନ୍ସି ସଂସ୍ଥା ରାଜଧାନୀରେ ଜମି ଓ ଫ୍ଲାଟ୍‌ ଯୋଗାଇ ଦେବା ନାଁରେ ୨ଶହ କୋଟି ଟଙ୍କା ଠକେଇ କରିଥିଲା। ଏହା ଛଡ଼ା ଜମାକାରୀଙ୍କୁ ମୋଟା ଅଙ୍କର ସୁଧ ଦେବାର ପ୍ରତିଶ୍ରୁତି ଦେଇ ଖୋଲା ବଜାରରୁ କୋଟିକୋଟି ଟଙ୍କା ସଂଗ୍ରହ କରିଥିଲା। ଏ ନେଇ ଜମାକାରୀମାନେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂସ୍ଥାର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କୁ ଗିରଫ କରିଥିଲା। କିଛି ଦିନ ପରେ ତ୍ରିବେଣୀ ମହାନ୍ତି ଜାମିନ୍‌ରେ ଆସିଥିଲେ। ପରବର୍ତୀ ସମୟ ଏହି ଠକେଇର ତଦନ୍ତ ଇଡି ଆରମ୍ଭ କରିଥିଲା। ଇଡି ପୂର୍ବରୁ ଷ୍ଟାର୍‌ କନସଲଟାନ୍ସିର ଏକାଧିକ କର୍ମଚାରୀଙ୍କୁ ଜେରା କରି ସାରିଛି।

୨୦୧୦ରେ ଷ୍ଟାର କନ୍‌ସଲଟାନ୍ସି ବ୍ୟାନର୍‌ରେ ଓଡ଼ିଆ ଚଳଚ୍ଚିତ୍ର ‘ତୁ ଥା ମୁଁ ଯାଉଛି ରୁଷି’ ନିର୍ମାଣ ହୋଇଥିଲା। ଏଥିରେ ଅଭିନେତା ଶ୍ରୀତମ ନିର୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ। ପ୍ରଥମ ଥର କୌଣସି ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ବିଦେଶରେ ହୋଇଥିଲା। କୁହାଯାଉଛି ଷ୍ଟାର୍‌ କନସାଲଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଜମାକାରୀଙ୍କ ଟଙ୍କାରେ ମଉଜ ମଜଲିସ୍‌ କରିବା ସହିତ ବିଦେଶରେ ଦିନ ବିତାଇଥିଲେ। ଯେହେତୁ ଶ୍ରୀତମ ଫିଲ୍ମର ନିର୍ଦେଶନା ଦାୟିତ୍ୱରେ ଥିଲେ, ତାଙ୍କୁ ଇଡି ଆଜି ଝାଳବୁହା ଜେରା କରିଛି। ଫିଲ୍ମରେ କେତେ ଟଙ୍କା ଖର୍ଚ ହୋଇଥିଲା, ଫିଲ୍ମ କେତେ ଲାଭ କରିଥିଲା। ଅଭିନେତା ଶ୍ରୀତମ ଏହି ଫିଲ୍ମ ନିର୍ମାଣ କରି କେତେ ବ୍ୟକ୍ତିଗତ ଲାଭ ପାଇଛନ୍ତି ? ଏଭଳି ଅନେକ ପ୍ରଶ୍ନ ତାଙ୍କୁ ପଚରା ଯାଇଥିଲା। ସେପଟେ ଷ୍ଟାର କନସଲଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ୨୦୧୦ରୁ ଫେରାର ଅଛନ୍ତି। ତ୍ରିବେଣୀଙ୍କ ସମ୍ପର୍କରେ ତଥ୍ୟ ନେବାକୁ ଇଡି ଏବେ ସୁଦ୍ଧା ୧୫ ଜଣଙ୍କୁ ଜେରା କରିବା ସହ ସଂସ୍ଥାର ୮୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରି ସାରିଲାଣି। ତେବେ ଇଡି କାର୍ଯ୍ୟାଳୟରୁ ବାହାରି ଅଭିନେତା ଶ୍ରୀତମ ଗଣମାଧ୍ୟମକୁ କହିଛନ୍ତି, ଚିଟଫଣ୍ଡ୍‌ ଟଙ୍କାରେ ଫିଲ୍ମ ନିର୍ମାଣ ହୋଇଥିଲା ବୋଲି ମୁଁ ଜାଣି ନ ଥିଲି। ମୋତେ ଇଡିର ଅଧିକାରୀମାନେ ଯାହା ପଚାରିଛନ୍ତି ମୁଁ ତାର ଉତ୍ତର ରଖିଛି। ଇଡି କର୍ତୃପକ୍ଷ ଚାହିଁଲେ ମୁଁ ସେତେବେଳେ ନେଇଥିବା ପାରିଶ୍ରମିକ ଟଙ୍କା ଫେରାଇ ଦେବି।

ସମ୍ବନ୍ଧିତ ଖବର