ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ : ଶ୍ରୀକାନ୍ତ ନାୟକ ସଭାପତି, ବଂଶୀଧର ଉପସଭାପତି

କଟକ : ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ନାୟକ ମୋଟ ୨୨୬୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି ୧୭୯୫ ଖଣ୍ଡ ଭୋଟ ପାଇଛନ୍ତି। ଆସୋସିଏସନ୍‌ର ଉପସଭାପତି ଭାବେ ଆଇନଜୀବୀ ବଂଶୀଧର ଶତପଥୀ ୧୭୦୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଦ୍ୟାଧର ପ୍ରଧାନ ୧୩୨୫ ଖଣ୍ଡ ଭୋଟ ପାଇଥିବା ବେଳେ ଦେବୀ ପ୍ରସାଦ ଦାଶ ୮୫୫ ଖଣ୍ଡ ଭୋଟ ଓ ପ୍ରଭାତ କୁମାର ସାହୁ ୧୭୧ ଖଣ୍ଡ ଭୋଟ ପାଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପଟେ ସଂପାଦକ ପଦବିକୁ ନେଇ ଶେଷ ପର୍ଯ୍ୟନ୍ତ ଟଣାଓଟରା ଜାରି ରହିଛି। ଏଥିରେ ସତ୍ୟବ୍ରତ ମହାନ୍ତି ଓ ସଂଜୟ କୁମାର ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଛି। ସତ୍ୟବ୍ରତ ବିଜୟୀ ହୋଇଥିବା ଗଣନାରୁ ଜଣା ପଡିଥିଲେ ବି ଏହାର ପୁନଃଗଣତି ପାଇଁ ଦାବି ହୋଇଥିବା ସୂଚନା ମିଳିଛି। ଅନ୍ୟ ପଦପଦବି ପାଇଁ ଭୋଟ ଗଣତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଛି।

ସୂଚନା ଯୋଗ୍ୟ ଯେ ଆଜି ହାଇକୋର୍ଟ ବାର୍‌ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିବା ବେଳେ ସାଢେ ୩ଟାରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଚୂଡାନ୍ତ ଭୋଟର ତାଲିକାରେ ୪୦୯୮ ଜଣ ଆଜୀବନ ସଦସ୍ୟ ଓ ୨୧୩୮ ଜଣ ସାଧାରଣ ସଦସ୍ୟ ସ୍ଥାନ ପାଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୪ ହଜାର ୮୩ ଜଣ ସଦସ୍ୟ ମତଦାନ କରିଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି, ଉପସଭାପତି, ସଂପାଦକ, ଯୁଗ୍ମ ସଂପାଦକ, ସହ ସଂପାଦକ, ପାଠାଗାର ସହ ସଂପାଦକ ଏବଂ ୯ଟି କାର୍ଯ୍ୟନିର୍ବାହୀ ସଦସ୍ୟ ପଦବି ପାଇଁ ପ୍ରତ୍ୟେକ ବର୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର