କରିଡ଼ର ସଙ୍କୁଚିତ: ୫ ବର୍ଷରେ ମରିଛନ୍ତି ୪୩୫ ହାତୀ

ରାଜ୍ୟର ୩ ଏଲିଫ୍ୟାଣ୍ଟ ରିଜର୍ଭର କୋମାରେ

ଭୁବନେଶ୍ବର : ବିଶ୍ବର ଐତିହ୍ୟ ପ୍ରାଣୀ କୁହାଯାଉଥିବା ହାତୀଙ୍କ ପ୍ରତି ଏବେ ଚାରିଆଡୁ ବିପଦ ମାଡ଼ି ଆସିଛି। କେତେବେଳେ ହାତୀ-ମଣିଷ ଲଢ଼େଇରେ ବଳି ପଡୁଛି ହାତୀ ତ କେତେବେଳେ ବିଦ୍ୟୁତ୍‌ ଆଘାତରେ, ରେଳ ଚଢ଼ିଯାଇ, ରାସ୍ତା ଦୁର୍ଘଟଣାରେ, ଅଜଣା ରୋଗରେ, ପ୍ରାକୃତିକ ଉପାୟରେ, ଖାଦ୍ୟ ବିଷାକ୍ତନ ପ୍ରକ୍ରିୟାରେ ତ କେତେବେଳେ ଶିକାରୀ ଗୁଳିରେ ଜୀବନ ହାରିବାକୁ ପଡୁଛି ଏହି ଐତିହ୍ୟ ପ୍ରାଣୀକୁ। ନିକଟ‌ରେ ଢେଙ୍କାନାଳ ଜିଲ୍ଲା ସଦର ଥା‌ନା ଅନ୍ତର୍ଗତ କମଳାଙ୍ଗରେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀଙ୍କର ପ୍ରାଣ ଚାଲିଗଲା। ସେହିଭଳି ଗତ ୨୦୧୫ ମସିହାରେ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଡ଼ିଯାଇ ଗଞ୍ଜାମର ରମ୍ଭା ରେଳଷ୍ଟେସନରେ ୫ ହାତୀଙ୍କ ମୃତ୍ୟୁବରଣ କରିଥିଲେ। କେବଳ ଏହି ଦୁଇଟି ଘଟଣା ନୁହେଁ, ବରଂ ଅତୀତରେ ଏଭଳି ଅନେକ ମର୍ମନ୍ତୁଦ ଘଟଣାରେ ବହୁ ହାତୀଙ୍କର ପ୍ରାଣ ଯାଇଛି। ହାତୀ ମୃତ୍ୟୁ ନେଇ ସବୁଠି ଏବେ ଚର୍ଚ୍ଚା ଶୀର୍ଷ ଛୁଇଁଥିବାବେଳେ ଏହାକୁ କିଭଳି ରୋକିହେବ ତାହା ଆଜିର ଦିନରେ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ୧୯୭୮ଟି ହାତୀ (୨୦୧୭ ହାତୀଗଣନା ରିପୋର୍ଟ ଅନୁଯାୟୀ) ଅଛନ୍ତି। ସେହିଭଳି ଓଡ଼ିଶାରେ ଗତ ୫ ବର୍ଷରେ ୪୩୫ ହାତୀ ମରିଛନ୍ତି। ଅର୍ଥାତ୍‌ ପ୍ରତି ବର୍ଷକୁ ଓଡ଼ିଶାରେ ୮୭ ହାତୀ ମରୁଛନ୍ତି। ତେବେ ମୃତ୍ୟୁ ତୁଳନାରେ ପ୍ରତିବର୍ଷ ‌ସେତିକି ସଂଖ୍ୟା କିମ୍ବା ତା’ଠୁ ଅଧିକ ହାତୀ ଶାବକ ଜନ୍ମ ନେଉଛନ୍ତିକି? ହାତୀ ମୃତ୍ୟୁ ତୁଳନାରେ ଯଦି ଜନ୍ମହାର ହ୍ରାସ ପାଏ, ତେବେ ଆସନ୍ତାବର୍ଷମାନଙ୍କରେ ହାତୀ ବଂଶ ପ୍ରତି ବଡ଼ ବିପଦ ମାଡ଼ି ଆସୁଛି ବୋଲି କୁହାଯାଇପାରିବ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସନ୍ଦୀପ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ବର୍ଷକୁ ଶହେରୁ ଊର୍ଦ୍ଧ୍ବ ହାତୀ ଜନ୍ମ ନେଉଛନ୍ତି। ବିଶେଷକରି ଶିମିଳିପାଳ, କୁଲଡିହା, ହଦଗଡ଼, ଚନ୍ଦକା-ଡମପଡ଼ା, ସାତକୋଶିଆ, ସମ୍ବଲପୁର (ମହାନଦୀ ଏଲିଫ୍ୟାଣ୍ଟ ରିଜର୍ଭ) ଅଞ୍ଚଳରେ ଆଶାତୀତ ଭାବେ ହାତୀ ଛୁଆ ଜନ୍ମଲାଭ କରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ୩ଟି ପ୍ରମୁଖ ହାତୀ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ କରୁଛି। ମୟୂରଭଞ୍ଜ ଏଲିଫ୍ୟାଣ୍ଟ ରିଜର୍ଭ, (ଶିମିଳିପାଳ-କୁଲଡିହା-ହଦଗଡ଼), ସମ୍ବଲପୁର ଏଲିଫ୍ୟାଣ୍ଟ ରିଜର୍ଭ ଏବଂ ମହାନଦୀ ଏଲିଫ୍ୟାଣ୍ଟ ରିଜର୍ଭ ପ୍ରମୁଖ ୩ଟି ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଓଡ଼ିଶାରେ ହାତୀ ସୁରକ୍ଷା ନେଇ କାର୍ଯ୍ୟ କରୁଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହାତୀ ଏକ ବିଶାଳ ପ୍ରାଣୀ ହୋଇଥିବାରୁ ବଞ୍ଚିବା‌ ପାଇଁ ତାକୁ ପର୍ଯ୍ୟାପ୍ତ ମାତ୍ରାରେ ବାସସ୍ଥାନ ଆବଶ୍ୟକ ହୋଇଥାଏ, ଯାହା ଆଜିର ଦିନରେ ସଙ୍କୁଚିତ ହୋଇଗଲାଣି। ଏହା ସହିତ ବିଭାଗ ବିଭାଗ ସମନ୍ବୟର ଅଭାବ କାରଣରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ହାତୀଙ୍କର ମୃତ୍ୟୁ ହେଉଛି। ବନ ବିଭାଗ ଓ ବିଜୁଳି ବିଭାଗ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ହାତୀମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ସେହିଭଳି ଭାବେ ହାତୀମାନଙ୍କ ଚଳପ୍ରଚଳ ପଥକୁ ସୁଗମ କରିବା ଏବେ ବଡ଼ ଆହ୍ବାନ ପାଲଟିଛି। ରାଜ୍ୟର ଏଲିଫ୍ୟାଣ୍ଟ କରିଡ଼ର୍‌ଗୁଡ଼ିକର ସଂକୋଚର ହାତୀ ମୃତ୍ୟୁର ଅନ୍ୟ ପ୍ରମୁଖ କାରଣ। ହାତୀମାନଙ୍କରର ଯାତାୟତ ପଥ ସଙ୍କୁଚିତ ହୋଇପଡ଼ିବା କାରଣରୁ ରାସ୍ତା ଦୁର୍ଘଟଣାରେ ବହୁ ହାତୀ ମରୁଛନ୍ତି। ଏସବୁ ସମସ୍ୟାର ସମାଧାନ କରା ନଗଲେ ହାତୀ ମୃତ୍ୟୁ ଭଳି ଏକ ସମ୍ବେଦନଶୀଳ ସମସ୍ୟାକୁ ରୋକିବା ଅସମ୍ଭବ ବୋଲି ବିଶିଷ୍ଟ ପରିବେଶବୀତ୍‌ ତଥା ‘ୱାଇଲ୍‌ଡ଼ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ର ସଂପାଦକ ବିଶ୍ବଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର