କଟକ : ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନରେ ଛାଡ଼ିିବା ପାଇଁ ହାଇକୋର୍ଟ ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର ସିଜେଏମ୍ ଅଦାଲତଙ୍କୁ ନର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜାମିରେ ଛାଡ଼ ପାଇବା ପାଇଁ ସେ ୧୦ ଲକ୍ଷ ଟଙ୍କା ଅଦାଲତରେ ଜମା ଦେବେ। କୌଣସି ଜାତୀୟକରଣ ବ୍ୟାଙ୍କରେ ସେ ୧୦ ଲକ୍ଷ ଟଙ୍କା ଜମା କରି ଏ ସଂପର୍କିତ ନଥିପତ୍ର ଅଦାଲତରେ ଦାଖଲ କରିବେ ଓ ଏହି ଅର୍ଥ ଅଦାଲତଙ୍କ ବିନା ଅନୁମତିରେ ଉଠାଯାଇ ପାରିବେ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଜାମିନରେ ଛାଡ଼ ପାଇବା ପାଇଁ ସେ ନିମ୍ନ ଅଦାଲତରେ ପାସପୋର୍ଟ ଦାଖଲ କରିବେ ଓ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗବନ୍ଧୁଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ଓ ଆଇନଜୀବୀ ଆଶୁତୋଷ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଜମାକାରୀଙ୍କ କୋଟିକୋଟି ଟଙ୍କା ହଡ଼ପ ଅଭିଯୋଗରେ କମିଶନରେଟ ପୁଲିସ ୨୦୧୩, ମେ’ ୨୬ରେ ଶ୍ରୀ ପଣ୍ଡାଙ୍କୁ ଗିରଫ କରିଥିଲା। ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ, ଶ୍ରୀ ପଣ୍ଡା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଅଦାଲତରେ ୨୦୧୫ରେ ଚାର୍ଜସିଟ ଦାଖଲ କରିଥିଲା।