ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ହୋ’ହଲ୍ଲା : ଘଣ୍ଟାଏ ବନ୍ଦ ରହିଲା ସୂର୍ଯ୍ୟମନ୍ଦିର ଫାଟକ, ବିରୋଧ ଯୋଗୁଁ ବର୍ଧିତ ଶୁଳ୍କ ଆଦାୟ ସ୍ଥଗିତ

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ବିଗତ ଦିନରେ ଅନେକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଏବେ ମନ୍ଦିରକୁ ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ପୂର୍ବ ସୂଚନା ନ ଥାଇ ହଠାତ୍‌ କର୍ତୃପକ୍ଷ ପ୍ରବେଶ ଶୁଳ୍କ ବୃଦ୍ଧି କରିଥିବା ଘଟଣାକୁ ନେଇ ଆଜି କୋଣାର୍କରେ ତୀବ୍ର ବିରୋଧ ହୋଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମନ୍ଦିରର ପ୍ରବେଶ ଶୁଳ୍କ ଭାରତୀୟ ମାନଙ୍କପାଇଁ ୩୦ରୁ ୪୦ ଟଙ୍କାକୁ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୫ଶହରୁ ୬ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ସୂଚନା ମିଳିବା ପରେ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ତୀବ୍ର ବିରୋଧ ଓ ହୋହଲ୍ଲା ଯୋଗୁଁ ସୂର୍ଯ୍ୟମନ୍ଦିର ଫାଟକ ଓ ଟିକଟ କାଉଣ୍ଟରକୁ ଘଣ୍ଟାଏରୁ ଅଧିକ ବନ୍ଦ ରଖାଯାଇଥିଲା। ପରେ ଘଟଣା ଜଟିଳ ହେବା ଆଶଙ୍କାରେ ବର୍ଧିତ ଶୁଳ୍କକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।

ପୂର୍ବରୁ ମନ୍ଦିରକୁ ପ୍ରବେଶ ପାଇଁ କୌଣସି ପ୍ରବେଶ ଶୁଳ୍କ ଲାଗୁନଥିବା ବେଳେ ୯୦ ଦଶକରେ ପ୍ରଥମେ ମନ୍ଦିରକୁ ପ୍ରବେଶ ପାଇଁ ପାଞ୍ଚ ଟଙ୍କା ଶୁଳ୍କ କରାଯାଇଥିଲା। ପରେ ଏହାକୁ ବୃଦ୍ଧି କରାଯାଇ ୧୦ ଟଙ୍କା କରାଯାଇଥିଲା। ଶେଷ ଥରକ ୨୦୧୬ ଏପ୍ରିଲ ପହିଲାରେ ଭାରତୀୟ ମାନଙ୍କପାଇଁ ପ୍ରବେଶଶୁଳ୍କ ୧୦ରୁ ୩୦ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ତାହାକୁ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ସହିତ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ବିରୋଧ ଯୋଗୁଁ ଦୁଇ ସପ୍ତାହ ସ୍ଥଗିତ ରହିବା ପରେ ସେହିବର୍ଷ ଏପ୍ରିଲ ୨୫ରେ ଏହାକୁ ଲାଗୁ କରାଯାଇଥିଲା।

ଆଜି ସକାଳ ସମୟରେ ମନ୍ଦିରର ଫାଟକ ଖୋଲିବା ପରେ ଟିକେଟ ଦର ହଠାତ ବୃଦ୍ଧି କରାଯାଇଥିବା ଜଣାପଡ଼ଥିଲା।

ସମ୍ବନ୍ଧିତ ଖବର