ନାରୀନେତ୍ରୀଙ୍କୁ ଗୁଳିମାଡ଼ ଘଟଣା : ୨୪ ଘଣ୍ଟା ପରେ ବି ପୁଲିସ୍‌ ହାତ ଖାଲି

ପୁରୀ : ପୂର୍ବତନ ପୌର ସଦସ୍ୟାଙ୍କୁ ଗୁଳିମାଡ଼ ଘଟଣାରେ ଦୁର୍ବୃତ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ତେବେ ଘଟଣାକୁ ୨୪ ଘଣ୍ଟା ପୂରିଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିନାହାନ୍ତି। ଗୁଳିକାଣ୍ଡ ଘଟଣାରେ ସର୍ବେଶ୍ୱର ବେହେରା, ତାଙ୍କ ସଢୁ ରାଜେଶ ପାତ୍ର, ଶାଳକ ବିକାଶ ବେହେରା ଏବଂ ଦିବାନା ବେହେରା ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍‌ ନିଶ୍ଚିତ ହୋଇଛି। ଏହି ୪ ଜଣ ଗତକାଲିଠାରୁ ଫେରାର ହୋଇ ଯାଇଥିବାରୁ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଥାନାକୁ ଡକାଇ ପୁଲିସ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସତ୍ୟାଭାମାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗୋଖା ସାହି ନିକଟରେ ଥିବା ଏମାର ମଠର ଜମିକୁ ନେଇ ବିବାଦ ଦେଖାଯାଇଛି। ଏହି ଜମିକୁ ନେଇ ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କ ପରିବାର ଏବଂ ସର୍ବେଶ୍ୱର ପରିବାରଙ୍କ ମଧ୍ୟରେ ବିବାଦ ରହିଥିଲା। ଜମି ବିକ୍ରି ବାବଦରେ ଲକ୍ଷାଧିକ ଟଙ୍କାର କାରବାର ହେଉଥିବାରୁ ଉଭୟ ପରିବାର ଏହି ଅର୍ଥକୁ ହାତେଇବା ପାଇଁ ଚେଷ୍ଟା ଚଳାଇଥିଲେ। ତେଣୁ ଦୁଇ ପରିବାର ମଧ୍ୟରେ ଏହାକୁ ନେଇ ବିବାଦ ରହିଥିବା ବେଳେ ସୋରିଙ୍କ ପୁଅ ପ୍ରେମ ବିବାହ ଘଟଣା ଉଭୟଙ୍କ ମଧ୍ୟରେ ଶତ୍ରୁତାକୁ ଆହୁରି ବଢ଼ାଇ ଦେଇଥିଲା। ସର୍ବେଶ୍ୱର ବେହେରା ପୂର୍ବରୁ ହୋମ୍‌ଗାର୍ଡ ଚାକିରି କରୁଥିବା ବେଳେ ବେଆଇନ ଭାବେ ମାଉଜର ବ୍ୟବସାୟ କରୁଥିବା କୁହାଯାଉଛି। ଏହା ପୁଲିସର ନଜରକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପୁଲିସ ତାଙ୍କ ନିକଟରୁ ମାଉଜର ଆଦି ଜବତ କରି ତାଙ୍କୁ କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧିତ ଖବର