ପାଟକୁରାରେ ନିର୍ବାଚନୀ ହିଂସା : ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ଇଭିଏମ୍‌ ଅଚଳ ଯୋଗୁଁ ଅସନ୍ତୋଷ, ତିକନପୁରରେ ପୁଲିସର ଲାଠିଚାଳନା

କେନ୍ଦ୍ରାପଡ଼‌ା/ଡେରାବିଶ/ମାର୍ଶାଘାଇ/ଗରଦପୁର : ଶନିବାର ପାଟକୁରା ଆସନ ପାଇଁ ମତଦାନ ଶେଷ ହୋଇଛି। ‌ତେବେ ନିର୍ବାଚନ ଚାଲିଥିବାବେଳେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ଓ ମତଦାନକୁ କେନ୍ଦ୍ର କରି କାଁ ଭାଁ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ନିର୍ବାଚନ ସରିବା ପରେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପାଟକୁରା ମେଡିକାଲ ଓ ଅନ୍ୟ ଦୁଇ ଜଣଙ୍କୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ପାଟକୁରା ଥାନା ଅନ୍ତର୍ଗତ ତିକନପୁର ଗ୍ରାମର ଧନୁର୍ଦ୍ଧର ମଲିକ୍(୪୦)ଭୋଟ ଦେଇ ପତ୍ନୀ ଓ ପିଲାଙ୍କୁ ଧରି ଘରକୁ ଫେରୁଥିବା ବାଟରେ ତିକନପୁର ଛକ ନିକଟରେ ଏକ ରାଜନୈତିକ ଦଳର କେତେକ ସମର୍ଥକ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଧନୁର୍ଦ୍ଧରଙ୍କ ମୁଣ୍ତ ଓ ହାତରେ ଆଘାତ ଲାଗିଛି। ସେଠାରେ ପୁଲିସ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଖସି ପଳାଇଥିଲେ। ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସେହିପରି ତଳକୁସୁମା ପଞ୍ଚାୟତ ଅନ୍ତର୍ଗତ ବଙ୍ଗାରୀ ଗ୍ରାମରେ ଆଜି ସନ୍ଧ୍ୟାରେ ଏକ କୁକୁଡା ଫାର୍ମ ମାଲିକଙ୍କୁ ଦୁର୍ବୃତ୍ତମାନେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏଠାରେ ଅବସରପ୍ରାପ୍ତ ସୈନିକ ଗଣେଶ୍ବର ନାୟକ(୫୪)ଙ୍କ ଏକ କୁକୁଡା ଫାର୍ମ ରହିଛି। ଆଜି ସନ୍ଧ୍ୟାରେ ଗଣେଶ୍ବରଙ୍କ ପୁଅ ବିଳାସ (୨୭) ଓ ଶଳା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଉଳାଙ୍ଗ ଗ୍ରାମର ଦୁଷ୍ମନ୍ତ ପଟ୍ଟନାୟକ(୩୦) ଫାର୍ମରେ କାର୍ଯ୍ୟ କରୁଥିବା ବେଳେ ତଳକୁସୁମା ଗ୍ରାମର କାହ୍ନା ଓ ତାଙ୍କ ୧୦ରୁ ୧୨ଜଣ ସମର୍ଥକ ସେଠାରେ ପହଞ୍ଚି ସେମାନଙ୍କୁ ଭୁଜାଲି ଓ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ପାଟି ଶୁଣି ଗଣେଶ୍ବର ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଗଣେଶ୍ବରଙ୍କ ମୁଣ୍ତ, ଆଖି ଓ ପିଠିରେ ଆଘାତ ଲାଗିଛି। ବିଳାସଙ୍କ ମୁଣ୍ତ, ମୁହଁ, ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ କୁହାଯାଉଥିବା କାହ୍ନାଙ୍କୁ ଥାନାରେ ଅଟକ ରଖିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏପରି କାଣ୍ତ ଭିଆଇଥିବା ଗଣେଶ୍ବର ଅଭିଯୋଗ କରିଛନ୍ତି। ଗଣେଶ୍ବରଙ୍କୁ ପାଟକୁରା ମେଡିକାଲରେ ଏବଂ ବିଳାସ ଓ ଦୁଷ୍ମନ୍ତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ୭ଟା‌ରୁ ମତଦାନ ଆରମ୍ଭ ହୋଇଥିଲା। ଦିନ ୧୧ଟା ମଧୢରେ ‌େକତେକ ସ୍ଥାନରେ ବର୍ଷା ହୋଇଥିଲେ ବି ପରବର୍ତ୍ତୀ ସମୟରେ ପାଗ ଶୁଖିଲା ରହିବାରୁ ମତଦାନ ପାଇଁ ଅଧିକା˚ଶ ବୁଥ୍‌ରେ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଧାଡ଼ିରେ ଠିଆ ହୋଇ ଭୋଟ ଦେଇଥିଲେ। ବିଜେପି ନେତା ବିଜୟ ମହାପାତ୍ର ତାଙ୍କ ନିଜ ଗାଁ ତଳକୁସୁମା ୟୁପି ସ୍କୁଲ ବୁଥ୍‌ରେ ଭୋଟ ଦେଇଥିଲେ। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କୋରୁଆ ନିକଟ ସାନଅଢ଼ଙ୍ଗା ବୁଥ୍‌ରେ ଭୋଟ ଦେଇଥିଲେ। ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ନାମ କେନ୍ଦ୍ରାପଡ଼ା ବ୍ଲକ‌୍‌‌େର ନିଜ ନିଜ ବୁଥ୍‌ ଭୋଟର ତାଲିକାରେ ରହିଥିବାରୁ ସେମାନେ ଏଠାରେ ଭୋଟ ଦେଇ ନ ଥିଲେ।

ଅନ୍ୟପଟେ ଆଜି ମତଦାନ ସମୟରେ ଗରଦପୁର ବ୍ଲକ ତିକନପୁର ବୁଥ୍‌ ନିକଟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହେବା ସହିତ ମାରପିଟ୍ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଗରଦପୁର ବ୍ଲକର ତଳକୁସୁମାର ତେନ୍ତାଳ ବୁଥ୍‌ରେ ମହୁମାଛି ଆତଙ୍କ ଯୋଗୁଁ କିଛି ସମୟ ମତଦାନ ଅଟକିଥିଲା। ତେବେ ପୁଲିଂ ଓ ପ୍ରିଜାଇଡି˚ ଅଫିସର ସେଠାରେ ଥିବା ପାଖ କୋଠରିକୁ ଇଭିଏମ୍‌ ସ୍ଥାନାନ୍ତର କରିବା ପରେ ସେଠାରେ ମତଦାନ ହୋଇଥିଲା। ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ପଲ୍ଲୀ ରଘୁନାଥପୁର ଗ୍ରାମର ୩ ନଂ ବୁଥ୍ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକଙ୍କ ଆକ୍ରମଣରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ କର୍ମୀ ଗୁରୁତର ହୋଇଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଛି। ସେହିପରି ଏହି ବ୍ଲକର କୁଶିଆପାଳ ପଞ୍ଚାୟତର ୩୨ ନଂ ବୁଥ୍‌ରେ ଇଭିଏମ୍‌ ଅଚଳକୁ ନେଇ ଧସ୍ତାଧସ୍ତି ଭଳି ଘଟଣା ଘଟିଥିଲା। ଏଥିରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେହିପରି ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ କିଣିଲୋର ୩୦୭ ନ˚. ବୁଥ୍‌ରେ ଜଣେ ବରିଷ୍ଠ ନାଗରିକଙ୍କ ପାଇଁ ଅନ୍ୟ ଜଣେ ଭୋଟ ଦେବାକୁ ଚାହିଁଥିଲେ। ତେବେ ପ୍ରିଜାଇଡିଂ ଅଫିସର ଏପରି କରିବାକୁ ମନା କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍‌ ଆଗରେ କିଛି ଲୋକ ଧାରଣାରେ ବସିଥିଲେ। ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଜଣେ ପ୍ରିଜାଇଡି˚ ଅଫିସରଙ୍କୁ ଧମକ ଦେବାରୁ ସେଠାରେ କିଛି ସମୟ ମତଦାନ ବନ୍ଦ ରହିଥିଲା। ସେହିପରି ମାର୍ଶାଘାଇ ବ୍ଲକ୍‌ ବଛରାଇ ପଞ୍ଚାୟତର ପେଣ୍ଠ ବୁଥ୍‌ରେ ବିଜେପିର ପୁଲି˚ ଏଜେଣ୍ଟ ଜଗବନ୍ଧୁ ସ୍ବାଇଁଙ୍କୁ ପ୍ରତିପକ୍ଷ ଗୋଷ୍ଠୀ ମତଦାନ କେନ୍ଦ୍ର ବାହାରେ ନିସ୍ତୁକ ମାଡ଼ ମାରିବାରୁ ସେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଡେରାବିଶ ବ୍ଲକ ଚଅଁରାବାରିମୂଳ ପଞ୍ଚାୟତର ତେହେଡ଼ା ବୁଥ୍‌ ନଂ.୧୨୮ରେ ଇଭିଏମ୍‌ କାମ ନ କରିବାରୁ କିଛି ସମୟ ଭୋଟ ବନ୍ଦ ଥିଲା। ଇଭିଏମ୍‌ ବଦଳା ଯିବା ପରେ ଭୋଟ ଗ୍ରହଣ କରାଯାଇଥିଲା। ଡେରାବିଶ୍‌ ବ୍ଲକ୍‌ର ସୋରିଶିଆ ବୁଥ୍‌ରେ ଇଭିଏମ୍‌ କାମ ନ କରିବାରୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ମତଦାନ ବନ୍ଦ ରହିଥିଲା। ସେଠାରେ ମଧୢ ଇଭିଏମ୍‌ ବଦଳ କରାଯାଇଥିଲା। ଅନୁଆପଡ଼ା ବୁଥ୍‌ ନ˚. ୧୦୯ରେ ମତଦାନ କେନ୍ଦ୍ରରେ ବ୍ୟବହୃତ ଏକ ସୋଲାର ଲ୍ୟାମ୍ପ୍‌ ନ ଜଳିବାରୁ ଜଣେ ବୃଦ୍ଧା ଭୋଟ ଦେଇ ପାରି ନଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର